ନରସିଂହପୁରରେ ଟର୍ଚ୍ଚ ଲାଇଟ୍‌ରେ ରୋଗୀ ସେବା

ଗୁରୁତର ରୋଗୀଙ୍କୁ ଅନ୍ଧାରରେ ଦିଆଗଲା ଅକ୍ସିଜେନ୍‌

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ସରକାରୀ ହସ୍ପିଟାଲରେ ଟର୍ଚ୍ଚ ଲାଇଟରେ ରୋଗୀ ସେବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଜି ସଂଧ୍ୟା ସାଢେ ସାତଟା ବେଳେ ବିଦ୍ୟୁତ କଟି ଯାଇଥିବା ବେଳେ ଡିଜି ବି ଅଚଳ ହୋଇ ପଡିଥିଲା। ଏଭଳି ସ୍ଥିତିରେ ରୋଗୀଙ୍କୁ ଟର୍ଚ୍ଚ ଲାଇଟ୍‌ ଜାଳି ଚିକିତ୍ସା କରିବାକୁ ପଡିଥିଲା। ନରସିଂହପୁର ଏରିଆ ହସ୍ପିଟାଲ ଉପରେ ଅଞ୍ଚଳର ୩୭ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ନରସିଂହପୁର ଅଞ୍ଚଳରେ କିଡନୀ ରୋଗ ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି। କିନ୍ତୁ ହସ୍ପିଟାଲର ଭିତ୍ତିଭୂମି ସୁଧୁରିବା ବଦଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଆଜି ପାଖାପାଖି ପନ୍ଦର ମିିନିଟ୍‌ରୁ ଅଧିକ ସମୟ ବିଦ୍ୟୁତ ନ ଆସିବାରୁ ଗୁରୁତର ରୋଗୀ ସମସ୍ୟାରେ ପଡିଥିଲେ। କମଳାଡିହ ଅଞ୍ଚଳର କାଶୀନାଥ ବେହେରା (୬୫) ଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ବାଧ୍ୟ ହୋଇ ତାଙ୍କୁ ଟର୍ଚ୍ଚ ଜଳାଇ ଅକ୍ସିଜେନ ଦେବାକୁ ପଡିଥିଲା। ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ରୋଗୀ ସଂପର୍କୀୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର