ଚା’ ପିଉଥିଲେ ଟଳି ପଡ଼ିଲେ, ବାଇକ୍‌ରେ ବୁହା ହେଲା ଶବ

ଜଗନ୍ନାଥପ୍ରସାଦ : ମହାପ୍ରୟାଣ ଗାଡ଼ି ନଥିବାରୁ ବାଇକ୍‌ରେ ଦେଢ଼ କିଲୋମିଟର ଦୂର ବୁହା ହେଲା ଶବ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, ଜଗନ୍ନାଥପ୍ରସାଦ ବ୍ଲକ୍ ଜିରାବାଡ଼ିର ନୀଳମାଧବ ପ୍ରଧାନ (୭୦) ଗାଁ ଛକରେ ଚା’ ପିଉଥିଲେ। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଗଲେ। ଗ୍ରାମବାସୀ ଦମକଳବାହିନୀ ସହାୟତାରେ ତାଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାରବର୍ଗ ଡାକ୍ତରଖାନାରେ ପହଞ୍ଚି ଶବକୁ ଘରକୁ ନେବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନଥିବା କୁହା ଯାଇଥିଲା। ଘର ଲୋକ ଅଟୋ ଚାଳକଙ୍କୁ ଶବ ନେବାକୁ ପଚାରିଥିଲେ। କିନ୍ତୁ ଚାଳ କଜଣକ ମାତ୍ର ଦେଢ଼ କିଲୋମିଟର ରାସ୍ତାକୁ ୨୦୦୦ ଟଙ୍କା ଭଡ଼ା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ସଂପର୍କୀୟ ହରିକୃଷ୍ଣ ବିଷୋୟୀ ଓ ଜ୍ବାଇଁ ଅରୁଣ କୁମାର ନାୟକ ଶବକୁ ବାଇକ୍ ମଝିରେ ବସାଇ ଘରକୁ ଆଣିଥିଲେ। କିଛି ଅଞ୍ଚଳବାସୀ ଏହାର ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ। ଗ୍ରାମରେ ଶବ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ମୃତକ ନୀଳମାଧବଙ୍କ ୨ ପୁଅ ରାଜ୍ୟ ବାହାରେ ଅଛନ୍ତି। ଗାଁରେ ଶୋକାକୁଳ ପରିବେଶରେ ଶବ ସଂସ୍କାର କରାଯାଇଛି।

ଏ ନେଇ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦାସ କିରଣ କୁମାରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ନଥିବାରୁ ଶବକୁ ପରିବାରବର୍ଗ ନିଜ ବ୍ୟବସ୍ଥାରେ ଏଠାରୁ ନେଉଛନ୍ତି। ୧୦୨ ଓ ୧୦୮ ଆମ୍ବୁଲାନ୍ସ୍‌ରେ ଶବ ବୋହିବା ସରକାରୀ ନିୟମ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଶବବୁହା ଗାଡ଼ି ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର