ସୋର: ବାଲେଶ୍ବର ଜିଲ୍ଲା ସୋର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗତ ଅଗଷ୍ଟ ମାସ ୧,୦୧୭ ଜଣ ଭୂମିହୀନଙ୍କୁ ଜାମା ମିସନ୍‌ ଯୋଜନାରେ ସରକାରୀ ଜମିପଟ୍ଟା ବଣ୍ଟନ କରାଯାଇଥିବା ​ବେଳେ ଚଳିତ ମାସ ୨ ତାରିଖ ଦିନ ୧,୦୧୩ ଜଣ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି। ହେଲେ ଜମିପଟ୍ଟା ପାଇଥିବା ଲୋକଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ଥିବା ଅଭିଯୋଗ ଆସୁଛି। ଏପରି ସମୟରେ ସୋରର ଅନେକ ଭୂମିହୀନ ଆଦିବାସୀ ପରିବାରଙ୍କ ପାଇଁ ସରକାରୀ ଜମିପଟ୍ଟା ବଣ୍ଟନ ପ୍ରହସନରେ ପରିଣତ ହୋଇଥିବା କୁହାଯାଉଛି।

Advertisment

ସୋର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ବାଘଆମ୍ପୁଡ଼ା ଗ୍ରାମର ଭୂମିହୀନ ଅର୍ଜୁନ ବିନ୍ଧାଣୀଙ୍କ ପତ୍ନୀ ଫୁଲମଣି ବିନ୍ଧାଣୀ ଦୀର୍ଘ ବର୍ଷ ହେବ ଜଙ୍ଗଲ ପାଦଦେଶରେ ପରିବାର ସହ ରହିଆସୁଛନ୍ତି। ବାରମ୍ବାର ଆବେଦନ କରୁଥିଲେ ବି ତାଙ୍କୁ ସରକାରୀ ଜମିପଟ୍ଟା ମିଳୁନି। ଫଳରେ ସେ ଆବାସ ଘର ପାଇବାରୁ ବଂଚିତ ଅଛନ୍ତି ଏବଂ ଭଙ୍ଗା ଚାଳଘରେ ଛୋଟ ପିଲାଙ୍କ ସହ ଦୁର୍ବିଷହ ଜୀବନ ଅତିବାହିତ କରୁଛନ୍ତି। ସେହିପରି ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମର ନନ୍ଦ ସିଂ ଦୀର୍ଘ ୪୦ ବର୍ଷ ହେବ ସରକାରୀ ଜାଗାରେ କୁଡ଼ିଆ କରି ରହିଛନ୍ତି। ବାରମ୍ବାର ଆବେଦନ ପରେ ବି ତାଙ୍କୁ ଜମିପଟ୍ଟା ଖଣ୍ଡେ ମିଳିପାରିନି। ତେଣୁ ଆବାସଟେ ବି ଜୁଟିନି। ଏପରିକି ସୋର ପୌରାଞ୍ଚଳ ଅଧୀନ ୭ ନମ୍ବର ୱାର୍ଡର କାଉନ୍‌ସିଲର ଦୁର୍ଗା ସିଂ ମଧ୍ୟ ଭୂମିହୀନ ଅଛନ୍ତି। ଯିଏ ପ୍ରଶାସନ ପାଖରେ ଲୋକଙ୍କ ଦାବି ଉଠାନ୍ତି, ସେ ନିଜେ ଅସହାୟ। ୩୦ ବର୍ଷରୁ ଅଧିକ ସମୟ ସରକାରୀ ଜାଗାରେ ରହୁଥିଲେ ବି ଜମିପଟ୍ଟା ଖଣ୍ଡେ ମିଳିଲାନି। ଯାହାଦ୍ବାରା ଆବାସ ଘର ସ୍ବପ୍ନ ପାଲଟିଛି। କେବଳ ଫୁଲମଣି, ନନ୍ଦ କି ଦୁର୍ଗା ନୁହଁନ୍ତି; ବ୍ଲକ୍‌ ଅଧୀନ ଗୋପୀନାଥପୁର ପଞ୍ଚାୟତ ସହ ସିଙ୍ଗାଖୁଣ୍ଟା, ମାଣିତ୍ରୀ, ମାଣିପୁର, ମୂଳିସିଂ, ଦହିସଡ଼ା ଆଦି ପଞ୍ଚାୟତରେ ଏମିତି ଅନେକ ଭୂମିହୀନ ଅଛନ୍ତି, ଯେଉଁମାନେ ଏଯାଏ ଜମିପଟ୍ଟା ପାଇନାହାନ୍ତି।

publive-image

ଏ ନେଇ ସୋର ତହସିଲଦାରଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇପାରିନି। ତେବେ ଭୂମିହୀନମାନେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କଠାରେ ଜମିପଟ୍ଟା ପାଇଁ ଆବେଦନ କରନ୍ତି। ଜିଲ୍ଲା ବନ ଅଧିକାରୀ ସ୍ୱୀକୃତି ଦେବା ପରେ ତହସିଲ ପକ୍ଷରୁ ଜମିପଟ୍ଟା ଦିଆଯାଏ। ଏ କ୍ଷେତ୍ରରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ବଡ଼ ଭୂମିକା ରହିଛି। ସେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସହାୟତା କଲେ ଅନେକ ଉପକୃତ ହୋଇପାରନ୍ତେ ବୋଲି ଜଣେ ତହସିଲ କର୍ମଚାରୀ ପ୍ରକାଶ କରିଛନ୍ତି।