ସୌନ୍ଦର୍ଯ୍ୟ କ୍ରିମ୍ ଭେଳିକି; ଡାକ୍ତରୀ ପରାମର୍ଶ ନାହିଁ, ଚର୍ମ ରୋଗରେ ଆକ୍ରାନ୍ତ ଯୁବପିଢ଼ି

ପାରଳାଖେମୁଣ୍ତି : ବୟସ ମାତ୍ର ୨୧। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜଣେ ଯୁବତୀଙ୍କ ନମୁନା ପରୀକ୍ଷା କରିବା ପରେ ସେ ଚର୍ମ କର୍କଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରୋଗ ପ୍ରଥମ ଷ୍ଟେଜ୍‌ରେ ଥିବା ଯୋଗୁଁ ୭ଦିନିଆ କେମୋ ଚିକିତ୍ସା ପରେ ସୁସ୍ଥ ହୋଇଯିବେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ବିଗତ ୩ବର୍ଷ ହେଲା ଡାକ୍ତରଙ୍କ ପରାମର୍ଶ ବିନା ସେ ଚର୍ମର ରଙ୍ଗ ଗୋରା କରିବା ଆଶାରେ ବଜାରରୁ ନିର୍ଦ୍ଦିଷ୍ଟ କମ୍ପାନିର ସୌନ୍ଦର୍ଯ୍ୟ କ୍ରିମ୍‌ ବ୍ୟବହାର କରୁଥିଲେ। ଏହାର ପ୍ରଭାବରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ମତ ଦେଇଛନ୍ତି।

ଗଜପତି ଜିଲ୍ଲାର ଅଧିକା˚ଶ ଗ୍ରାମାଞ୍ଚଳରେ ବିନା ଡାକ୍ତରୀ ପରାମର୍ଶରେ ଯୁବପିଢ଼ି ବିଭିନ୍ନ ପ୍ରକାର କ୍ରିମ୍‌ ଓ ଲୋସନ୍‌ ବ୍ୟବହାର କରୁଛନ୍ତି। ଏପରିକି ଛାତ୍ରଛାତ୍ରୀ ବହୁଳ ଭାବେ ଏଭଳି ଅଭ୍ୟାସ ଆପଣାଇଛନ୍ତି। ଡାକ୍ତର ମାନେ କହିବାନୁସାରେ ଏହି ମଲମରେ ରହିଥିବା ଷ୍ଟେରଇଡ୍‌ ଓ କ୍ଲାର୍ଟି ଷ୍ଟେରଇଡ୍‌ ଇତ୍ୟାଦି ଶରୀର ପାଇଁ ସମସ୍ୟା ସୃଷ୍ଟି କରିବ। ଏପରିକି ଔଷଧ ଦୋକାନରେ ବିକ୍ରୟ ହେଉଥିବା ଲୋସନ୍‌ ଗୁଡ଼ିକ ଡାକ୍ତରଙ୍କ ପରାମର୍ଶ ବିନା ବିକ୍ରୟ କରିବା ଉପରେ କଟକଣା ଥିବା ସତ୍ତ୍ବେ ଏହାକୁ କେହି ଖାତିର କରୁନାହାନ୍ତି। ସୌନ୍ଦର୍ଯ୍ୟ କ୍ରିମ୍‌ ଓ ଲୋସନ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଗ୍ରାମାଞ୍ଚଳରେ ଏହା ସଉଦା ଦୋକାନ ଓ ପାନ ଦୋକାନରେ ମଧ୍ୟ ବିକ୍ରି ହେଉଛି। ପ୍ରକୃତରେ ଏହି ଅଏଣ୍ଟ୍‌ମେଣ୍ଟ୍‌ ଗୁଡିକ ନିର୍ଦ୍ଦିଷ୍ଟ ଚର୍ମରୋଗ ସହ ଗୋଡ଼ରେ ପାଣିକନ୍ଦା ଓ ବ୍ରଣ ଆଦି ଚର୍ମ ରୋଗ ସମ୍ବନ୍ଧୀୟ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥାଏ। ଏହି ମଲମର ଖୋଳ ଉପରେ ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ବ୍ୟବହାର ନକରିବା ପାଇଁ ସ୍ପଷ୍ଟ ଭାବେ ଲେଖାଯାଇଛି।

ତେବେ ଛାତ୍ରଛାତ୍ରୀ ସାଙ୍ଗମାନଙ୍କୁ ପଚାରି ଏଭଳି ମଲମ, କ୍ରିମ୍‌ ଓ ଲୋସନ୍‌ କିଣି ବ୍ୟବହାର କରୁଛନ୍ତି। ଅନେକ ଆଶ୍ରମ ବିଦ୍ୟାଳୟରେ ଏହି ମଲମର ବ୍ୟବହାର ଉପରେ ଶିକ୍ଷକ ମାନେ କଟକଣା ଜାରି କରିଛନ୍ତି। ବିଶାଖାପାଟଣାରୁ ଆସିଥିବା ଚର୍ମ ବିଶେଷଜ୍ଞ ସରୋଜ କୁମାର ନନ୍ଦ କହିଛନ୍ତି, ଗଜପତିରେ ସେ ଅନେକ ରୋଗୀଙ୍କୁ ଏପରି ମଲମ ବ୍ୟବହାର କରୁଥିବା ଜାଣିବା ପରେ ବିସ୍ମିତ ହୋଇଥିଲେ। ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିବା ଛାତ୍ରୀମାନଙ୍କୁ କାଉନ୍‌ସେଲିଂ ବେଳେ ଅନେକ ସ୍ବୀକାର କରି କହିଥିଲେ ଯେ, ଚର୍ମର ରଙ୍ଗକୁ ପରିବର୍ତ୍ତନ କରିବା ଆଶାରେ ମାସ ମାସ ବିଭିନ୍ନ ମଲମ ବ୍ୟବହାର କରୁଛନ୍ତି। ଏ ବିଷୟରେ ବିଦ୍ୟାଳୟସ୍ତରରେ ସଚେତନତା ଦରକାର ବୋଲି ଚର୍ମରୋଗ ବିଶେଷଜ୍ଞ ଶ୍ରୀ ନନ୍ଦ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର