ଓଡ଼ିଶାରେ ଏବେ କରୋନା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ପ୍ରତ୍ୟେକ ଦିନ ପଜିଟିଭ୍ଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ବେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନାହିଁ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ବିଶେଷଜ୍ଞଙ୍କ ମତ ବେଶ୍ ଗୁରୁତ୍ବ ବହନ କରୁଛି। ଦେଶରେ ତଥା ଓଡ଼ିଶାରେ କରୋନା ସ୍ଥିତ ଉପରେ ନଜର ରଖୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦେଶକ ଓ ଡିନ୍ ଡା. ତ୍ରିଭୁବନ ମୋହନ ମହାପାତ୍ର। ଡା.ମହାପାତ୍ର ବିଏଚ୍ୟୁର ବିଶିଷ୍ଟ ପ୍ରଫେସର(ଜୀବନବ୍ୟାପୀ) ଥିବା ବେଳେ କିଟ୍ ଓ କିମ୍ସ ବିଶ୍ବବିଦ୍ୟାଳୟରେ ଦୁଇବର୍ଷ ପାଇଁ ପ୍ରୋ ଭିସି ଭାବେ ଦାୟିତ୍ବ ତୁଲାଇଥିଲେ। ଏପରିକି ଆଇସିଏମ୍ଆରର ଏମରିଟସ୍ ବୈଜ୍ଞାନକ ଓ ଅନେକ କମିଟିରେ ମଧ୍ୟ ସଦସ୍ୟ ରହିଥିଲେ। ତାଙ୍କର ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ସନ୍ଧର୍ଭ ପ୍ରକାଶ ପାଇଛି। ରାଜ୍ୟର କରୋନା ସଂପର୍କରେ ଡା.ମହାପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି ‘ସମ୍ବାଦ’ ପ୍ରତିନିଧି କ୍ଷିତୀଶ ରାୟ।
ଓଡ଼ିଶାରେ ଟିପିଆର ୬ ପ୍ରତିଶତ ଉପରେ ରହିଛି। ଦିନକୁ ଦିନ ଏହା ବଢ଼ି ଚାଲିଛି। ଏ ପରିସ୍ଥିତିରେ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ?
ରାଜ୍ୟ ସରକାର ଟେଷ୍ଟ, ଟ୍ରାକ୍, ଆଇସୋଲେଟ୍ ଓ ଟ୍ରିଟ୍ କରିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ତେବେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଓଡ଼ିଶାରେ ଅନେକ ସଙ୍ଗରୋଧ କେନ୍ଦ୍ରରୁ ଲୋକମାନେ ଖସି ଯାଉଥିବା ନଜରକୁ ଆସୁଛି। ସଙ୍ଗରୋଧ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଜୋରଦାର ପରୀକ୍ଷା କରିବାର ଆବଶ୍ୟକତା ଥିଲା। ସରକାର ଏଥିରେ ପଛେଇ ଯାଇଥିବା ନଜରକୁ ଆସୁଛି। ଏହାସହ ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଜୁରୁରୀ ଥିଲା।
ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ସତ୍ବେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ପଦକ୍ଷେପ ସଂପର୍କରେ ଆପଣଙ୍କ ମତ କ’ଣ?
ଲକ୍ଡାଉନ୍ ଓ ସଟ୍ଡାଉନ୍କୁ ପାଳନ କରିବାରେ ପ୍ରଶାସନିକ ଢିଲାପଣ ରହିଥିବାରୁ ଏଥିରୁ ସ୍ପଷ୍ଟ ହେଉଛି। ଏଥିରେ ସମସ୍ତଙ୍କ ପ୍ରତିବଦ୍ଧତା ରହିବା ଜରୁରୀ। ରାଜ୍ୟରେ ଅନେକ ଡାକ୍ତର କରୋନା ସଂକ୍ରମିତ ହେଉଛନ୍ତି। ସେମାନେ ନିଜର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉ ନ ଥିବା ଜଣାପଡ଼ୁଛି।
ଓଡ଼ିଶା ସରକାର କରୋନାକୁ ନେଇ ଦୁଇ ପ୍ରକାର ମୃତ୍ୟୁ ଦର୍ଶାଉଛନ୍ତି। ଏଭଳି ଦୁଇ ପ୍ରକାର ମୃତ୍ୟୁକୁ ଅନେକ ସନ୍ଦେହ ନଜରରେ ଦେଖୁଛନ୍ତି। ଏଭଳି ଦୁଇ ପ୍ରକାର ମୃତ୍ୟୁ ଦର୍ଶାଯିବାର ଯଥାର୍ଥତା କ’ଣ?
ଯଦି କୌଣସି ବ୍ୟକ୍ତିଙ୍କ ଅନ୍ୟ କୌଣସି ରୋଗ ରହିଛି ଓ ସଂପୃକ୍ତି ବ୍ୟକ୍ତି କରୋନା ସଂକ୍ରମିତ ହେଲେ ତାଙ୍କ ଶରୀରରେ ସାଇଟୋକାଇନ୍ ଷ୍ଟର୍ମ ସୃଷ୍ଟି ହୋଇଥାଏ। ଯାହାଫଳରେ ମଣିଷ ଶରୀରରେ ଯେଉଁ ରୋଗ ରହିଛି ତାହା ଅଧିକ ବଢ଼ି ଯାଇଥାଏ। ଏ ଦୃଷ୍ଟିରୁ କୋ-ମର୍ବିଡିଟି ରହିଥିବା ଲୋକମାନେ କରୋନା ପାଇଁ ଅଧିକ ସମ୍ବେଦନଶୀଳ ବୋଲି କୁହାଯାଉଛି। ତେଣୁ କରୋନାରେ ଦୁଇ ପ୍ରକାର ମୃତ୍ୟୁ ଦର୍ଶାଯିବାର କୌଣସି ଯଥାର୍ଥତା ନାହିଁ। ବରଂ ଦୁଇ ମୃତ୍ୟୁ ସଂଖ୍ୟାକୁ ମିଶାଇ ଗୋଟିଏ ମୃତ୍ୟୁ ବୋଲି ଦର୍ଶାଇଲେ ଗଣମାଧ୍ୟମ ଜରିଆରେ ଲୋକମାନେ ଅଧିକ ସଚେତନ ହୋଇପାରିବେ। ଏଭଳି ଦୁଇ ପ୍ରକାର ମୃତ୍ୟୁ ସଂଖ୍ୟା ଦର୍ଶାଇ ରାଜ୍ୟ ସରକାର କେବଳ ନିଜକୁ ନିଜେ ରକ୍ଷା କରୁଛନ୍ତି।
କରୋନା ପାଇଁ କୋ-ମର୍ବିଡ ରହିଥିବା ଲୋକମାନେ ଅଧିକ ସମ୍ବେଦନଶୀଳ। ଓଡ଼ିଶାରେ ଏଭଳି ଲକ୍ଷାଧିକ ସଂଖ୍ୟାରେ ଲୋକ ରହିଛନ୍ତି। ତେଣୁ ସେମାନେ ନିଜକୁ କିଭଳି କରୋନାଠାରୁ ରକ୍ଷା କରିପାରିବେ?
କେବଳ କର୍କଟ ରୋଗକୁ ବାଦ୍ ଦେଲେ ଅନ୍ୟ କୋ-ମର୍ବିଡ୍ ରୋଗକୁ ଜଣେ ନିୟନ୍ତ୍ରଣରେ ରଖିପାରିବ। ନିୟମିତ ବ୍ୟାୟାମ, ପ୍ରାଣାୟମ ଓ ଯୋଗ ଜରିଆରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେବ। ଯାହାଫଳରେ କରୋନା ସେତେଟା ପ୍ରଭାବୀ ହୋଇପାରିବ ନାହିଁ।
ରାଜ୍ୟର ମେଡିକାଲ କଲେଜରେ ଥିବା ଆଇସୋଲେସନ୍ ୱାର୍ଡରେ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି। ଆଡମିସନ୍ର କିଛି ଘଣ୍ଟା କିମ୍ବା ୨୪ଘଣ୍ଟା ବ୍ୟବଧାନରେ ମୃତ୍ୟୁ ହେଉଥିବା ନଜରକୁ ଆସୁଛି। ରୋଗୀଙ୍କୁ ଚିହ୍ନଟ କରିବାରେ ବିଳମ୍ବ ନା ଏହା ପଛର ଅନ୍ୟ କାରଣ ରହିଛି?
ଆରଟିପିସିଆର ପରୀକ୍ଷା ପାଇଁ ୫/୬ଘଣ୍ଟା ଲାଗିଥାଏ। ଏହାବାଦ୍ ଟ୍ରୁନାଟ୍ ଓ ରାପିଡ୍ ପରୀକ୍ଷା ମଧ୍ୟ କରାଯାଇ ଅଳ୍ପ ସମୟ ଭିତରେ ରିପୋର୍ଟ ମିଳିପାରିବ। ଆଇସୋଲେସନ୍ ୱାର୍ଡରେ ସଙ୍ଗେସଙ୍ଗେ ଚିକିତ୍ସାର ଆବଶ୍ୟକତା ରହିଛି। ରୋଗୀମାନଙ୍କ ସ୍ଥିତିକୁ ନଜରରେ ରଖି ସେହିଭଳି ଚିକିତ୍ସା ଦିଆଯିବା ଜରୁରୀ। ଏହାସହ ତୁରନ୍ତ କୋଭିଡ୍ ନମୁନା ରିପୋର୍ଟ ସଂଗ୍ରହ କରିବାକୁ ହେବ। ଗୁରୁତର ଥିବା ରୋଗୀଙ୍କୁ ଆଇସିୟୁ କିମ୍ବା ଏଚ୍ଡିୟୁକୁ ନେଇ ଚିକିତ୍ସା କରାଯିବା ଉଚିତ୍। ନମୁନା ପରୀକ୍ଷାରେ ବିଳମ୍ବ ଏକପ୍ରକାର ଅପରାଧ।
ଓଡ଼ିଶାରେ କରୋନାରେ କମ୍ ମୃତ୍ୟୁ ପଛର କାରଣ, ଭୂତାଣୁ କମ୍ ଭିରୁଲେଣ୍ଟ ନା ମୃତ୍ୟୁ ଠିକ୍ ଭାବେ ହିସାବକୁ ଅଣାଯାଉନାହିଁ?
ଗବେଷଣାରୁ ଏବେ ଓଡ଼ିଶାରେ ୫ ପ୍ରକାରର ଭୂତାଣୁକୁ ଚିହ୍ନଟ କରାଯାଇଛି। ତେବେ ଆଶ୍ଚର୍ଯ୍ୟ ଯେ, ୨୦ସି ଭୂତାଣୁ ଓଡ଼ିଶାରେ କେଉଁଠୁ ଆସିଲା। ପୂର୍ବରୁ ଏହା ଓଡ଼ିଶାରେ ଥିଲା କି? ଏହା ଦେଶର ଅନ୍ୟ ଅଞ୍ଚଳକୁ କାହିଁକି ଯାଇନାହିଁ ତାହାର ମଧ୍ୟ ଗବେଷଣା ହେବା ଦରକାର। ଏହାସହ ରାଜ୍ୟରେ ଅଧିକ ସଂଖ୍ୟାରେ କମ୍ ଲକ୍ଷଣ କିମ୍ବା ଲକ୍ଷଣ ନ ଥିବା ଲୋକ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଥିବାରୁ ସେମାନେ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି। ଫଳରେ କମ୍ ମୃତ୍ୟୁ ହୋଇଥାଇପାରେ। ନଚେତ୍ ଲୋକମାନେ ହୁଏତ କିଛି ସମୟ ଭିତରେ ନିଜର ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ କିଛି ପଦକ୍ଷେପ ନେଇଛନ୍ତି। ଏହାସହ ସବୁ କରୋନା ମୃତ୍ୟୁ ସରକାରୀ ହିସାବକୁ ଆସିପାରି ନ ଥାଇପାରେ।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁ ହୋଇଛି। ଏହି ଜିଲ୍ଲା ପାଇଁ ସରକାର ଆଉ କ’ଣ ପଦକ୍ଷେପ ନେଇପାରିଥାନ୍ତେ?
ରାଜ୍ୟ ସରକାର ହୁଏତ ଆରମ୍ଭରୁ କିଛି ମାତ୍ରାରେ ଢିଲା ହୋଇଯାଇଛନ୍ତି। ପ୍ରବାସୀଙ୍କୁ ଠିକ୍ରେ ସଙ୍ଗରୋଧରେ ରଖିବା ଆଇସୋଲେଟ୍ ଓ ଟ୍ରାକିଂ କରିବାର ଜରୁରୀ ଥିଲା। ସେ ସମୟରେ ଟ୍ରାକିଂ ହୋଇପାରିଥାନ୍ତା। ମାତ୍ର ବିଭିନ୍ନ ସୂତ୍ରରୁ ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ପାଇଛି। ସରକାର ଏହାକୁ ଯେତେ ମନା କଲେ ମଧ୍ୟ ତାହା ଗ୍ରହଣଯୋଗ୍ୟ ନୁହେଁ। ଗଞ୍ଜାମ ଜିଲ୍ଲା ଏଚ୍ଆଇଭି ମ୍ୟାପ୍ରେ ଆସୁଛି। ଗୁଜୁରାଟରୁ ସର୍ବାଧିକ ଲୋକ ଗଞ୍ଜାମକୁ ଆସିଥାନ୍ତି। ତେଣୁ ପ୍ରଥମରୁ ସରକାର ଏଥିପାଇଁ ସଜାଗ ହେବାର ଆବଶ୍ୟକତା ଥିଲା।
ରାଜ୍ୟରେ ଏବେ ୫୦ରୁ ଅଧିକ ଲ୍ୟାବ୍କୁ ପରୀକ୍ଷା ପାଇଁ ଆଇସିଏମ୍ଆର ପକ୍ଷରୁ ଅନୁମୋଦନ ମିଳିଛି। ସାଢ଼େ ୪ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଦୈନିକ କେତେ ସଂଖ୍ୟକ ପରୀକ୍ଷା ହେବାର ଆବଶ୍ୟକତା ରହିଛି?
ଓଡ଼ିଶାରେ ଅତିକମ୍ରେ ଦୈନିକ ୨୫ହଜାର ପରୀକ୍ଷା ହେବା ଜରୁରୀ। ଅନ୍ୟ ରାଜ୍ୟ ଗୁଡ଼ିକ ଅଧିକ ସଂଖ୍ୟାରେ ପରୀକ୍ଷା କରୁଛନ୍ତି। ତେଣୁ ରାଜ୍ୟର ପ୍ରତି ଲ୍ୟାବ୍ରେ ସେହି ଅନୁପାତରେ ପରୀକ୍ଷା କରିବା ଆବଶ୍ୟକ। ଅଧିକ ସଂଖ୍ୟାରେ ଟେକ୍ନିସିଆନ୍ ନିଯୁକ୍ତ କରାଯାଉ।
ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ତର୍କକୁ ଆପଣ କିଭଳି ଦେଖୁଛନ୍ତି?
ଗଞ୍ଜାମ ଓ ଭୁବନେଶ୍ବରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୋଧହୁଏ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ସଂପର୍କରେ ବିଶେଷ ସୂଚନା ନାହିଁ।