ରାୟଗଡ଼ାରେ ୨୬୯ ଜଳସେଚନ ପ୍ରକଳ୍ପ ଅଚଳ: ଦେଢ଼ ଲକ୍ଷ ହେକ୍ଟର ଜମି ପଡ଼ିଆ, ଦାଦନ ମୁହାଁ ଚାଷୀକୂଳ

ଶୁଖିଲା ପଡ଼ିଛି ବଂଶଧାରା, ନାଗାବଳୀ, ଝଞ୍ଜାବତୀ, କଲ୍ୟାଣୀ

ରାୟଗଡ଼ା: ଶୁଖିଲା ପଡିଛି ନଦୀ, ନାଳ। ଅଚଳ ଅବସ୍ଥାରେ ଜଳସେଚନ ପ୍ରକଳ୍ପ। ଅଚଳ ନଳକୂପ ଓ ଉଠାଜଳସେଚନ ବର୍ଷ ବର୍ଷ ଧରି ହୋଇପାରୁନି କାର୍ଯ୍ୟକ୍ଷମ। କେଉଁ ପ୍ରକଳ୍ପ ବିଦ୍ୟୁତ୍ ବିଲ୍ ବକେୟା ପାଇଁ ତ କେଉଁ ପ୍ରକଳ୍ପ ମରାମତି ଅଭାବରୁ ଠପ୍ ହୋଇ ପଡିଛି। ଅଚଳ ଜଳସେଚନ ପ୍ରକଳ୍ପ ପାଇଁ ବାଧାପ୍ରାପ୍ତ ହୋଇଛି ଚାଷକାର୍ଯ୍ୟ। ପଡ଼ିଆ ପଡିଛି ଜିଲ୍ଲାର ପାଖାପାଖି ଦେଢ଼ ଲକ୍ଷ ହେକ୍ଟର ଜମି। ଫଳରେ ରାୟଗଡ଼ା ଚାଷୀକୂଳ ଏବେ ଦାଦନ ମୁହାଁ।

ରାୟଗଡ଼ା ଜିଲ୍ଲାରେ ୧ଲକ୍ଷ ୯୩ ହଜାର ୫୦୪ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ଗ୍ରୀଷ୍ମ ଋତୁରେ ଜଳସେଚନ ସୁବିଧା ନଥିବାରୁ ଏହି ଜମି ମଧ୍ୟରୁ ଚଳିତ ବର୍ଷ ମାତ୍ର ୫୦ ହଜାର୧୮୦ ହେକ୍ଟର ଜମିରେ ଚାଷକାର୍ଯ୍ୟ ସମ୍ଭବ ହୋଇ ପାରିଛି। ୧ ଲକ୍ଷ ୪୩ ହଜାର ୩୨୪ ହେକ୍ଟର ଜମିରେ ଫସଲ ତ ଦୂରର କଥା ପାଣି ଅଭାବରୁ ଦୁବ ମଧ୍ୟ କଅଁଳି ପାରିନି। ଜମି ପଡ଼ିଆ ପଡ଼ିଥିବା ଯୋଗୁ ଚିରସ୍ରୋତା ବଂଶଧାରା, ନାଗାବଳୀ, ଝଞ୍ଜାବତୀ, କଲ୍ୟାଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଚାଷ ଉପରେ ନିର୍ଭରଶୀଳ ଚାଷୀ ଦାଦନମୁହାଁ ହୋଇଛନ୍ତି। ପରିବାର ଗୁଜୁରାଣ ମେଣ୍ଟାଇବାକୁ ରାୟଗଡ଼ା, ଗୁଣପୁର, କାଶୀପୁର, କଲ୍ୟାଣସିଂହପୁର, ରାମନାଗୁଡ଼ା, ପଦ୍ମପୁର, ଗୁଡ଼ାରି, ଚନ୍ଦ୍ରପୁର ବ୍ଲକର ଅଧିକାଂଶ ଚାଷୀ ଆନ୍ଧ୍ର, ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟରେ ଏବେ ଶ୍ରମିକ ଭାବେ କାମ କରୁଛନ୍ତି। ମୌସୁମୀ ସ୍ବାଭାବିକ ହେଲେ ଖରିଫ୍ ଋତୁରେ ଧାନ ଓ ଅନ୍ୟାନ୍ୟ ଚାଷ ପାଇଁ ଚାଷୀ ପୁଣି ଗାଁ ମୁହାଁ ହେବେ ବୋଲି ଜଣା ପଡିଛି। ଚିରସ୍ରୋତା ବଂଶଧାରା ଧାରଟିଏ ହୋଇ ବୋହୁଥିବା ବେଳେ ନାଗାବଳୀ ଶୁଖିଲା ପଡିଛି। ଝଞ୍ଜାବତୀ, କଲ୍ୟାଣୀ ଜଳସ୍ତର ସର୍ବନିମ୍ନ ସ୍ତରରେ ମଧ୍ୟ ନାହିଁ। ନଦୀ, ନାଳକୁ ଛାଡ଼ିଲେ ଜିଲ୍ଲାରେ ଥିବା ଚେକଡ୍ୟାମ୍ ଗୁଡ଼ିକ ମଧ୍ୟ ଗ୍ରୀଷ୍ମରେ ଚାଷ ଉପଯୋଗୀ ହୋଇ ପାରୁନି।

ଉଠାଜଳସେଚନ ପ୍ରକଳ୍ପ ସ୍ଥିତି ମଧ୍ୟ ସଙ୍ଗୀନ୍। ଜିଲ୍ଲାରେ ଚାଷ ଉପଯୋଗୀ ୩୭୦ଟି ଟ୍ୟୁବୱେଲ୍ ମଧ୍ୟରୁ ୯୯ଟି ଅଚଳ ଅବସ୍ଥାରେ ରହିଛି। ସେହିପରି ୮୭୮ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୭୦ଟି କାମ କରୁନି। ଗୁଣପୁର ବ୍ଲକରେ ୧୧୧ଟି ଟ୍ୟୁବୱେଲ୍, ୧୪୧ଟି ଉଠାଜଳସେଚନ ପ୍ରକଳ୍ପ ରହିଛି। ସେଥି ମଧ୍ୟରୁ ୧୯ଟି ଟ୍ୟୁବୱେଲ୍, ୩୦ଟି ଉଠା ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ସେହିପରି ରାମନାଗୁଡା ବ୍ଲକରେ ଥିବା ୧୧୫ଟି ଟ୍ୟୁବୱେଲ୍ ମଧ୍ୟରୁ ୩୨ଟି ଓ ୭୬ଟି ଉଠା ପ୍ରକଳ୍ପ ମଧ୍ୟରୁ ୧୨ଟି ଅଚଳ ହୋଇ ପଡିଛି। ପଦ୍ମପୁର ବ୍ଲକରେ ୬୦ଟି ଟ୍ୟୁବୱେଲ୍ ମଧ୍ୟରୁ ୩୨, ୩୩ ଉଠା ପ୍ରକଳ୍ପ ମଧ୍ୟରୁ ୧୧ଟି, ଗୁଡାରି ବ୍ଲକରେ ୮୦ଟି ଟ୍ୟୁବୱେଲ୍ ମଧ୍ୟରୁ ୧୬ଟି, ୭୧ଟି ଉଠା ପ୍ରକଳ୍ପ ମଧ୍ୟରୁ ୧୧ଟି, ରାୟଗଡ଼ା ବ୍ଲକରେ ୧୩୦ଟି ଉଠା ପ୍ରକଳ୍ପ ମଧ୍ୟରୁ ୩୪ଟି, କୋଲନରା ବ୍ଲକରେ ୩ଟି ଟ୍ୟୁବୱେଲ୍ କାର୍ଯ୍ୟକ୍ଷମ ଥିବା ବେଳେ ୫୮ଟି ଉଠା ପ୍ରକଳ୍ପ ମଧ୍ୟରୁ ୧୩ଟି, କଲ୍ୟାଣସିଂହପୁର ବ୍ଲକରେ ୫୬ଟି ଉଠା ପ୍ରକଳ୍ପ ମଧ୍ୟରୁ ୧୫ଟି, କାଶୀପୁର ବ୍ଲକରେ ୭୯ଟି ଉଠା ପ୍ରକଳ୍ପ ମଧ୍ୟରୁ ୨୧ଟି, ବିଷମକଟକ ବ୍ଲକରେ ଗୋଟିଏ ଟ୍ୟୁବୱେଲ୍  କାର୍ଯ୍ୟକ୍ଷମ ଥିବାବେଳେ ୯୦ଟି ଉଠା ପ୍ରକଳ୍ପ ମଧ୍ୟରୁ ୧୫ଟି ଏବଂ ମୁନିଗୁଡା ବ୍ଲକରେ ୧୧୯ଟି ଉଠା ପ୍ରକଳ୍ପ  ମଧ୍ୟରୁ ୮ଟି ଅଚଳ ଅବସ୍ଥ‌ାରେ ରହିଛି। ଚନ୍ଦ୍ରପୁର ବ୍ଲକରେ ୨୫ଟି ଉଠା ପ୍ରକଳ୍ପ ମଧ୍ୟରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର