ବିଧାନସଭାରେ ସ୍ବୀକାର କଲେ ଜଳ ସମ୍ପଦ ମନ୍ତ୍ରୀ : ରାଜ୍ୟର ୬୩ ବ୍ଲକ୍‌ରେ ଜଳସେଚନ ସୁବିଧା ନାହିଁ

ଜଳସେଚିତ ଜମିର କିସମ ପରିବର୍ତ୍ତନ ନେଇ ଗୃହରେ ଉଦବେଗ
ଧାରଣା ଦେଲେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ

ଭୁବନେଶ୍ବର : ରାଜ୍ୟର ୬୩ଟି ବ୍ଲକରେ ଆଜିଯାଏ ପହଞ୍ଚିନି ଜଳସେଚନ ସୁବିଧା। ବିଧାନସଭାରେ ଆଜି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ଏହା ସ୍ବୀକାର କରିଛନ୍ତି। ଆଉ ପ୍ରତିଶ୍ରୁତି ବି ଦେଇଛନ୍ତି, ଏହିସବୁ ବ୍ଲକରେ ସେଚ ସୁବିଧା ଯୋଗାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଜଳସେଚିତ ଜମିର ବ୍ୟାପକ କିସମ ପରିବର୍ତ୍ତନ କରି ଅଣଚାଷ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ନେଇ ଗୃହରେ ନିଜେ ମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ମୂଳପ୍ରଶ୍ନ କରି ରାଜ୍ୟରେ କେତେ ଜଳସେଚିତ ଜମି ଓ ବିଗତ ୫ ବର୍ଷ ମଧ୍ୟରେ କେତେ ଜଳସେଚିତ ଜମିର ପରିମାଣ ହ୍ରାସ ପାଇଛି ବୋଲି ପଚାରିଥିଲେ। ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ରାଜ୍ୟ ସରକାର ସମୁଦାୟ ୪୩ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦେଇଛନ୍ତି। ୨୦୨୦ ଡିସେମ୍ବର ସୁଦ୍ଧା ଜଳସମ୍ପଦ ବିଭାଗ ପ୍ରାୟ ୩୫ ଲକ୍ଷ ୯୯ ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇଛି। ଗତ ୫ ବର୍ଷ ଅର୍ଥାତ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଛଅ ଗୋଟି ବୃହତ୍ତ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୪୭ ହଜାର ହେକ୍ଟର, ୭ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୨୮ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ଉପଲବ୍ଧ କରାଯାଇପାରିଛି। ଉଦବେଗ ପ୍ରକାଶ କରି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ସେଚ ସାମର୍ଥ୍ୟ ଥିବା ଜମିର କିସମ ପରିବର୍ତ୍ତନ ରାଜ୍ୟରେ ବ୍ୟାପକ ଭାବେ ଚାଲିଛି। କିସମ ପରିବର୍ତ୍ତନ ହୋଇଥିବା ଜମିକୁ ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟବହାର କରାଯାଉଛି। ନିରନ୍ତର ଭାବେ ଏହି ପ୍ରକ୍ରିୟା ଜାରି ରହିଥବାରୁ ରାଜ୍ୟରେ ଚାଷ ଜମିର ପରିମାଣ କମୁଛି। ଏହାକୁ ରୋକିବା ଲାଗି ବିଧାୟକ ଓ ମନ୍ତ୍ରୀମାନଙ୍କୁ ସେ ଅନୁରୋଧ କରିଥିଲେ। ରାଜ୍ୟରେ ଦ୍ରୁତ ସହରୀକରଣ ଓ ଶିଳ୍ପାୟନ ଯୋଗୁ ଏପରି କିସମ ପରିବର୍ତ୍ତନ ହେଉଛି। ଏହାର ଠିକ୍ ଆକଳନ ପାଇଁ ଓଡିଶା ସ୍ପେସ ଆପ୍ଳିକେସନ ସେଣ୍ଟର ବା ଓସାକ୍‌ ଜରିଆରେ କାମ ଚାଲୁ ରହିଛି ବୋଲି ସେ କହିଥିଲେ।
ମନ୍ତ୍ରୀଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ କହିଥିଲେ, ଏଭଳି କିସମ ପରିବର୍ତ୍ତନକୁ ନିଷେଦ୍ଧ କରାଯାଇପାରିବ କି? ବିଧାନସବା ସରିବା ପରେ ଦୁଇଟି ଲେଖାଏଁ ଜିଲ୍ଲାର ସଦସ୍ୟ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଡାକି ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ପରେ ମନ୍ତ୍ରୀ କହିଥିଲେ, କିସମ ପରିବର୍ତ୍ତନ କାମ ରାଜସ୍ବ ବିଭାଗର। ରାଜସ୍ବ ଓ ଜଳସେଚନ ବିଭାଗର ସହଭାଗିତାରେ ଏ କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରିବ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅତିରିକ୍ତ ପ୍ରଶ୍ନ ପଚାରି କହିଥିଲେ, ରାଜ୍ୟର ସବୁ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସୁବିଧା କରିବା ପାଇଁ ପୂର୍ବାରୁ ସରକାର ଏକାଧିକ ବାର ଘୋଷଣା କରିଥିଲେ। ଏ ପର୍ଯ୍ୟନ୍ତ କେତୋଟି ବ୍ଲକରେ ଜଳସେଚନ ସୁବିଧା ପହଞ୍ଚିଛି। ଏହାସହିତ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ସାନି ଡିପିଆର୍‌ ପ୍ରସ୍ତୁତ କରାଯାଇଥିବା ନେଇ ମନ୍ତ୍ରୀ କହିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଉତ୍ତରରେ ମନ୍ତ୍ରୀ କହିଥିଲେ, ମୋଟ ୩୧୪ ବ୍ଲକରୁ ୨୫୧ ବ୍ଲକ୍‌ରେ ଏବେସୁଦ୍ଧା ୩୫ ପ୍ରତିଶତ ଜଳସେଚନ ହୋଇପାରିଛି। ବାକି ୬୩ଟି ବ୍ଲକରେ ଜଳସେଚନ ପାଇଁ ସରକାର ଅନୁଦାନ ଦେବା ସହ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକରେ ଏଭଳି କେତେକ ଅଞ୍ଚଳ ରହିଛି ଯେଉଁଠାରେ ଚାଷ ଜମିକୁ ଜଳସେଚିତ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ସେହିଭଳି ଲୋୟର ସୁକତେଲ ସଂକ୍ରାନ୍ତରେ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ କାର୍ଯ୍ୟ ଗତ ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ଲାଗି ପଦକ୍ଷେପ ନିଆଯାଉଛି। ଏହି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ସଦସ୍ୟ ପ୍ରଦୀପ କୁମାର ଅମାତ, ଲକ୍ଷ୍ମଣ ମୁଣ୍ଡା, ସନ୍ତୋଷ ସିଂହ ସାଲୁଜା ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।

ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଜଳସେଚନ ସମ୍ପର୍କରେ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ। ‌ତାଙ୍କୁ ସ‌ୁଯୋଗ ନ ମିଳିବାରୁ ସେ ଗୃହ ମଧ୍ୟଭାଗରେ ଧାରଣା ଦେଇଥିଲେ। ଜଳସେଚନ ସମସ୍ୟା ନେଇ ୬୦ରୁ ଅଧିକ ସଦସ୍ୟ ପ୍ରଶ୍ନ ପଚାରିବାକୁ ଥିବାରୁ ବିଧାନସଭା ଅଧିବେଶନ ପରେ କେଉଁ ପ୍ରକଳ୍ପରେ କେତେ ବ୍ୟୟ ହୋଇଛି ଓ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ବାଚସ୍ପତି ଶ୍ରୀ ପାତ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଶ୍ରୀ ଗମାଙ୍ଗ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର