କାମଚଳାକୁ ନେଇ ଚାଲିଛି ସ୍ବାସ୍ଥ୍ୟ ବିଭାଗ: କୌଣସି ମେଡିକାଲ କଲେଜରେ ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ

କଟକ, (ସଚ୍ଚିକାନ୍ତ ନାଥ): ଏମିତି ଚାଲିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର କୌଣସି ଗୋଟିଏ ସରକାରୀ ଏଲୋପ୍ୟାଥି ମେଡିକାଲ କଲେଜ ଆଣ୍ଡ ହସପିଟାଲ୍‌ରେ ‘ଫୁଲ୍‌ଟାଇମ୍‌’ ବା ପୂର୍ଣ୍ଣକାଳୀନ ଅଧ୍ୟକ୍ଷ/ଡିନ୍‌ କିମ୍ବା ଅଧୀକ୍ଷକ ନାହାନ୍ତି। ମେଡିକାଲ କଲେଜର ଡିନ୍‌/ଅଧ୍ୟକ୍ଷମାନେ କଲେଜ ସହ ନିଜ ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ହସ୍‌ପିଟାଲ୍‌ର ଅଧୀକ୍ଷକମାନେ ବି ନିଜ ପଦବି ସହ ବିଭାଗୀୟ ମୁଖ୍ୟ ରହିଛନ୍ତି। ଫଳରେ, ନା ସେମାନେ ନିଜ ବିଭାଗର ରୋଗୀମାନଙ୍କୁ ନ୍ୟାୟ ଦେଇପାରୁଛନ୍ତି, ନା ମେଡିକାଲ କଲେଜର ଛାତ୍ରଛାତ୍ରଙ୍କୁ। ଗତ ଦୁଇବର୍ଷ ହେଲା ରାଜ୍ୟର ସବୁ ଏଲୋପ୍ୟାଥି ମେଡିକାଲ କଲେଜ ଆଣ୍ଡ୍‌ ହସପିଟାଲ୍‌ ଏଭଳି ଅବ୍ୟବସ୍ଥା ଭିତରେ ଚାଲିଥିଲେ ବି ସେଥିପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ।

ରାଜ୍ୟର ସର୍ବବୃହତ ଓ ସର୍ବପୁରାତନ କଟକର ଏସସିବି ମେଡ଼ିକାଲର ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ଲୁସି ଦାସ ଏହି ପଦବି ସହ ଏସସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। ସେହିପରି ଏସସିବି ମେଡିକାଲ କଲେଜ ପ୍ରିନ୍ସିପାଲ/ଡିନ୍‌ ଥିବା ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଏହି ପଦବି ସହ ଏସସିବି ୟୁରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଅଧ୍ୟକ୍ଷ/ଡିନ୍‌ ପ୍ରଫେସର ଡାକ୍ତର ଦୀପ୍ତି ପଟ୍ଟନାୟକ ଅଧ୍ୟକ୍ଷ ସହ ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଏମକେସିଜି ମେଡିକାଲର ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ଏଚ୍‌.କେ. ମିଶ୍ର ଏମ୍‌କେସିଜି କର୍ଣ୍ଣ, ନାଶା ଓ ଗଳା(ଇଏନଟି) ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧ୍ୟକ୍ଷ ଥିବା ପ୍ରଫେସର ଡାକ୍ତର ଆର.ପି. ବିଶ୍ୱାଳ ଏହି ପଦବି ସହ ରଞ୍ଜନରଶ୍ମି (ରେଡିଓଲୋଜି) ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଏହି ମେଡିକାଲ୍‌ର ଅଧୀକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ପାଥୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। ସେପଟେ, ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷ/ଡିନ୍‌ ପ୍ରଫେସର ଡାକ୍ତର ସବିତା ମହାପାତ୍ର ଫାର୍ମାକୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଅଧୀକ୍ଷକ ପ୍ରଫେସର ଡାକ୍ତର ମହେନ୍ଦ୍ର ନାୟକ ନିଶ୍ଚେତନ(ଆନାସଥେସିଆ) ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ/ଡିନ୍‌ ପ୍ରଫେସର ଡାକ୍ତର ଆର୍‌.ଆର୍‌. ମହାନ୍ତି ଏହି ପଦବି ସହ ଫିଜିଓଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଅଧୀକ୍ଷକ ପ୍ରଫେସର ଡାକ୍ତର ବି.ଏନ. ମହାପାତ୍ର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍‌) ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। ସେହିପରି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ/ଡିନ୍‌ ପ୍ରଫେସର ଡାକ୍ତର ରାମଚନ୍ଦ୍ର ଗିରି ଏଠାକାର ଏସ୍‌ପିଏମ୍‌ ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଜାତା ମିଶ୍ର ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି। ଏ ସମସ୍ତ ମେଡିକାଲ କଲେଜ ଅତିରିକ୍ତ କଟକ ଏସସିବି ପରିସରସ୍ଥ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ଆର୍‌ଏସ୍‌ଆଇସି)ର ନିର୍ଦେଶକ ଥିବା ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ଏହି ପଦ ସହ ଏସସିବି ଅସ୍ଥିଶଲ୍ୟ ଚିକିତ୍ସା ବିଭାଗର ବିଭାଗୀୟ ମୁଖ୍ୟ ବି ଅଛନ୍ତି।

ଉଲ୍ଲେଖ୍ୟ, ନାସନାଲ ମେଡିକାଲ କାଉନସିଲ (ଏନ୍‌ଏମ୍‌ସି) ନିୟମ ମୁତାବକ ମେଡିକାଲ କଲେଜ ଅଧ୍ୟକ୍ଷ/ଡିନ୍ ପଦ ପାଇଁ ୫ବର୍ଷ ଅଭିଜ୍ଞତା ଥିବା‌ ପ୍ରଫେସର ଆବଶ୍ୟକ ହେଉଥିବାବେଳେ ଅଧୀକ୍ଷକ ପଦ ପାଇଁ ୧୦ବର୍ଷ ପଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇପାରିବ। ସେମାନେ ‘ଫୁଲ୍‌ଟାଇମ୍‌’ ରହିଲେ ନିର୍ଦ୍ଦିଷ୍ଟ ଭତ୍ତା ପାଇବେ, ହେଲେ ଗୋଟିଏ ପୋଷ୍ଟ୍‌ରେ ହିଁ ରହିପାରିବେ। ତେବେ, ବର୍ତ୍ତମାନ କୌଣସି ଗୋଟିଏ ଏଲୋପ୍ୟାଥି ମେଡିକାଲ କଲେଜରେ ‘ଫୁଲ୍‌ଟାଇମ୍‌ ଅଧ୍ୟକ୍ଷ କିମ୍ବା ଅଧୀକ୍ଷକ ନାହାନ୍ତି।

ସମ୍ବନ୍ଧିତ ଖବର