ଜୟପୁର: କୋଲାବ ଡ୍ୟାମ ତିଆରି ହେବ ବୋଲି ଭିଟାମାଟିକୁ ଛାଡି ଦେଲେ। ଜୀବୀକା ମିଳିଲା ସିନା ଚାଲିଗଲା ଘର। ଯେଉଁ ଜୀବୀକା ପାଇଁ ଝାଳ ବୁହାଇ କୋଲାବ ଡ୍ୟାମକୁ ଛିଡା କରିଥିଲେ ଏବେ ତାହା ଜନସାଧାରଣଙ୍କ କାମ ଲାଗୁଛି ସତ ହେଲେ ଯାହାଙ୍କ ପିଠିରେ ଏହା ତିଆରିହୋଇଥିଲା ତାହା ଏବେ ଆଲୋଡା। ସହରତଳି ଗାଁ ଭାବେ ଅତି ଦୁଃଖ କଷ୍ଟରେ ଚଳୁଛନ୍ତି ଏକାଧିକ ପରିବାର। ସ୍ବାଧୀନତାର ଏତେ ବର୍ଷ ପରେ ଏକ ଗାଁକୁ ରାସ୍ତା, ବିଦ୍ୟୁତ ଓ ଜଳ ନ ମିଳିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶରଥକୁ ପଛକୁ ଟାଣିଛି।
କୋରାପୁଟ ଜିଲ୍ଲା ଜୟପୁର ସହରଠାରୁ ମାତ୍ର ୩ କିଲୋମିଟର ଦୂର ବାରିଣିପୁଟ ପଞ୍ଚାୟତ ଅଧୀନରେ ରହିଛି ନାହିଁ ନାହିଁର ଗାଁ ‘ନାଡୁ ଗୁଡା’। ଏହି ଗାଁରେ ପାଖାପାଖି ୨୦ ଟି ପରିବାର କେଉଁ ଆଦିମ କାଳରୁ ରହିଆସୁଛନ୍ତି। ଗାଁର ଲୋକ ସ˚ଖ୍ୟା ପ୍ରାୟ ୫୦ ହେବ। ଚାରିପଟେ ସୁଉଚ୍ଚ ସବୁଜ ବନାନୀ ମଝିରେ ଏହି ଗାଁ ରହିଥିବା ବେଳେ ସମସ୍ୟା ସବୁବେଳେ ଦେହଚର। ଏହି ଗାଁଟିକୁ ପାହାଡର ପାଦ ଦେଶରେ ରହିଥିବାରୁ ଏଠାକୁ ସରକାରଙ୍କର ଏକାଧିକ ଯୋଜନା ଏବେ ବି ଅପହଞ୍ଚ ହୋଇ ରହିଛି। ରାଜ୍ୟରେ ସରକାର ବିକାଶର ଡିଣ୍ତିମ ପିଟୁଥିବାବେଳେ ନେତାଙ୍କ ନିର୍ବାଚନ ବେଳର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏହି ଗାଁକୁ ଲାଗି ରହିଥିବା ଏକ ପାହାଡି ଝରଣା ବିକାଶକୁ ରୋକି ଦେଇଛି। ବାରିଣିପୁଟ ଛକରୁ ବଡିଗୁଡା ଯିବା ବାଟରେ ପଡିବ ଏହି ଗାଁ। ଦୁଇଟି ବଡ ବଡ ପଡିଆକୁ ଅତିକ୍ରମ କଲେ ଏହି ଗାଁକୁ ଯିବାକୁ ହୋଇଥାଏ। ଗାଁର ଭୌଗୋଳିକସ୍ଥିତି ଏପରି ଯେ ପ୍ରଶାସନ ଚାହିଁଲେ ଏହି ଗାଁକୁ ରାସ୍ଥାଟିଏ ତିଆରି କରିବା ସହ ବ୍ରିଜ ଟିଏ ନିର୍ମାଣ କରାଇପାରିବ। ହେଲେ ପ୍ରଶାସନ ଓ ରାଜନୀତିର ପଷାପାଲିରେ ପଡି ଏହି ଗାଁକୁ ରାସ୍ଥାଟି ତିଆରି ହୋଇପାରୁନି। ଫଳରେ ଅନ୍ୟଦିନେ ଯେମିତି ସେମତି ଚଳି ଯାଉଥିବାବେଳେ ବର୍ଷାଦିନେ ନାହିଁ ନ ଥିବା ହଇାରାଣ ହୁଅନ୍ତି ଏହି ଗାଁରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ୨୦ଟି ପରିବାର। ପାହାଡି ଝରଣା ଏହି ଗାଁକୁ ବାହ୍ୟ ପରିବେଶ ସହ ବିଚ୍ଛିର୍ଣ୍ଣ କରିଥାଏ। ବହୁବାର ଗାଁ ଲୋକେ ଏହି ରାସ୍ଥା ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ବି କିଛି ସୁଫଳ ମିଳିପାରିନି। ମୁଖ୍ୟରାସ୍ତାକୁ ସ˚ଯୋଗ କରୁଥିବା ରାସ୍ତା ନିର୍ମାଣ କରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ପାହାଡିଆ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗ୍ରାମବାସୀ ସହରକୁ ଆସି କାମ ଧନ୍ଧା କରି ପୁଣି ସେହି ରାସ୍ତାରେ ଫେରୁଥିବା ଦେଖିବାକୁ ପାଇଥିଲୁ। ସ୍ବାଧୀନତାର ଏତେ ବର୍ଷ ବିତିଯାଇଥିଲେ ଅତ୍ୟାବଶକୀୟ ସୁବିଧା ପାଇବାରେ ବଞ୍ଚିତ ହୋଇଛନ୍ତି ଏହି ଗ୍ରାମବାସୀ।
ଏହି ଗାଁରେ ପିଇବା ପାଇଁ ପାଣି ଟୋପେ ପିଇବା ପାଇଁ ପାହାଡି ଝରଣା ହିଁ ଭରଷା। ଗାଁକୁ ପାହାଡି ଝରଣାରୁ ଜଳ ସଂଗ୍ରହ କରାଯାଇ ସେଠାରୁ ଜଳ ଗାଁକ ଛଡାଯିବାକୁ ୯୦ ଦଶକରେ ଏକ ବ୍ୟବସ୍ତା ଗ୍ରହଣ କରାଯାଇଥିଲା। ହେଲେ ବର୍ଷ ଦୁଇବର୍ଷ ଏହା ଚାଲିବା ପରେ କିଛି ଅସାଧୁ ମଦବ୍ୟବସାୟୀ ଏହି ପାଇକକୁ କାଟି ନେଇଗଲେ। ଫଳରେ ଗାଁମୁଣ୍ଡରେ ରହିଥିବା ଭଙ୍ଗା ପମ୍ପ ହାଉସ ପଡିଥିବାବେଳେ ପାଇପକୁ ଲାଗି ମଦ ଭାଟି ଚାଲିଥିବା ଦେଖିବାକୁ ମିଳିଛି। ଏହି ଝରଣା ଖରାଦିନେ ଶୁଖିଲା ପଡୁଥିବାରୁ ଦେଶୀ ମଦରୁ ବାହାରୁଥିବା ବର୍ଯ୍ୟ ଯୋଗୁଁ ଅଧାଦିନେ ବ୍ୟବହାରଯୋଗ୍ୟ ହୋଇପାରି ନଥାଏ। ବର୍ଷା ଦିନେ ଏଥିରେ ଆବର୍ଜନା ମିଶା ପାଣି ଆସୁଥିବାରୁ ପାଣି ପିଇବା ତ ଯୋଗ୍ୟ ହୁଏ ନାହିଁ ବୋଲି ଗାଁର ପୂର୍ଣ୍ଣ ଜାନି କହିଛନ୍ତି। ଗାଁର ତ୍ରିନାଥ କମାର କରିଛନ୍ତି ଯେ ନିଜ ପିଠିରେ କାମ କରି କୋଲାବ ଡ୍ୟାମ ତିଆରି କଲୁ। ଆମ ଭିଟାମାଟି ବୋଲି ମାଝିଗୁଡା ପାଣିରେ ବୁଡିଗଲା। ଏହିଠାରେ ଆସି ରହିବାକୁ କେତେ ବର୍ଷ ହେଲାଣି ହେଲେ ଆମ ଗାଁକୁ ରାସ୍ଥାଟିଏ କି ପାଣି ଟିକେ ମିଳୁନି। ତେବେ ସରକାର ଆମ ପରି ଲୋକଙ୍କୁ ଛାଡି କାହାର ବିକାଶ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏନେଇ ଗାଁର ଇଶ୍ବର ହନ୍ତାଳ କହିଛନ୍ତି ଯେ ସୂର୍ଯ୍ୟ ଅସ୍ତ ହେଉ ହେଉ ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ ସବୁବେଳେ ଲାଗି ରହେ। କେଉଁ ଆଦିମ କାଳରୁ ଆମେ ଏହିଠାରେ ରହୁଥିବାବେଳେ ଆବଶ୍ୟକ ସୁବିଧା ପାଇଁ ବହୁବାର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି କିନ୍ତୁ କିଛି ସୁବିଧା ମିଳିପାରିନାର୍ହି ବୋଲି ସେ କହିଛନ୍ତି। ଏନେଇ ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ ଏହି ଗାଁଟି ପାଇଁ ଆମେ ଚିନ୍ତିତ। ମୁଖ୍ୟରାସ୍ତାରୁ ଗାଁକୁ ଯୋଡୁଥିବା ପାଦଚଲା ରାସ୍ଥାଟି ଗାଁ ରାସ୍ତା ହେବାକୁ ହେଲେ ଜମି ଦରକାର। କିଛି ଲୋକେ ଜମି ଦେଉ ନ ଥିବାରୁ ରାସ୍ତା ହୋଇପାରୁନି ବୋଲି ସେ କହିଛନ୍ତି।