ସମବାୟ ବ୍ୟାଙ୍କରୁ ଋଣ ମିଳୁନି: ଚିନ୍ତାରେ ଲକ୍ଷାଧିକ ଚାଷୀ

ସେପଟେ ପୁରସ୍କାର, ଏପଟେ ତିରସ୍କାର!

ସୁନ୍ଦରଗଡ଼ : କୃଷି ଋଣ, ସ୍ବଳ୍ପ ମିଆଦି ଋଣ, ସ୍ବୟଂ ସହାୟକ ଗୋଷ୍ଠୀ ବା ମିଳିତ ଦେୟ ଗୋଷ୍ଠୀ ତଥା ଆର୍ଥିକ ଅନ୍ତର୍ଭୁକ୍ତିରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କକୁ ଜାତୀୟ ସ୍ବତନ୍ତ୍ର କମମେମୋରିଟିଭ୍‌ ପୁରସ୍କାର ମିଳିଛି। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଗତ ଜୁଲାଇ ୧୨ରେ ଭର୍ଚୁଆଲ ମିଟ୍‌ରେ ଏହି ସମ୍ମାନ ପ୍ରଦାନ କରିଛି। ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବର୍ଗରେ ସର୍ବ ଭାରତୀୟସ୍ତରରେ ରାଜ୍ୟରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ବ୍ୟାଙ୍କ ଏହି ପୁରସ୍କାର ହାସଲ କରିଛି। କିନ୍ତୁ ଏହି ସମ୍ମାନ କେବଳ ଏକ କାଚଫ୍ରେମ ବନ୍ଧେଇ ସାର୍ଟିଫିକେଟ ହୋଇ ରହିଯାଇଛି। କାରଣ ଅଭିଯୋଗ ହେଉଛି ଯେ ଶ୍ରେଷ୍ଠତ୍ବ ପ୍ରଦର୍ଶନ ସତ୍ତ୍ବେ ସୁନ୍ଦରଗଡ଼ ବ୍ୟାଙ୍କ ପ୍ରତି ରାଜ୍ୟ ସମବାୟ ବ୍ୟାଙ୍କ ବୈମାତୃକ ମନୋଭାବ ପରିହାର କରିନାହିଁ। ବ୍ୟାଙ୍କ ପାଇବାକୁ ହକଦାର ଥିବା ୮୫୦ କୋଟି ପୁନଃଲଗାଣ ଋଣ (ରିଫାଇନାନ୍ସ) ରାଜ୍ୟ ବ୍ୟାଙ୍କ ବନ୍ଦ ରଖିଛି।

୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୮୫୦ କୋଟିର ଏହି ରିଫାଇନାନ୍ସକୁ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ନିଜ ପାଖରେ ପକାଇ ରଖିଛି। ଏହା ପଛରେ ରାଜ୍ୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ବଡ଼ ଭୂମିକା ରହିଥିବା ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଭବାନୀ ମାଝୀ ଅଭିଯୋଗ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ରିଫାଇନାନ୍ସ‌ର ୫୦ ପ୍ରତିଶତ ଅଂଶ ପ୍ରଦାନ କରୁଥିବା ନାବାର୍ଡ ମଧ୍ୟ ରାଜ୍ୟ ସମବାୟ ବ୍ୟାଙ୍କର ଏ ମନମାନୀ ପ୍ରତି ନିରବ ରହିଛି। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କର ରିଫାଇନାନ୍ସ ପାଇଁ ଥିବା ନାବାର୍ଡର ୫୦ ପ୍ରତିଶତ ଅର୍ଥକୁ ମଧ୍ୟ ରାଜ୍ୟ ସମବାୟ ବ୍ୟାଙ୍କ ନିଜ ପାଖରେ ରଖିନେଇଛି। ବର୍ଷେ ଧରି ରିଫାଇନାନ୍ସ ନପାଇ ମଧ୍ୟ ଋଣ ପ୍ରଦାନ ଓ ଅନ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ନାବାର୍ଡ ସୁନ୍ଦରଗଡ଼ ବ୍ୟାଙ୍କକୁ ଏବେ ଶ୍ରେଷ୍ଠ ବ୍ୟାଙ୍କର ମାନ୍ୟତା ଦେଇଛି। ଏଥିରେ ନାବାର୍ଡ ହସ୍ତକ୍ଷେପ କରି ରିଫାଇନାନ୍ସର ୫୦ ପ୍ରତିଶତ ଅଂଶ ସୁନ୍ଦରଗଡ଼ ବ୍ୟାଙ୍କକୁ ସିଧାସଳଖ ପ୍ରଦାନ କରିବା ଉଚିତ ଓ ସୁନ୍ଦରଗଡ଼ର ଆଦିବାସୀ ଚାଷୀଙ୍କ ସ୍ବାର୍ଥ ପାଇଁ ଏହା ଅତ୍ୟନ୍ତ ଜରୁରୀ ହୋଇଥିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

Ommcom News

ବିଗତ ବର୍ଷମାନଙ୍କରେ ଜିଲ୍ଲାର ଚାଷୀମାନଙ୍କୁ ସମୟୋଚିତ ଓ ଚାହିଦା ମୁତାବକ କୃଷି ଋଣ ଯୋଗାଇ ସାରା ରାଜ୍ୟରେ ଶୀର୍ଷସ୍ଥାନ ଅଧିକାର କରି ଆସିଥିବା ଏହି ବ୍ୟାଙ୍କ ଚଳିତ ଖରିଫ ଋଣରେ ଏକ ପ୍ରକାର ହାତ ଟେକି ଦେଇଛି। ଫଳରେ ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ର ଲକ୍ଷାଧିକ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ରାଜ୍ୟ ସମବାୟ ବ୍ୟାଙ୍କ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କକୁ ପୁନଃ ଋଣ ଲଗାଣ (ରିଫାଇନାନ୍ସ) ବନ୍ଦ କରିବା ପଛରେ ଜିଲ୍ଲା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶଚନ୍ଦ୍ର ଦାସଙ୍କୁ ହଟାଇବା ଜିଦ୍‌ ଏକମାତ୍ର କାରଣ ବୋଲି କୁହାଯାଉଛି। ପ୍ରକାଶଯୋଗ୍ୟ, ୨୦୦୬ ଅପ୍ରେଲ ୧୩ ତାରିଖରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ତତ୍କାଳୀନ ସିଇଓ ଗୋପବନ୍ଧୁ ଶତପଥୀ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜମେଣ୍ଟକୁ ଅନ୍ଧାରରେ ରଖି ରାଉ‌ରକେଲା ଶାଖାକୁ ସ୍ବତନ୍ତ୍ର ଆର୍ଥିକ କ୍ଷମତା ଦେଇଥିଲେ। ଏହାର ଫାଇଦା ନେଇ ୧୦ କୋଟିର ଅନିୟମିତତା କରିଥିଲେ ବ୍ୟାଙ୍କ ଅଧିକାରୀ। ଏହାକୁ ସ୍ପେଶାଲ ଅଡିଟ୍‌ ଧରିଥିଲା। ସେତେବେଳେ ବ୍ୟାଙ୍କ ଶାଖା ପରିଚାଳକ ସୁବାସଚନ୍ଦ୍ର ରଥ ଓ ହିସାବ ରକ୍ଷକ ନିତ୍ୟାନନ୍ଦ ନାୟକ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ସହ ନିଲମ୍ବିତ ହୋଇଥିଲେ। କିନ୍ତୁ ତତ୍କାଳୀନ ସିଇଓ ଗୋପବନ୍ଧୁ ଶତପଥୀଙ୍କୁ ତଦନ୍ତ ପରିସରକୁ ଆଣି ନଥିଲା ଭିଜିଲାନ୍ସ।

ଏହି ଆର୍ଥିକ ଅନିୟମିତତାରେ ଶ୍ରୀ ଶତପଥୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ସଭାପତି ଶ୍ରୀ ମାଝୀ। ଏପଟେ ଶ୍ରୀ ଶତପଥୀ ରାଉରକେଲା ବ୍ୟାଙ୍କକୁ ଦେଇଥିବା ସ୍ବତନ୍ତ୍ର ଆର୍ଥିକ କ୍ଷମତାକୁ ୨୦୨୦ ନଭେମ୍ବର ୧୩ରେ ବର୍ତ୍ତମାନର ସିଇଓ ସୁରେଶଚନ୍ଦ୍ର ଦାସ ରଦ୍ଦ କରି ଦେଇଛନ୍ତି। ଶ୍ରୀ ଶତପଥୀ ୨୦୨୦ ଜୁଲାଇ ୧ରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗ ଦେବା ପରଠାରୁ ସୁନ୍ଦରଗଡ଼ ବ୍ୟାଙ୍କର ସ୍ବାର୍ଥ ପରିପନ୍ଥୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ସମବାୟ ବ୍ୟାଙ୍କ ରେଜିଷ୍ଟ୍ରାରଙ୍କ ଅନୁମୋଦନ ଲଭି ନଥିବା ଦର୍ଶାଇ ସିଇଓ ଶ୍ରୀ ଦାସଙ୍କ ନିଯୁକ୍ତି ଉପରେ ପ୍ରଶ୍ନ କରିବା ସହ ବ୍ୟାଙ୍କ ପାଣ୍ଠିର ଅପବ୍ୟବହାର ତଥା ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ତାଙ୍କ ନିଲମ୍ବନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସିଇଓ ଶ୍ରୀ ଦାସ ହାଇକୋର୍ଟଙ୍କ ରହିତାଦେଶ ଆଣି କାର୍ଯ୍ୟ କରୁଛନ୍ତି। ଏହା ପରଠାରୁ ସୁନ୍ଦରଗଡ଼ ବ୍ୟାଙ୍କକୁ ରିଫାଇନାନ୍ସ ବନ୍ଦ କରିଦିଆଯାଇଛି। ଏପରିକି ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡି.ବି. ଜେନାଙ୍କ ସମୟରେ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳରେ ବ୍ୟାଙ୍କର ଦ୍ବିତୀୟ ବରିଷ୍ଠ ଅଧିକାରୀଙ୍କ ଦସ୍ତଖତରେ ଦିଆଯାଉଥିବା ରିଫାଇନାନ୍ସ ଧାରାକୁ ବି ସେ ରଦ୍ଦ କରି ଦେଇଛନ୍ତି। ଯେଉଁଥିପାଇଁ ଚଳିତ ଖରିଫ ଋତୁରେ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ସ୍ବାର୍ଥ ବଳି ପଡ଼ିଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର