ପୁରୀ : ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ତଥା ନୀତି ସଂପୃକ୍ତ ସେବାୟତଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧାକାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଏହି ପ୍ରସ୍ତାବକୁ ଆଜି ସୁଆର ମହାସୁଆର ନିଯୋଗ ସହମତି ଦେଇଛି। ପୁରୀ ସହରରେ ବଢ଼ି ଚାଲିଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ବରାଦି ଅବଢ଼ା ରନ୍ଧାକାର୍ଯ୍ୟ ବନ୍ଦ ରଖାଯାଇଛି ବୋଲି ନିଯୋଗ ଗଣମାଧ୍ୟମ ଆଗରେ କହିଛି। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ସ୍ବଳ୍ପ ପରିମାଣର ଅବଢ଼ା ପ୍ରସ୍ତୁତି ହେବ। ବାହାର ଲୋକଙ୍କ ପାଇଁ ବରାଦି ଅବଢ଼ା ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ବୋଲି ନିଯୋଗ କହିଛି। ଅନ୍ୟପଟେ ଶ୍ରୀମନ୍ଦିରକୁ କରୋନା ସଂକ୍ରମଣଠାର ଦୂରେଇ ରଖିବା ପାଇଁ ମନ୍ଦିର ପ୍ରଶାସନ ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଉଛି।
ଏ ସଂପର୍କରେ ନିଯୋଗ ପକ୍ଷରୁ ଆଜି ଶ୍ରୀମନ୍ଦିର ପରିସର ନିଯୋଗ କାର୍ଯ୍ୟାଳୟରେ ଏକ ବୈଠକ ଡକାଯାଇଥିଲା। ମହାପ୍ରସାଦ ଦୋକାନୀ, ମୁନିବମାନଙ୍କୁ ନେଇ ବୈଠକ ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ବରାଦି ଅବଢ଼ା ବନ୍ଦ ରଖାଯାଇଛି ବୋଲି ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ପ୍ରତିହାରୀ କହିଛନ୍ତି, ପୂର୍ବରୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ବହୁ ଲୋକ ଅବଢ଼ା ବରାଦ ଦେଉଥିଲେ। କରୋନା ପାଇଁ ଏହି ବରାଦି ଅବଢ଼ା ରନ୍ଧାରେ ରୋକ୍ ଲଗାଯାଇଛି। ଜିଲ୍ଲା ବାହାର ଲୋକଙ୍କ ପାଇଁ ଯେଉଁ ବରାଦି ଅବଢ଼ା ରନ୍ଧା ହେଉଥିଲା, ତାକୁ ବନ୍ଦ କରି ଦିଆଯାଇଛି। ମହାଳୟା ସହ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି କେବଳ ପୁରୀ ସହରର ଲୋକେ ଓ ସେବାୟତ ପରିବାରଙ୍କ ପାଇଁ ସ୍ବଳ୍ପ ପରିମାଣର ଅବଢ଼ା ପ୍ରସ୍ତୁତି ହେବ। ଦୈନିକ ହଜାରେରୁ ଦେଢ଼ହଜାର ଲୋକଙ୍କ ପାଇଁ ଅବଢ଼ା ରନ୍ଧା ହେବ। ଅତି ବେଶି ହେଲେ ଜଣଙ୍କୁ ୫୦ରୁ ଶହେ ଜଣଙ୍କ ପାଇଁ ଅବଢ଼ା ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି। ଅନ୍ୟପଟେ ବୋଝିଆ, ପାଣିଆ, ପରିବା କଟାଳି ଆଦିଙ୍କ ସଂଖ୍ୟା ବି ସୀମିତ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/puri-abhada.jpg)