ବଣ୍ଡାଘାଟିର ବେଲଗୁଡା ଗ୍ରାମର କାହାଣୀ…ରାସ୍ତା ନଥିବାରୁ ପହଞ୍ଚି ପାରୁନାହିଁ ପାନୀୟ ଜଳ ସାଂଗକୁ ଅନ୍ୟ ମୌଳିକ ସୁବିଧା

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ, ନକ୍ସଲ ପ୍ରବଣ ଏବଂ ଆଦିମ ଜନଜାତି ବାସ କରୁଥିବା ସ୍ଥାନ ହେଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଅଂଚଳ। ଖଇରପୁଟ ବ୍ଲକର ୯ଟି ପଞ୍ଚାୟତ ମଧ୍ୟରୁ ଦୁଇଟି ପଞ୍ଚାୟତ ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଘାଟି ଉପରେ ଅବସ୍ଥିତ। ଏହି ଘାଟି ଉପରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ନିଜର ପାରଂପାରିକ ଜୀବନଶୈଳୀରେ ବଂଚୁଥିବା ଏହି ଜନଜାତି ଆଜି ବି ଅବହେଳିତ। ସରକାର ଏମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରୁଥିଲେ ମଧ୍ୟ ଏମାନଙ୍କର ଅବସ୍ଥା ଯେମିତିକି ସେମିତି ରହିଛି।

ଦୁଇଟି ପଞ୍ଚାୟତରେ ମୋଟ ୩୨ଟି ଗ୍ରାମ ରହିଛି। ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏଠାରେ ରହିଥିବା ବହୁ ଗ୍ରାମକୁ ରାସ୍ତା ନାହିଁ। ସହର ଓ ସମାଜ ଠାରୁ ବହୁ ଦୂରରେ ରହିଥିବା ଏହି ସଂପ୍ରଦାୟର ଲୋକେ ନିଜର ଗୁଜରାଣ ପାଇଁ ଜଂଗଲକୁ ହିଁ ନିର୍ଭର କରିଥାନ୍ତି। ତେବେ ଏଭଳି ଏକ ଗ୍ରାମ ସଂପର୍କରେ ଏଠାରେ ଉଲ୍ଲେଖ କରୁଛୁ ଯେଉଁଠି ଆଜି ପର୍ଯ୍ୟନ୍ତ ରାସ୍ତା ପହଞ୍ଚି ପାରିଲା ନାହିଁ କି କୌଣସି ମୌଳିକ ସୁବିଧା ମଧ୍ୟ ପହଞ୍ଚିପାରିଲା ନାହଁ। ସେହି ଗାଁଟି ହେଉଛି ବଣ୍ଡାଘାଟିରୁ ଦୁର୍ଗମ ଅଂଚଳରେ ରହିଥିବା ବେଲଗୁଡା ଗ୍ରାମ।

ବେଲଗୁଡା ଗ୍ରାମଟି କିଚପଡା ରାଜସ୍ବ ଗ୍ରାମରେ ଅନ୍ତର୍ଭୁକ୍ତ। ମଦୁଲିପ଼ଡା ପଞ୍ଚାୟତର ଏହି ଗ୍ରାମଟି ସରକାରଙ୍କର ନଜର ଠାରୁ ବହୁ ଦୂରରେ। ବଣ୍ଡା ଉନ୍ନୟନ ସଂସ୍ଥାରେ ଏହି ଗ୍ରାମଟିର ନାମ ହିଁ ନାହିଁ, ଯାହାଫଳରେ ଏହି ଗ୍ରାମକୁ ସରକାର ଏବଂ ପ୍ରଶାସନ ଅଣଦେଖା କରି ଚାଲିଛନ୍ତି। ଗ୍ରାମରେ ରହିଥିବା ୩୦ ପରିବାର ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ପାନୀୟ ଜଳର ଉତ୍ସ ନଥିବା ଗାଁ। ଲୋକେ ବାଧ୍ୟ ହୋଇ ପାଖ ଝରଣା ଏବଂ ଚୁଆ ଉପରେ ହିଁ ନିର୍ଭର କରିଥାନ୍ତି। ବର୍ଷସାରା ଏହି ପାଣି ହିଁ ସେମାନଙ୍କ ଜୀବନ ବଂଚାଇ ରଖିଛି। ରାସ୍ତା ନଥିବାରୁ ଏହି ଗ୍ରାମକୁ ନା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚୁଛନ୍ତି ନା କୌଣସି ଲୋକ ପ୍ରତିନିଧି ପହଞ୍ଚିପାରୁଛନ୍ତି। ସରକାରଙ୍କର ସମସ୍ତ ମୌଳିକ ସୁବିଧା ଏଠାରେ ଆଜି ବି ଅପହଞ୍ଚ। ଲୋକେ ଇନ୍ଦିରା ଆବାସ, ଭତ୍ତା, ବିଜୁ ପକ୍କା ଘର ଇତ୍ୟାଦି ବିଷୟରେ ଆଜି ବି ଅଜଣା। ନିଜର ପାରଂପାରିକ ଶୈଳୀରେ ଏମାନେ ବଂଚିବା ଶିଖିଛନ୍ତି। ତେଣୁ ଏମାନେ କାହାରି ଉପରେ ନିର୍ଭର କିମ୍ବା ଦାବି କରୁନାହାନ୍ତି।

ଜଂଗଲରୁ ଯାହା ସଂଗ୍ରହ କରନ୍ତି ସମାନେ ତାଂକୁ ନିଜେ ଖାଦ୍ୟ ରୂପେ ବ୍ୟବହାର କରିବା ପରେ ଯାହା ବଳକା ରୁହେ ତାକୁ ସେମାନେ ସ୍ଥାନୀୟ ହାଟ ବଜାରରେ ବିକ୍ରି କରିଥାନ୍ତି। ଗାଁରେ କାମଧନ୍ଦା ନଥିବାରୁ ବହୁ ଯୁବକଯୁବତୀ ଆନ୍ଧ୍ରପ୍ରଦେଶ ଏବଂ ମାଲକାନଗିରିର ବିଭିନ୍ନ ଅଂଚଳରେ ଦାଦନ ଭାବେ ଖଟୁଛନ୍ତି।

ଏ ସଂପର୍କରେ ବିଭାଗର ଅଧିକାରୀଙ୍କ ନିକଟରେ ସବୁ ଖବର ରହିଥିଲେ ମଧ୍ୟ ଏହାରି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହି ଅଂଚଳର ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ କୋଟି କୋଟି ଟଂକା ଖର୍ଚ୍ଚ ହେଉଥିବା ବେଳେ କିନ୍ତୁ ଏହି ଅଂଚଳର ପିଲା ଏବେ ବି ଅବହେଳିତ ହୋଇ ରହିଛନ୍ତି। ଏହି ଗ୍ରାମର ବହୁ ବୃଦ୍ଧ ଓ ବୃଦ୍ଧା ଭତ୍ତା ଟିକକ ପାଇଁ ଅନେଇ ବସିଛନ୍ତି।ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ସରକାରୀ ବାବୁମାନେ ଏଠାରୁ କ୍ବିଚିତ ହିଁ ପାଦ ଥାପିଥାନ୍ତି। ନିଜର ଦୁଃଖ ଏମାନେ କେବେ ମଧ୍ୟ କାହାରି ଆଗରେ ପ୍ରକାଶ କରିନଥାନ୍ତି। ଦୁଇ ବେଳା ମାଣ୍ଡିଆ ପେଜ ପିଇ ବଂଚି ରହିବା ଏମାନେ ଶିଖିଯାଇଛନ୍ତି। ଭାତ ଏମାନଙ୍କ ପାଇଁ ସ୍ବପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବଣ୍ଡାଘାଟିରେ ରହିଥିବା ପ୍ରତି ଗ୍ରାମରେ ପାହାଡ ଭଳି ସମସ୍ୟା ରହିଛି। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ବଣ୍ଡା ଉନ୍ନୟନ ସଂସ୍ଥା ଏମାନଙ୍କର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ପ୍ରକୃତରେ ଏଠାର ଦୃଶ୍ୟ ଅଲଗା। ନିଜେ ସେଠାରେ ପହଞ୍ଚି ଦେଖିଲେ ହିଁ ଏହି ଅଂଚଳର ସମସ୍ୟା ସଂପର୍କରେ ହୃଦୟଙ୍ଗମ କରିହେବ।ଏଠାରେ ସ୍କୁଲ, ଅଂଗନବାଡି କେନ୍ଦ୍ର ନଥିବାରୁ ପିଲାମାନେ ନିରକ୍ଷର ହୋଇ ରହିଛନ୍ତି। ବଣ ଜଂଗଲରେ ବୁଲି ବୁଲି ନିଜର ଜୀବନ ଅତିବାହିତ କରୁଛନ୍ତି। ଯୁବକଯୁବତୀ ହେବା ପରେ ଦାଦନ ଖଟିବାକୁ ବାହାରକୁ ଚାଲିଯାଉଛନ୍ତି। ତେବେ କିଚପଡା ରାଜସ୍ବ ଗ୍ରାମ ଅଧିନରେ ରହିଥିବା ବେଲଗୁଡା, ମାଗନିଗୁଡା, ବୈରିଗୁଡା ଭଳି ଗ୍ରାମର ଅବସ୍ଥା ଏକାପରି। ବଣ୍ଡାଘାଟିରେ ରହିଥିବା ଏଭଲି ଦୁର୍ଗମ ଗ୍ରାମଗୁଡିକର ଭବିଷ୍ୟତ କେବେ ବଦଳିବ ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର