ପାରଳାଖେମୁଣ୍ଡି : ନାହିଁ ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଶବ ବୁହା

ପାରଳାଖେମୁଣ୍ଡି : ଆଉ ଦାନ ମାଝିର କାହାଣୀ ପୁନରାବୃତ୍ତି ହେବନି। କିମ୍ବା ଶେଷଯାତ୍ରା ବେଳେ ଶବକୁ ଅସମ୍ମାନ କରାଯିବନି। ସେଥିପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଯାନର ବ୍ୟବସ୍ଥା ହୋଇଛି। ତଥାପି ଶେଷଯାତ୍ରା ବେ‌ଳେ ଶବକୁ ସମ୍ମାନ ଟିକିଏ ମିଳିପାରୁନି। କେଉଁଠି ରିକ୍‌ସା ତ କେଉଁଠି ବାଇକ୍‌ରେ ଶବ ବୁହା ଚାଲିଛି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ ପରେ ପରିବାର ଲୋକେ ବାଇକ୍‌ ଯୋଗେ ୭ କିଲୋମିଟର ଶବକୁ ବୋହି ନିଜ ଗ୍ରାମକୁ ନେଇଥିବା ଦେଖିବାକୁ ମିଳିଥିଲା। ତେବେ ଏ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ନିବେଦିତା ସାହୁଙ୍କୁ ଯୋଗାଯୋଗ ପରେ ଶବ ନେବା ପାଇଁ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡ଼ି କିମ୍ବା କୌଣସି ସୁବିଧା ନଥିବା କହିଛନ୍ତି। ପରିବାରବର୍ଗ ନିଜ ଇଚ୍ଛାରେ ଶବ ନେଇ ପାରିବେ।

ସୂଚନା ପ୍ରକାରେ, ନୂଆଗଡ଼ ଗ୍ରାମର ଉପସ୍ଥିତ ବେବର୍ତାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହେବା ଯୋଗୁଁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାରବର୍ଗ ଆଣିଥିଲେ। ଚିକିତ୍ସା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଦୁଃଖର ବିଷୟ ଶବକୁ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ମୃତକଙ୍କ ପରିଜନ ଶବକୁ ବାଇକ୍‌ରେ ମଝିରେ ବସାଇ ନେଉଥିବା ଚିତ୍ର ଦେଖିବାକୁ ମିଳିଥିଲା। ଅସଲରେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗଜପତି ଜିଲ୍ଲାରେ ଏକ ନମ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଲିକାରେ। ହେଲେ ଏଠାରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ନଥିବା ଯୋଗୁଁ ପୂର୍ବରୁ ଏଭଳି ଅନେକ ଥର ଅଭିଯୋଗ ମଧ୍ୟ ଆସିଥିଲା। ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର