କୋଭିଡ୍ ମୁକାବିଲା ପାଇଁ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନାହିିଁ: ନବ ଦାସ

ଭୁବନେଶ୍ୱର/ଝାରସୁଗୁଡ଼ା: ରାଜ୍ୟରେ କରୋନା ମୁକାବିଲା ଲାଗି ଉଦ୍ଦିଷ୍ଟ ସାମଗ୍ରୀ ଯଥା ମାସ୍କ, ପିପିଇ କିଟ୍ କିମ୍ବା ସାନିଟାଇଜର ଇତ୍ୟାଦି କିଣାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ। ଯେଉଁ ଅଭିଯୋଗ ଆସିଛି ତା’ର ତଦନ୍ତ ଲାଗି ସରକାର ପ୍ରସ୍ତୁତ ଅଛନ୍ତି।

ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣିବା ପାଇଁ ସରକାର ଯେଉଁ କମିଟି ଗଠନ କରିଥିଲେ, ସେଥିରୁ ବରିଷ୍ଠ ଆଇଏଏସ୍ ଅଫିସର ତଥା ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ହଟାଇ ଥିଲେ । ଗତ ଜୁନ୍ ୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଥିଲେ ହେଁ, ପ୍ରସଙ୍ଗଟି ସାମ୍ନାକୁ ଆସିପାରିନଥିଲା। ତେବେ ଗତକାଲି ଏହି ଖବର ଜଣାପଡ଼ିବା ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବିରୋଧୀ ଦଳ ପକ୍ଷରୁ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ମାସ୍କ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି  କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ମାସ୍କ କିଣିଛନ୍ତି। ପ୍ରଥମେ କେନ୍ଦ୍ର ସରକାର ୧୦ଟଙ୍କା ଦେଇ ମ‌ାସ୍କ କିଣାଯାଇପାରିବ ବୋଲି ଚିଠି କରିଥିଲେ। ଏହାପରେ ୧୬ଟଙ୍କା ଦେଇ କିଣିହେବ ବୋଲି ଚିଠି ଲେଖିଲେ। ସେହି ଅନୁସାରେ ରାଜ୍ୟ ସରକାର ମାସ୍କ କିଣିଛନ୍ତି। କ୍ରୟ ପ୍ରକ୍ରିୟା ସଂପୂର୍ଣ୍ଣ ସ୍ବଚ୍ଛ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଏଥିସହ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ସମୟରେ ଏଭଳି ମିଥ୍ୟା ଅଭିଯୋଗ ଆଣି କରୋନା ଯୋଦ୍ଧାଙ୍କର ମନୋବଳ ନ ଭାଙ୍ଗନ୍ତୁ। ମାସ୍କ କିଣିବାରେ ମଧ୍ୟ କୌଣସି ଦୁର୍ନୀତି ହୋଇନାହିଁ। କେନ୍ଦ୍ର ସରକାର ଆରମ୍ଭରୁ ୧୦ଟଙ୍କାରେ ମାସ୍କ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ଏହାକୁ ୧୬ଟଙ୍କାରେ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି, ମାର୍ଚ୍ଚ ୨୪ରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣାଯାଇଛି। ସେ କହିଛନ୍ତି ଯେ ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ କାମ କରିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ରାଜ୍ୟର ଡାକ୍ତର, ମେଡିକାଲ ଷ୍ଟାଫ, ସରକାରୀ ଅଫିସରଙ୍କ ପାଇଁ ରାଜ୍ୟ ସରକାର ଗର୍ବିତ।

ସମ୍ବନ୍ଧିତ ଖବର