ସମ୍ବଲପୁର: ସମ୍ବଲପୁରସ୍ଥିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ବିଶ୍ବବିଦ୍ୟାଳୟ (ଭିମ୍‌ସାର)ରେ ଡାକ୍ତରୀ ବିଦ୍ୟାର୍ଥୀଙ୍କ ପାଠପଢ଼ା ପାଇଁ ସର୍ବନିମ୍ନ ଭିତ୍ତିଭୂମି ନାହିଁ। ଏପରିକି ଏଠାରେ ପଢ଼ାଇବା ପାଇଁ ଫାକ୍‌ଲଟି, ପରୀକ୍ଷଣ ସୁବିଧାର ମଧ୍ୟ ଅଭାବ ରହିଛି। ଏହାକୁ ନେଇ ଭିମ୍‌ସାର ଉପରେ ୪ ଲକ୍ଷ ଟଙ୍କାର ଜରିମାନା ଦାଖଲ ପାଇଁ ନିର୍ଦେଶ ଦେଇଛି ନ୍ୟାସ୍‌ନାଲ୍‌ ମେଡିକାଲ କମିସନ (ୟୁଜି ଡାକ୍ତରୀ ଶିକ୍ଷା)। ତେବେ, ସ୍ଥିତିର ପୁନଃ ସମୀକ୍ଷା ପାଇଁ ଭିମ୍‌ସାର ପକ୍ଷରୁ କମିସନକୁ ଅନୁରୋଧ କରାଯାଇଛି।

Advertisment

ଭିମ୍‌ସାରରେ ଡାକ୍ତର ସମସ୍ୟା ଜଟିଳ ହେବାରେ ଲାଗିଛି। ଠିକା ନିଯୁକ୍ତିକୁ ଭରସାରେ ଚାଲିଛି ପାଠପଢ଼ା। ଏହାକୁ ନେଇ ନ୍ୟାସ୍‌ନାଲ ମେଡିକାଲ କମିସନ ଅସନ୍ତୋଷ ପ୍ରକାଶ କରିଥିଲେ। ଭିମ୍‌ସାରର ସିଟ୍‌ କାହିଁକି ହ୍ରାସ କରାଯିବ ନାହିଁ ବୋଲି କିଛିଦିନ ପୂର୍ବରୁ ଡିନ୍‌ଙ୍କୁ ଚିଠି କରିଥିଲେ। ଏପରିକି ଏହାକୁ ନେଇ ଭିମ୍‌ସାର କର୍ତ୍ତୃପକ୍ଷ ଏବଂ ମେଡିକାଲ କମିସନ ମଧ୍ୟରେ ଭର୍ଚୁଆଲ ବୈଠକ ମଧ୍ୟ ହୋଇଥିଲା। ଏହାସତ୍ତ୍ବେ କୌଣସି ଲାଭ ହୋଇନଥିଲା।
ମେଡିକାଲ କମିସନ ଦେଇଥିବା ଚିଠିରେ କୁହାଯାଇଥିଲା, ୨୦୨୪ ମସିହାର ଜାନୁଆରି ୧ରୁ ଫେବ୍ରୁଆରି ୨୯ ତାରିଖ ମଧ୍ୟରେ ଭିମ୍‌ସାରର ୨୦ରୁ ୧୨ ବିଭାଗର ଫାକ୍‌ଲଟି, ଆବାସିକ ଡାକ୍ତର ଏବଂ ଟ୍ୟୁଟର୍‌ଙ୍କ ଅଭାବ ରହିଛି। ରେଡିଓଲୋଜିରେ ଅଲ୍‌ଟ୍ରାସାଉଣ୍ଡ, ସେରୋଲୋଜି ଯାଞ୍ଚ୍‌ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ଉପକରଣ ନାହିଁ। ପାରିବାରିକ ପୌଷ୍ୟ କାର୍ଯ୍ୟକ୍ରମ ମଧ୍ୟ ଠିକ୍‌ ଭାବରେ କରାଯିବାର ଆବଶ୍ୟକତା ରହିଛି। ଫାକ୍‌ଲଟି ନେଇ ଆବଶ୍ୟକ ତଥ୍ୟ ମଧ୍ୟ ଉପଲବ୍ଧ ନାହିଁ। କେବଳ ଆଜି ନୁହେଁ, ଦୀର୍ଘବର୍ଷ ହେଲା ଭିମ୍‌ସାରରେ ଫାକ୍‌ଲଟି ସମସ୍ୟା ଲାଗିରହିଛି। ଉଦାହରଣ ସ୍ବରୂପ, ନାଫ୍ରୋଲୋଜି ଭଳି ସୁପର୍‌ ସ୍ପେସାଆଲିଟି ବିଭାଗରେ ପ୍ରଫେସର, ଆସୋସିଏଟ ପ୍ରଫେସର ଖାଲି ପଡ଼ିଛି। ରେଡିଓ ଡାଇଗ୍ନୋସିସ୍‌ରେ ମାତ୍ର ଜଣେ ପ୍ରଫେସର ଅଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟ ମେ’ ୩୧ ତାରିଖ ସରିଯିବ। ଏଠାରେ ଆବଶ୍ୟକ ନିଯୁକ୍ତି ନ ହେଲେ ଏମବିବିଏସ ପାଠପଢ଼ା ପ୍ରଭାବିତ ହେବ। ମନୋରଞ୍ଜନ ଆଚାର୍ଯ୍ୟଙ୍କ ଅବସର ପରେ ନ୍ୟୁରୋ ସର୍ଜରି ବିଭାଗରେ ପ୍ରଫେସର ଖାଲି ପଡ଼ିଛି। ଅନ୍ୟ ବିଭାଗର ଅବସ୍ଥା ମଧ୍ୟ ସେହିଭଳି ରହିଛି।
ତେବେ, ଏହିଭଳି ଘଟଣା ପ୍ରଥମଥର ପାଇଁ ଘଟିନି। ଭିମ୍‌ସାରରେ ଆବଶ୍ୟକ ଫାକ୍‌ଲଟି ଏବଂ ଭିତ୍ତିଭୂମି ଅଭାବ ଯୋଗୁଁ ସିଟ୍‌ ହ୍ରାସର ଆଶଙ୍କା ସୃଷ୍ଟି ହୋଇଆସିଛି। ଏହାସତ୍ତ୍ବେ ବି ଭିମ୍‌ସାର ଏହାକୁ ନେଇ ଗମ୍ଭୀର ହେଉନଥିବା ଅଭିଯୋଗ ହେଉଛି।