ମିଳିଲାନି ମହାପ୍ରୟାଣ ଗାଡ଼ି; ଡ୍ରାଇଭର ସାଜିଲେ ପୁଲିସ୍ ଏସଆଇ, ସ୍ବର୍ଗଧାମ ରଥରେ ନେଇ ମୃତଦେହ ସତ୍କାର 

ରାୟଗଡ଼ା: ଶେଷ ଯାତ୍ରା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ବହୁ ଖୋଜାଖୋଜି ପରେ ଯୋଗାଡ଼ ହେଲା ଘରୋଇ ସ୍ବର୍ଗଧାମ ରଥ। ହେଲେ ସ୍ବର୍ଗଧାମ ରଥ ଚଲାଇବାକୁ ମିଳିଲେନି ଡ୍ରାଇଭର। ନିଜେ ଡ୍ରାଇଭର ସାଜି ପୁଲିସ୍ ଏସଆଇ ସ୍ବର୍ଗରଥକୁ ଚଲାଇ ଶ୍ମଶାନକୁ ନେଇ ଅଜଣା ବ୍ୟକ୍ତିର ମୃତଦେହକୁ ସତ୍କାର କରିଛନ୍ତି। ଅଜଣା ବ୍ୟକ୍ତିର ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ରାୟଗଡ଼ା ଥାନାର ଏସଆଇ ସୁଶାନ୍ତ କୁମାର ଶତପଥୀ।

ଗତ ୨୧ ତାରିଖରେ ରାୟଗଡ଼ା ସହରର ସ୍ବାଗତ ହୋଟେଲ୍ ଲାଇନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଥିଲା। ରାୟଗଡ଼ା ଥାନା ପୁଲିସ୍ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ମୃତ ବ୍ୟକ୍ତିଙ୍କ ଶବ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ହୋଇଥିଲା। ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାରୁ ଚିହ୍ନଟ ପାଇଁ ମୃତଦେହକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ୩ ଦିନ ପରେ ମଧ୍ୟ ମୃତବ୍ୟକ୍ତିଙ୍କ କେହି ଦାବିଦାର ନ ଆସିବାରୁ ପୁଲିସ୍ ଶବ ସତ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ଆବଶ୍ୟକ ସମସ୍ତ ତଦନ୍ତ ପରେ ଅପମୃତ୍ୟୁ ମାମଲାର ତଦନ୍ତ କରୁଥିବା ରାୟଗଡ଼ା ଥାନାର ଏସଆଇ ଜୟସ୍ମିତା ବେହେରା ମୃତଦେହ ସତ୍କାର ପାଇଁ ନେବାକୁ ମହାପ୍ରୟାଣ ଗାଡ଼ି ଯୋଗାଇବାକୁ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ। କିନ୍ତୁ ମହାପ୍ରୟାଣ ଗାଡ଼ି ଅନ୍ୟତ୍ର ଚାଲିଯାଇଥିବାରୁ ଶବ ସତ୍କାରରେ ବିଳମ୍ବ ହେଉଥିଲା।

ଖବର ପାଇ ରାୟଗଡ଼ା ଥାନାର ଏସଆଇ ସୁଶାନ୍ତ କୁମାର ଶତପଥୀ ମେଡ଼ିକାଲରେ ପହଞ୍ଚି ଘରୋଇ ସ୍ବର୍ଗଧାମ ରଥ ପାଇଁ ବିଭିନ୍ନ ସଂଗଠନ ସହ ଯୋଗାଯୋଗ କରିଥିଲେ। ଘରୋଇ ସ୍ବର୍ଗଧାମ ରଥ ମିଳିଥିଲେ ମଧ୍ୟ ଚଲାଇବାକୁ ଡ୍ରାଇଭର ନଥିବାରୁ ପୁଲିସ୍ ଚିନ୍ତାରେ ପଡିଥିଲା। ଶେଷରେ ପୁଲିସ୍ ଏସଆଇ ଶତପଥୀ ନିଜେ ସ୍ବର୍ଗଧାମ ରଥ ଚଲାଇବା ସହ ନିଜ ହାତରୁ ଗାଡିରେ ତେଲ ପକାଇ ମେଡ଼ିକାଲକୁ ଆଣିଥିଲେ। ପୌର କର୍ମଚାରୀଙ୍କ ସହାୟତାରେ ମେଡ଼ିକାଲରୁ ମୃତଦେହ ନେଇ ଶ୍ରୀ ଶତପଥୀ ବ୍ରାହ୍ମଣ ସାହି ଶ୍ମଶାନରେ ଶେଷକୃତ୍ୟ କରିଥିଲେ। ଶେଷକୃତ୍ୟ ସଂପନ୍ନ ହେବା ପରେ ଶ୍ମଶାନରୁ ପୁଣି ଗାଡ଼ି ନେଇ ଘରୋଇ ସଂଗଠନକୁ ପ୍ରଦାନ କରିଥିଲେ। ପୁଲିସ୍ ଏସଆଇ ଶ୍ରୀ ଶତପଥୀଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର