ପୁଣି ମନ୍ତ୍ରୀଶୂନ୍ୟ ସୁନ୍ଦରଗଡ଼ ଜିଲ୍ଲା, ଚର୍ଚ୍ଚାରେ ଥିବା ସାରଦା ବାଦ୍‌ ପଡ଼ିଲେ

ସୁବ୍ରତଙ୍କ ଲଗାତାର ଅନୁପସ୍ଥିତି କାଳ ହେଲା, ସ୍ଥାନୀୟ କର୍ମୀ ମହଲରେ ଅସନ୍ତୋଷ

ରାଉରକେଲା: ଏ ଖବର ଲେଖା ହେବାବେଳକୁ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ହେଁ ରାଜ୍ୟ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବାବଦରେ ନିର୍ଭରଯୋଗ୍ୟ ସୂଚନା ମିଳି ଯାଇଛି। ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ ଏଥର ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଉପେକ୍ଷାର ଶିକାର ହୋଇଛି। ଜିଲ୍ଲାର ଦୁଇ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ଓ ସୁବ୍ରତ ତରାଇଙ୍କୁ ହାଇକମାଣ୍ଡ ମନ୍ତ୍ରୀପଦ ଦେଇ ନାହାନ୍ତି। ଫଳରେ ରାଜ୍ୟର ଅର୍ଥନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରୁଥିବା ତଥା ଗତ ୮ବର୍ଷ ହେଲା ମନ୍ତ୍ରୀଶୂନ୍ୟ ଥିବା ସୁନ୍ଦରଗଡ଼ ଜିଲ୍ଲା ଏଥର ମଧ୍ୟ ମନ୍ତ୍ରୀପଦ ପାଇବାରୁ ବଞ୍ଚିତ ହୋଇଛି। ବାରମ୍ବାର ସ୍ଥାନୀୟ ନେତାଙ୍କୁ ଅଣଦେଖା କରାଯାଉଥିବାରୁ ସ୍ଥାନୀୟ ବିଜେଡ଼ି କର୍ମୀ ଓ ସମର୍ଥକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ଜିଲ୍ଲାର ଦୁଇ ବିଜେଡି ବିଧାୟକଙ୍କ ମଧ୍ୟରୁ ମନ୍ତ୍ରୀମଣ୍ଡଳରେ ସାମିଲହେବା ଚର୍ଚ୍ଚାର ସର୍ବାଗ୍ରେ ଥିଲେ ବିଜେଡି ଜିଲ୍ଲା ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ନାୟକ। ସାରଦାଙ୍କ ନେତୃତ୍ବରେ ଦଳକୁ ଗତ ପୌରପାଳିକା ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଐତିହାସିକ ସଫଳତା ମିଳିଥିଲା। ଜିଲ୍ଲାର ୩୫ଟି ଜିଲ୍ଲା ପରିଷଦ ଆସନରୁ ୩୩ଟିରେ ବିଜେଡି ବିଜୟୀ ହୋଇ ନିରଙ୍କୁଶଭାବେ ପରିଷଦ ଗଠନ କରିଥିଲା। ସେହିଭଳି ଜିଲ୍ଲାର ୩ଟି ପୌରପାଳିକା ମଧ୍ୟରୁ ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ଦଳ ପରିଷଦ ଗଠନ କରିଥିଲା।

ଯଦିଓ ସୁନ୍ଦରଗଡ଼ ପୌରପାଳିକାରେ ବିଜେଡି ଅଧ୍ୟକ୍ଷ ପଦ ହାତେଇବାରେ ବିଫଳ ହୋଇଥିଲା, କିନ୍ତୁ ୧୯ କାଉନସିଲରଙ୍କ ମଧ୍ୟରୁ ସର୍ବାଧିକ ୧୧ ଜଣ ଦଳୀୟ କାଉନସିଲର ବାଜିମାତ୍‌ କରିଥିଲେ। ଏତଦ୍‌ବ୍ୟତୀତ ପଞ୍ଚାୟତ ସମିତି ନିର୍ବାଚନରେ ବିଜେଡି ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ ୧୧ଟିରେ ବିଜୟୀ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବିପକ୍ଷ ବିଜେପି-କଂଗ୍ରେସ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ବିଜେଡି ବିଜୟବାନା ଉଡ଼ାଇଥିଲା। ବିଜେପି ବିଧାୟକ ଶଙ୍କର ଓରାମଙ୍କ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଅଧିନସ୍ଥ କୁଆରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକକୁ ବିଜେଡି କବ୍‌ଜା କରିନେଇଥିଲା। ସେହିଭଳି ବିଜେପି ବିଧାୟକ କୁସୁମ ଟେଟେଙ୍କ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ହେମଗିର ଓ ଲେଫ୍ରିପଡ଼ା ବ୍ଲକରେ ବିଜେଡି ବିଜୟୀ ଅଧ୍ୟକ୍ଷ ପଦ ହାତେଇଥିବାବେଳେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ତଳସରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସବଡେଗା ଓ ବାଲିଶଙ୍କରା ଏବଂ କଂଗ୍ରେସ ବିଧାୟକ ସିଏସ୍‌. ରାଜେନ ଏକ୍କାଙ୍କ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିକଟା, ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ବିଜେଡି ଅଧ୍ୟକ୍ଷ ପଦ ନେଇଥିଲା।

ଏହି ନିର୍ବାଚନ ଫଳାଫଳ ସାରଦାଙ୍କ ସାଂଗଠନିକ ଦକ୍ଷତାକୁ ପୁନଃ ପ୍ରମାଣିତ କରିଥିଲା। ଖାସ୍‌ ଏହି କାରଣରୁ ଏଥର ଅନ୍ତତଃ ସାରଦାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରାଯିବବୋଲି ସ୍ଥାନୀୟ ବିଜେଡି ମହଲ ଆଶାବାନ୍ଧି ବସିଥିଲେ। ଅପରପକ୍ଷରେ ସ୍ବାସ୍ଥ୍ୟଗତ କାରଣରୁ ନିଜ ନିର୍ବାଚନ ମଣ୍ଡଳୀରେ ସୁବ୍ରତ ତରାଇଙ୍କ ଲଗାତାର ଅନୁପସ୍ଥିତି, ତାଙ୍କୁ ମନ୍ତ୍ରୀ ଦୌଡ଼ରୁ ଢ଼େର୍‌ ପୂର୍ବରୁ ବାଦ୍‌ ଦେଇସାରିଥିଲା। ଯଦିଓ ସେ ମନ୍ତ୍ରୀପଦ ପାଇଁ ଭୁବନେଶ୍ବରରେ ଲବି କରୁଛନ୍ତି ବୋଲି ରାଉରକେଲାରେ ଏକ ଚର୍ଚ୍ଚା ଶୁଣା ଯାଉଥିଲା।

ତେବେ ସୁନ୍ଦରଗଡ଼ ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରି କ୍ରମାଗତ ଅବହେଳା କରାଯିବାକୁ ଜିଲ୍ଲା ବିଜେଡି କର୍ମୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଅବଶ୍ୟ ଖୋଲାଖୋଲି ରୋଷ ପ୍ରକଟ କରୁନାହାନ୍ତି, କିନ୍ତୁ ଭିତରେ ଅସନ୍ତୋଷ‌ର ନିଆଁ କୁହୁଳିବା ଆରମ୍ଭ ହୋଇଗଲାଣି। ମନ୍ତ୍ରୀପଦରେ ଥିବା ଅନ୍ୟ ଜିଲ୍ଲାର ଅନେକ ନେତାଙ୍କ ଅପେକ୍ଷା ସୁନ୍ଦରଗଡ଼ର ନେତାମାନେ ଦକ୍ଷତା ଓ ପ୍ରଭାବରେ ବେଶ୍ ଆଗରେ ଥିଲେ ହେଁ ସେମାନଙ୍କୁ ଅଣଦେଖା କରିବା ଅନ୍ୟାୟ ବୋଲି ‌ସେମାନେ କହୁଛନ୍ତି। ପ୍ରକାଶଥାଉକି, ଶେଷଥର ପାଇଁ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କୁ ମନ୍ତ୍ରୀଭାବେ ଦେଖିଥିଲା ଏ ଜିଲ୍ଲା। ଶ୍ରୀ ତରାଇ ଗତ ୨୦୧୨ ଅଗଷ୍ଟ ୨ ତାରିଖରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରାଳୟ ଭାର ସମ୍ଭାଳିଥିଲେ।

ଏହାପରଠାରୁ ଆଜିପର୍ଯ୍ୟନ୍ତ, ଆଉ ମନ୍ତ୍ରୀପଦ ମିଳିନି। ଇତିମଧ୍ୟରେ ଚାରି ଚାରି ଥର, ଯଥା-୨୦୧୪, ୨୦୧୭, ୨୦୧୯ ଓ ୨୦୨୨ରେ ନୂତନ ମନ୍ତ୍ରୀମଣ୍ଡଳ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି; କିନ୍ତୁ କୌଣସିଥର ବି ଜିଲ୍ଲାର ଦଳୀୟ ବିଧାୟକଙ୍କୁ ଭରସା କରିପାରିନାହାନ୍ତି ବିଜେଡି ସୁପ୍ରିମୋ। ବିଗତ ଦିନରେ ମଙ୍ଗଳା କିଶାନଙ୍କ ଭଳି ପୁରୁଖା ନେତାଙ୍କୁ ମଧ୍ୟ ଉପେକ୍ଷିତ ହେବାକୁ ପଡ଼ିଥିଲା। ଏମିତିକି ୨୦୧୭ ମସିହାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣବେଳେ ମଙ୍ଗଳାଙ୍କ ନାଁ ବାଦ୍‌ ଦିଆଯିବାରୁ ସେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ତୃଣମୂଳସ୍ତରରେ ଦଳ ସୁଦୃଢ଼ ହେଉଥିବାସତ୍ତ୍ବେ ମନ୍ତ୍ରୀପଦ ନ ମିଳିବା ପଛରେ ଭିନ୍ନ କାରଣ ଥିବା ଆଲୋଚନା ହୁଏ। ୨୦୦୯ରେ ସାରଦାଙ୍କୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ଭଳି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିଲା।

ତେବେ ୨୦୧୨ ମିଡ୍‌ନାଇଟ୍‌ ଅପରେସନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସାରଦାଙ୍କ ଭାଗ୍ୟରେ ମନ୍ତ୍ରୀପଦ ପଡ଼ୁନି। ଅପରପକ୍ଷରେ କିନ୍ତୁ ଏକାଧିକ ପଦବି ନେଇ ତାଙ୍କୁ ଜିଲ୍ଲାରେ ଦଳର ଏକମାତ୍ର ନେତାଭାବେ ଚିତ୍ରଣ କରାଯାଉଛି। ଏମିତିକି ୨୦୧୪ ମସିହାରେ ପରାଜୟପରେ ମଧ୍ୟ ସାରଦାଙ୍କୁ ରାଉରକେଲା ଡେଭେଲପ୍‌ମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା। ସମ୍ଭାବ୍ୟ ନୂତନ ମନ୍ତ୍ରୀମଣ୍ଡଳ ତାଲିକାରେ ତାଙ୍କ ନାଁ ଅଛି ବୋଲି ହୋଇଥିବା ଚର୍ଚ୍ଚାକୁ ନେଇ ପଚରାଯିବାରୁ ଶ୍ରୀ ନାୟକ ଆଜି ସନ୍ଧ୍ୟାରେ ‘ସମ୍ବାଦ’କୁ କହିଥିଲେ, ‘‘ମନ୍ତ୍ରୀପଦ ନେଇ ମୋ’ ପାଖକୁ କୌଣସି ଫୋନ୍‌କଲ୍‌ ଆସିନାହିଁ। ଏହା ଏକ ଗୁଜବ ହୋଇପାରେ।’’ ଏବେ ତାହା ଗୁଜବ ହିଁ ‌ଥିଲା ବୋଲି ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର