ବଜାର ନାହିଁ: ଓଡ଼ିଶା ମକା ଉପରେ ପଡିଶାର ଆଖି

ଗାଁ ଗାଁରେ ମାତିଛନ୍ତି ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ଦଲାଲ

କୋରାପୁଟ: କୋରାପୁଟ ଜିଲ୍ଲାରେ ମକା ଉତ୍ପାଦନ ବଢ଼ିଛି, କିନ୍ତୁ ବିକ୍ରି ପାଇଁ ବଜାର ନଥିବାରୁ ପଡୋଶୀ ଦୁଇ ରାଜ୍ୟ ଆନ୍ଧ୍ର ଓ ଛତିଶଗଡର ଏବେ ନଜର ପଡ଼ିଛି। କୋରୋପୁଟରେ ହେକ୍ଟର ପିଛା ପ୍ରାୟ ୩୦ରୁ ୩୬ କୁଇଣ୍ଟାଲ ମକା ଉତ୍ପାଦନ ହେଉଛି। ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନଠାରୁ ଢେର ଅଧିକ। କିନ୍ତୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରୋସେସିଂ ୟୁନିଟ୍‌ ନାହିଁ। ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ  ରହିଥିବାବେଳେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ମିଳୁନଥିବାରୁ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ କୋରାପୁଟ ଜିଲ୍ଲାର ଜୟପୁର, ପଟାଙ୍ଗୀ, କୋରାପୁଟ, ବୋରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ, ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ମାତିଛନ୍ତି ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ଦଲାଲ।

ଚଳିତ ଋତୁରେ କୋରାପୁଟ ଜିଲ୍ଲାର ୧୪ ବ୍ଲକରେ ପାଖାପାଖି ୨୨ ହଜାର ହେକ୍ଟର ଜମ‌ିରେ କରାଯାଇଥିଲା ମକା ଫସଲ। ପାଖାପାଖି ୬ ଲକ୍ଷ ୫୮ ହଜାର ୨୬୦ କୁଇଣ୍ଟାଲ ମକା ଅମଳ ହୋଇଛି। ସରକାର ମାତ୍ର କାଁ ଭାଁ ଚାଷୀଙ୍କଠାରୁ ଏକ ଲକ୍ଷ ୯୭ହଜାର କୁଇଣ୍ଟାଲ ମକା କିଣିବାକୁ ଯୋଜନା ହୋଇଛି। ବାକି ୪ ଲକ୍ଷ ୬୦ ହଜାର କୁଇଣ୍ଟାଲ ମକା ଅଭାବୀ ବିକ୍ରୀ ହେବା ଆଶଙ୍କା କରାଯାଉଛି। ତଥ୍ୟ ଅନୁସାରେ, କୋରାପୁଟର ପାହାଡ଼ିଆ ଏବଂ ଢିପ ଜମି ଥିବା କୋରାପୁଟ ଜିଲ୍ଲାର ଜୟପୁର, ପଟାଙ୍ଗୀ, କୋରାପୁଟ, ବୋରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ, ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ସର୍ବାଧିକ ମକା ଉତ୍ପାଦନ ହେଉଛି। ଅନ୍ୟ ବ୍ଲକରେ ମଧ୍ୟ ଏହି ଚାଷ ଆରମ୍ଭ ହୋଇଛି।

ତଥ୍ୟ ଅନୁସାରେ ୨୦୧୭ରେ ୨.୪୭ ଲକ୍ଷ ହେକ୍ଟର ଜମିରେ ୭.୨୯ ଟନ୍‌ ମକା ଉତ୍ପାଦିତ ହୋଇଥିବାବେଳେ ୨୦୧୮ରେ ୨.୫୧ ଲକ୍ଷ ହେକ୍ଟର ଜମିରେ ୭.୫୨ ଲକ୍ଷ ଟନ୍‌, ୨୦୧୯ରେ ୨.୫୪ ଲକ୍ଷ ହେକ୍ଟର ଜମିରେ ୭.୬୩ ଲକ୍ଷ ମେଟ୍ରିକ ଟନ୍‌ ମକା ଉତ୍ପାଦିତ ହୋଇଛି। ସମୁଦାୟ ଉତ୍ପାଦନର ୯୦ରୁ ୯୫ ପ୍ରତିଶତ ବର୍ଷା ଋତୁ ଏବଂ ୫ରୁ୬ ପ୍ରତିଶତ ରବି ଋତୁରେ ହେଉଛି। ମକା ବିହନ ପାଇଁ ଚାଷୀ କମ୍ପାନି ବିହନ ଉପରେ ର୍ନିଭର କରୁଛନ୍ତି। ୨୦୧୯ରେ ଓୟୁଏଟି ପ୍ରଥମ କରି କଳିଙ୍ଗରାଜ ବିହନ ଚାଷୀକୁ ଦେଇଥିଲା। ଏହି ବିହନକୁ ରାଜ୍ୟ ସରକାର ବିହନ କମିଟି ଅନୁମୋଦିତ କରିବା ସହିତ ୨୦୨୦ରେ କେନ୍ଦ୍ର ସରକାର ଏହାକୁ ଗେଜେଟ୍‌ ନୋଟିଫିକେସନ କରିଛନ୍ତି।

ଗବେଷଣା ବେଳେ କଳିଙ୍ଗରାଜ ହେକ୍ଟର ପିଛା ପ୍ରାୟ ୭୯ କୁଇଣ୍ଟାଲ ମକା ଦେଉଛି । ପଟାଙ୍ଗି ଏବଂ ହରିୟାଣାରେ ଏହାର ପରୀକ୍ଷଣ ହୋଇ ଭଲ ଫଳ ଦେଇଛି। ଏହି ବିହନ ମରୁଡ଼ିକୁ ସହ୍ୟ କରିପାରୁଥିବାରୁ ଚାଷୀ ଲାଭାନ୍ୱିତ ହେଉଥିବା ଓୟୁଏଟି ପକ୍ଷରୁ କୁହାଯାଇଛି। ଖୁବ୍‌ଶୀଘ୍ର ଆଉ ୩ଟି କିସମର ବିହନ ପାଇଁ ପରୀକ୍ଷା କରାଯାଉଛି। ଏଥିରୁ ଗୋଟିଏ କିସମର ଅନୁମୋଦନ ପାଇଁ ସେପ୍ଟେମ୍ବର ମାସରେ ଆବେଦନ କରାଯିବ । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ମକା ଉପରେ ଆଖିପକାଇଛି ପଡୋଶୀ ଆନ୍ଧ୍ର ଓ ଛତିଶଗଡ। ବିଭିନ୍ନ ବ୍ଲକରେ ହୋଇଥିବା ଉତ୍ପାଦନକୁ ଗାଁକୁ ଗାଁ ବୁଲି ମାଫିଆମାନେ କେଜି ପ୍ରତି ୮ରୁ୯  ଟଙ୍କାରେ ମକା କିଣି ନେଉଛନ୍ତି। ଏହାକୁ ଦୁଇଗୁଣା ଦରରେ ବିକ୍ରି କରୁଛନ୍ତି।

କେନ୍ଦ୍ର ସରକାରଙ୍କ ଅନୁମୋଦନ ଅନୁସାରେ, ୨୦୨୧-୨୨ରେ କୁଇଣ୍ଟାଲ ପିଛା ମକା ଚାଷରେ ୧୨୪୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)୧୮୭୦ ଟଙ୍କା ଧାର୍ଯ୍ୟ ହୋଇଛି । ଗତ ବର୍ଷ  କରୋନା ଏବଂ ଲକଡ଼ାଉନ୍‌ ସମୟରେ ଏମ୍‌ଏସପିର ଅଧା ମୂଲ୍ୟରେ ମକା ବିକ୍ରି ପାଇଁ ବାଧ୍ୟ ହୋଇଥିଲା ଚାଷୀ। ଏହାଛଡ଼ା ୨ ବର୍ଷ ହେଲା ଫଲ୍‌ ଆର୍ମି ୱାଲ୍‌ ନାମକ ଏକ ପୋକ ମକାକୁ ନଷ୍ଟ କରିବା ଯୋଗୁଁ ଚାଷୀ କ୍ଷତି ସହୁଛନ୍ତି। ତେବେ ବର୍ତ୍ତମାନ ଏହା ନିୟନ୍ତ୍ରିତ ହେଉଥିବା ଓୟୁଏଟି କହିଛି।

ପଟାଙ୍ଗୀର ଜଣେ ମକା ଚାଷୀଙ୍କ କହିବା ଅନୁସାରେ, ଅକ୍ଟୋବର ମାସରେ ଯେତେ ମକା ହୋଇଥିଲା, ଗାଁରେ ଶୀତଳଭଣ୍ଡାର ଥିଲେ ସଂରକ୍ଷିତ କରି ରଖିଥାଆନ୍ତେ। ମାତ୍ର ଏଠାରେ ସେହିଭଳି ବ୍ୟବସ୍ଥା ନାହିଁ। ତେଣୁ ଉତ୍ପାଦନ ସରିବା ପରେ ଯେଉଁ ମୂଲ୍ୟ ମିଳିଲା ସେମାନେ ସେତିକିରେ ବିକ୍ରି କରିଦେଲେ। ଧାନ ଭଳି ଅନ୍ୟ ଚାଷରେ ବି ଉପଯୁକ୍ତ ମଣ୍ଡି ବ୍ୟବସ୍ଥାର ଅଭାବ ଅଭାବୀ ବିକ୍ରିର ଅନ୍ୟତମ କାରଣ। ମକାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଉତ୍ପାଦନ ପାଇଁ ଆବଶ୍ୟକ କାରଖାନା ରାଜ୍ୟରେ ନାହିଁ। ଏଥିଯୋଗୁଁ ଉତ୍ପାଦନ ହେଉ ହେଉ ମକାକୁ ଆନ୍ଧ୍ରପ୍ରଦେଶ, ଗୁଜରାଟକୁ ପଠାଇ ଦିଆଯାଏ। ସେଠାରେ ପ୍ରୋସେସ୍‌ ହେବା ସହିତ ବିଭିନ୍ନ ଶିଳ୍ପରେ ବ୍ୟବହାର ଆସିପାରେ। ତେଣୁ ଓଡ଼ିଶାର ମକା ଚାଷୀଙ୍କୁ ବଜାର ସହିତ ଲିଙ୍କ୍‌କରାଗଲେ ସେମାନଙ୍କୁ ଏମ୍‌ଏସପି ବା ଉପଯୁକ୍ତ ମୂଲ୍ୟ ମିଳିବ।

ସମ୍ବନ୍ଧିତ ଖବର