ଗର୍ଜିଲେ ବସ୍ତି ବାସିନ୍ଦା: ‘ଜାଗା’ ନାହିଁ ତ ଭୋଟ୍‌ ନାହିଁ

ଭୁବନେଶ୍ୱର: ‘ଜାଗା’ ଯୋଜନାରେ ସରକାର ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଉଛନ୍ତି। ହେଲେ ଏଥିରେ ଥିବା କଟକଣା ଅନେକଙ୍କୁ ଯୋଜନାରୁ ବାଦ୍‌ କରିଛି। କେବଳ ପୌରାଞ୍ଚଳରେ ଏହି ଯୋଜନା ଥିବା ବେଳେ ଭୁବନେଶ୍ବର ସମେତ ୫ଟି ମହାନଗର ନିଗମ ଅଞ୍ଚଳରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ। ସମସ୍ତ ମହାନଗର ନିଗମରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ଓଡ଼ିଶା ବସ୍ତି ସଂଘର୍ଷ ସମିତି ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ୫ଟି ମହାନଗରର ହଜାର ହଜାର ବାସିନ୍ଦା ଶୋଭାଯାତ୍ରାରେ ଆସି ପିଏମ୍‌ଜିରେ ଏକାଠି ହେବା ପରେ ସେଠାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ଜାଗା ନାହିଁ ତ’ ଭୋଟ୍‌ ନାହିଁ ସ୍ଳୋଗାନ୍‌ ଦେବା ସହ ଓଡ଼ିଶା ବସ୍ତି ବାସିନ୍ଦା କଲ୍ୟାଣ ନିଗମ ଗଠନ, ଆଇନ ସଂଶୋଧନ କରି ୫ ମହାନଗର ନିଗମକୁ ଜାଗା ଯୋଜନାରେ ସାମିଲ କରିବା, ପିଏମ୍‌ୱାଇରେ ଗୃହନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ, ବସ୍ତିବାସିନ୍ଦା ଭୂ-ଅଧିକାର ଆଇନ ଓ ପୌର ଆଇନ ବଦଳରେ ଗୋଟିଏ ଆଇନ କରି ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ବସ୍ତିବାସିନ୍ଦା ଏକତା ମଞ୍ଚର ସଭାପତି ଶେଖ୍‌ ଅବଦୁଲ୍ଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରବି ଦାସ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ, ଜଗନ୍ନାଥ ପ୍ରଧାନ, କଂଗ୍ରେସ ନେତା ଅରୁଣ ଜେନା, ଉପଦେଷ୍ଟା ସଂଯୁକ୍ତା ପାଣିଗ୍ରାହୀ, ଆଇନଜୀବୀ ସୁଧୀର ମହାନ୍ତି, ବସ୍ତି ନେତା ଶେକ୍‌ ସଫିକ୍‌, ଅନିଲ ପ୍ରଧାନ ପ୍ରମୁଖ ଦାବି ପୂରଣ ନ ହେଲେ ଆଗାମୀ ନିର୍ବାଚନରେ ସରକାରଙ୍କୁ ଘେରିବା ପାଇଁ ଆହ୍ବାନ ଦେଇଥିଲେ। ସମିତି ସଭାପତି ପ୍ରତାପ ସାହୁଙ୍କ ନେତୃତ୍ବରେ ହେମେନ୍ଦ୍ର ସାମଲ, ବିଜୟଲକ୍ଷ୍ମୀ ବେହେରା, ବନିତା ନାୟକ ପ୍ରମୁଖ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର