ଭୁବନେଶ୍ବର: ସରକାରୀ ହେଉ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ଏହା ଅଧୀନସ୍ଥ ମହାବିଦ୍ୟାଳୟ; କେଉଁଠି ବି ବିକ୍ରି ହୋଇପାରିବନି ଜଙ୍କ୍ଫୁଡ୍। ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନ୍ରେ ଜଙ୍କପୁଡ୍ କିମ୍ବା ସେଭଳି କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ରୋକ ଲଗାଯାଇଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନିୟମ ପାଳନ କରୁ ନ ଥିବାରୁ ଏଭଳି କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି। ଜଙ୍କ୍ଫୁଡ୍ ଖାଇବା ଦ୍ୱାରା ଛାତ୍ରଛାତ୍ରୀ ଭବିଷ୍ୟତରେ ଡାଇବେଟିସ୍, ହାଇପର୍ଟେନସନ୍, ଡାଇସ୍ଲିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ନ୍ୟାସନାଲ ଆଡଭୋକେସି ଇନ୍ ପବ୍ଲିକ ଇଣ୍ଟ୍ରେଷ୍ଟ(ଏନ୍ଏପିଆଇ)ର ଅନୁରୋଧ କ୍ରମେ ୟୁଜିସି ଏଭଳି ନିଷ୍ପତ୍ତି ନେଇଛି।
ୟୁଜିସି ପକ୍ଷରୁ କୁହାଯାଇଛି ଯେ ଆଇସିଏମ୍ଆରର ୨୦୨୦-୨୩ ରିପୋର୍ଟ ଅନୁଯାୟୀ ସାରା ଦେଶରେ ଏବେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ପ୍ରତି ୪ଜଣରୁ ଜଣଙ୍କଠାରେ ଡାଇବେଟିସ୍/ପ୍ରି-ଡାଇବେଟିସ୍ ପରି ଲକ୍ଷଣ ଦେଖିବାକୁ ମିଳୁଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳୁଥିବା ଖାଦ୍ୟ ଗ୍ରହଣ କରିବା ଦ୍ବାରା ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଶିକ୍ଷାନୁଷ୍ଠାନ କ୍ୟାଣ୍ଟିନଗୁଡ଼ିକରେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ୨୦୧୬ ନଭେମ୍ବର ୧୦ ଓ ୨୦୧୮ ଅଗଷ୍ଟ ୨୧ରେ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଦିଆଯାଇଥିବା ନିୟମ ପାଳନ କରିବାକୁ କୁହାଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକ ଜଙ୍କଫୁଡ୍ ବାବଦରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ପିଲାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବିଶ୍ବବିଦ୍ୟାଳୟଗୁଡ଼ିକ ତଥ୍ୟ ସଂଗ୍ରହ କରି ରଖିବେ। ବଡି ମାସ୍ ଇଣ୍ଡେକ୍ସ(ବିଏମ୍ଆଇ), ଶରୀରର ଓଜନ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ସୁସ୍ଥ ଶରୀର ବିଷୟରେ ପିଲାଙ୍କୁ ଅବଗତ କରାଇବେ। ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯିବ। ଷ୍ଟୁଡେଣ୍ଟ ୱେଲଫେୟାର ବିଭାଗ ଅଧୀନରେ ୱେଲ୍ନେସ୍ କ୍ଲଷ୍ଟର ତିଆରି ହେବ। ଯେଉଁଥିରେ ପୃଷ୍ଟିସାର ଖାଦ୍ୟ, ବ୍ୟାୟାମ, ସ୍ବାସ୍ଥ୍ୟ ସମ୍ପର୍କରେ କାଉନସେଲିଂ କରାଯାଇପାରିବ। ଏହି କ୍ଲଷ୍ଟର ଦ୍ବାରା ଛାତ୍ରଛାତ୍ରୀଙ୍କୁ ମନସ୍ତାତ୍ତ୍ବିକ ସହାୟତା ସହ ଛାତ୍ରଛାତ୍ରୀଙ୍କ ମୋଟାପଣ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯିବ। ଚିପ୍ସ ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିସହ ମଲାଇ ଗୋଲା, ସମସ୍ତ ପ୍ରକାର ମୃଦ୍ୟୁ ପାନୀୟ, ମିଠା ଜାତୀୟ ପଦାର୍ଥ(ରସଗୋଲା, ଗୋଲାପ ଜାମୁ, ପେଡ଼ା, ଜିଲାପି, ବୁନ୍ଦି), ପିଜା, ବର୍ଗର, ଗୁପ୍ଚୁପ୍, ଦହିବରା ଆଳୁଦମ୍, ସମସ୍ତ ପ୍ରକାର ଚୋବାଇବା ପଦାର୍ଥ, ମଇଦାରୁ ପ୍ରସ୍ତୁତ ପିଠା ଓ ବିସ୍କୁଟ୍, ପେଟିସ୍, ଜାମ୍ ଏବଂ ଜେଲି ପରି ଖାଦ୍ୟକୁ ବାରଣ କରାଯାଇଛି। ଏହାବ୍ୟତୀତ ମିଠା ଏବଂ ଲବଣଯୁକ୍ତ ଖାଦ୍ୟ ଯେପରି ପିଲାଙ୍କୁ ଦିଆ ନ ଯିବ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି।