ଆଇଆଇସି ନିର୍ମାଣ ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମିଳିପାରୁନାହିଁ ୨୫ ଏକର ଜାଗା

ସରକାରୀ ବିଭାଗୀୟ ଯୋଜନାରେ ଦିବ୍ୟାଙ୍ଗ ହେଉଛନ୍ତି ଉପକୃତ

ରାୟଗଡା: ରାଜ୍ୟରେ ଦିବ୍ୟାଙ୍ଗମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା, ସେମାନଙ୍କର ଉନ୍ନତି ଏବଂ ତାଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବହୁ ଯୋଜନା ପ୍ରଣୟନ କରାଯାଇଛି। ଅନୁରୂପ ଭାବେ ରାୟଗଡା ଜିଲ୍ଳାରେ ମଧ୍ୟ ଦିବ୍ୟାଙ୍ଗଙ୍କ କଲ୍ୟାଣ ନିମନ୍ତେ ଜିଲ୍ଳା ପ୍ରଶାସନ ସରକାରଙ୍କ ସମସ୍ତ ଯୋଜନା ଫଳପ୍ରଦ ଭାବେ କାର୍ଯ୍ୟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ରାୟଗଡା ଜିଲ୍ଳାରେ ମଧ୍ୟ ସରକାରୀ ବିଭାଗୀୟ ଯୋଜନାରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କ ଦକ୍ଷତା ବିକାଶ କରିବା ସହ ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଉପରେ କାର୍ଯ୍ୟ କରାଯାଉଥିବାରୁ ଉପକୃତ ହେଉଛନ୍ତି ଜିଲ୍ଳାର ଦିବ୍ୟାଙ୍ଗ ଭାଇଭଉଣୀମାନେ।

ରାୟଗଡା ଜିଲ୍ଳାରେ ମଧ୍ୟ ୨୫ଏକର ଜାଗାରେ ଇଂଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କଂପ୍ଳେକ୍ସ (ଆଇଆଇସି) ନିର୍ମାଣ ପାଇଁ ଜିଲ୍ଳା ପ୍ରଶାସନକୁ ଜାଗା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଦିନିକିଆ ରାୟଗଡା ଜିଲ୍ଳା ଗସ୍ତରେ ଆସି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରକାଶ କରିଥିଲେ। ତେବେ ଏହି କଂପ୍ଳେକ୍ସ ନିମନ୍ତେ ଆବଶ୍ୟକ ପଡୁଥିବା ୨୫ଏକର ଜାଗା ନିମନ୍ତେ ବିଭାଗୀୟ ଅଧିକାରୀ ତହସିଲଦାରମାନଙ୍କୁ ଚିଠି କରିଥିଲେ ସୁଦ୍ଧା କିଛି ଉତ୍ତର ମିଳି ନ ଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି କଂପ୍ଳେକ୍ସ ନିର୍ମାଣ ହେଲେ ବରିଷ୍ଠ ନାଗରିକ, ଦୃଷ୍ଟିବାଧିତ, ଶ୍ରବଣ ବାଧିତ ଓ ମାନସିକ ଭିନ୍ନକ୍ଷମ ରୋଗୀମାନଙ୍କୁ ଆଶ୍ରୟ ମିଳପାରିବ। ରାୟଗଡ଼ା ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜିଲ୍ଳାର ଜାତୀୟ ସାମାଜିକ ସହାୟତା ଯୋଜନା (ଏନଏସଏପି)ରେ ୪୮୧୮୪ଜଣ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ୨୩୮୮୦ ଜଣ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା, ୧୮୦୦ଜଣ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଆକାରରେ ସମୁଦାୟ ୭୩୮୬୪ଜଣ ହିତାଧିକାରୀ ଉପକୃତ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।

ସେହିପରି ମଧୁବାବୁ ପେନସନ୍ ଯୋଜନାରେ ଜିଲ୍ଳାର ୧୧ଗୋଟି ବ୍ଳକର ୭୬୧୭୮ଜଣ ହିତାଧିକାରୀ ଅନଲାଇନରେ ଯୋଡି ହୋଇଥିବା ବେଳେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ୨୦୨୩-୨୪ବର୍ଷରେ ୫୦୬ଜଣ ହିତାଧିକାରୀ ଡିବିଟି ମାଧ୍ୟମରେ ସହାୟତା ପାଇଛନ୍ତି। ଜିଲ୍ଳାରେ ଗତ ୨୦୨୩ ବର୍ଷ ଡିସେମ୍ବର ମାସ ୩୦ତାରିଖ ସୁଦ୍ଧା ୧୯୮୭୩ଜଣ ଅନଲାଇନ ମାଧ୍ୟମରେ ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର ପାଇଁ ନିଜ ନାମ ପଂଜୀକୃତ କରିଥିବା ବେଳେ ୧୧୮୯୨ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ଏବଂ ୭୦୮୨ଜଣଙ୍କ ଆବେଦନ ନାକଚ ହେବା ସହ ବଳକା ୮୯୯ଜଣଙ୍କ ପରିଚୟ ପତ୍ର ବଂଟନ ପାଇଁ ନିର୍ଦ୍ଧାରିତ ହୋଇ ରହିଥିବା ଜଣାପଡିଛି।

ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ବିଭାଗ ପକ୍ଷରୁ ବିଭିନ୍ନ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇ ଭିନ୍ନକ୍ଷମମାନଙ୍କୁ ସାମଗ୍ରୀ ବଂଟନ କରାଯାଉଛି। ସେହିପରି ଜିଲ୍ଳାରୁ ୧୦ଜଣଙ୍କୁ ବିବାହ ପ୍ରୋତ୍ସାହନ ଆର୍ଥିକ ରାଶି ବଂଟନ କରାଯାଇଥିବା ବେଳେ ସ୍ୱୀକୃତି ଯୋଜନାରେ ୧୮୩ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୧୨ଟି ଏସଏଚଜି ଗ୍ରୁପ୍ ଗଠନ କରାଯାଇଥିବା ବେଳେ କିନ୍ନର ପ୍ରମାଣ ପତ୍ର ନିମନ୍ତେ ୧୪୫ଜଣ ଆବେଦନ କରିଛନ୍ତି।ଏଥିସହ ୧୦୨ଜଣ କିନ୍ନରଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି।

ଆର୍ଥିକ ବର୍ଷ ୨୦୨୨-୨୩ରେ ୪୬୧ଜଣଙ୍କୁ ବାଣୀଶ୍ରୀ ବିଦ୍ୟାବୃତ୍ତି ପ୍ରଦାନ କରାଯାଉଥିବା ବେଳେ ଯୁକ୍ତ ୩ ତଥା ତଦୁର୍ଦ୍ଧ ପାଠ ପଢୁଥିବା ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ଥିବା ଦୃଷ୍ଟିବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଂଟନ କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଛି। ସେହିପରି ୧୯ଜଣ ହିତାଧିକାରୀଙ୍କୁ ଡିଆରଆଇ ଲୋନ ବାବଦକୁ ୨,୮୫,୦୦୦ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କ ବିକାଶ ନିମନ୍ତେ ଅନେକ ସରକାରୀ ଯୋଜନା ପ୍ରଣୟନ କରୁଥିବା ବେଳେ ଜିଲ୍ଳା ପ୍ରଶାସନ ପକ୍ଷରୁ ଯୋଜନାଗୁଡିକ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପଂହଚିବ ସେଥିପ୍ରତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସବୁବେଳେ ସଜାଗ ହୋଇ ରହିଛି ବୋଲି ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ପ୍ରକାଶ କରିଛନ୍ତି ।

 

ସମ୍ବନ୍ଧିତ ଖବର