ବାଲେଶ୍ୱର: ୨୦୨୪ ପାଇଁ ସମ୍ମାନଜନକ ‘କହ୍ନେଇ କଥା ପୁରସ୍କାର’ ପାଇବେ ଓଡ଼ିଆ ସାହିତ୍ୟର ସ୍ବନାମଧନ୍ୟ ଯୁବ କଥାଶିଳ୍ପୀ ଚିତ୍ତରଞ୍ଜନ ଚିରଞ୍ଜିତ। ସୋମବାର ସନ୍ଧ୍ୟାରେ କହ୍ନେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି। ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ଭିତରେ ଓଡ଼ିଆ କଥା ସାହିତ୍ୟର ଜଣେ ଯୋଗ୍ୟତମ ପ୍ରତିଭାଙ୍କୁ ଚୟନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଗଳ୍ପ, ଉପନ୍ୟାସ ଓ ଫିଚର୍ ରଚନା କ୍ଷେତ୍ରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଚିତ୍ତରଞ୍ଜନ ଚିରଞ୍ଜିତ ଏବେ ଓଡ଼ିଶାର ବହୁଳପ୍ରସାରିତ ଖବରକାଗଜ ଦୈନିକ ‘ସମ୍ବାଦ’ରେ କାର୍ଯ୍ୟରତ ଅଛନ୍ତି।

Advertisment

ଜୁଲାଇ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଭୋଗରାଇ ବ୍ଲକ୍‌ କମର୍ଦ୍ଦାଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ସମାରୋହରେ ଶ୍ରୀ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ବାବଦରେ ନଗଦ ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ବୈଠକରେ ସ୍ମୃତି ସଂସଦର ସଭାପତି ସୁବାସଚନ୍ଦ୍ର ପାତ୍ର, ଆବାହକ ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସମ୍ପାଦକ ଉତ୍ପଳ ମହାନ୍ତି, କାର୍ଯ୍ୟକାରୀ ସଭାପତି କୃଷ୍ଣକୁମାର ମହାନ୍ତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।