ମୋବାଇଲ୍‌ ନେଟୱର୍କ ନାହିଁ, କେମିତି ହେବ ଅନ୍‌ଲାଇନ୍‌ ପାଠପଢ଼ା?

୧୧ଟି ପଞ୍ଚାୟତରେ ବାସ୍ତବତାକୁ ନେଇ ‘ସମ୍ବାଦ’ର ‘ଗ୍ରାଉଣ୍ଡଜିରୋ’ ରିପୋର୍ଟ

କେନ୍ଦୁଝର, (ସୁବ୍ରତ ସ୍ବାଇଁ): କରୋନା ଜୀବନ ନେଉଛି, ଜୀବିକା ବୁଡ଼ାଉଛି। ଏଥିସହ କରୋନା ପାଇଁ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ। ଗତ ମାର୍ଚ୍ଚ ମାସରୁ ପାଠପଢ଼ା ଠପ୍‌ ହେବାପରେ ମେ ମାସରୁ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଛି। ମାତ୍ର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ୧୧ଟି ପଞ୍ଚାୟତରେ ମୋବାଇଲ ନେଟୱର୍କ ନ ଥିବା ବେଳେ ଅଧିକାଂଶଙ୍କ ପାଖରେ ମୋବାଇଲ ମଧ୍ୟ ନାହିଁ। ତେଣୁ ସରକାରଙ୍କ ଅନ୍‌ଲାଇନ ପାଠପଢ଼ାର ସଫଳତା ଏଠି ଶୂନ।

ତେଲକୋଇ ବ୍ଲକରେ ମୋଟ ୨୫ଟି ପଞ୍ଚାୟତ ରହିଛି। ଏହି ୨୫ଟି ପଞ୍ଚାୟତ ମଧ୍ୟରୁ କାଳିଆହତା , ବଳଭଦ୍ରପୁର, ପୁରୁଯୋଡା, କରମଙ୍ଗୀ, ପଡାଙ୍ଗ, ରାଇସୁଆଁ , ତାଳପଦା, ଶିବନାରାୟଣପୁର ଗୋଡା, ଓରିଆ, ସଲେଇକେନା, କରଦାଙ୍ଗୀ ଭଳି ୧୧ଟି ପଞ୍ଚାୟତରେ ମୋବାଇଲ ନେଟୱର୍କ ନାହିଁ। ଏହି ପଞ୍ଚାୟତରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ । ଯେଉଁଥିପାଇଁ ଏମାନେ ଅନ୍‌ଲାଇନ ପାଠପଢ଼ାର ସୁବିଧା ପାଇ ପାରୁନାହାନ୍ତି।

ସୂଚନା ଅନସାରେ, ତେଲକୋଇ ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ରାଇସୁଆଁ, କୃଷ୍ଣପୁର, ମଧୁସୂଦନପୁରଠାରେ ହାଇସ୍କୁଲ ଥିବା ବେଳ ରାଇସୁଆଁ, ବେଣାମୁଣ୍ଡା, ସିନ୍ଦୁରିଆ, କାଟେଣିପଶି, ଜଗମୋହନପୁରଠାରେ ଆଶ୍ରମ ବିଦ୍ୟାଳୟ ରହିଛି। ଏଠାରେ ରାଇସୁଆଁ ହାଇସ୍କୁଲରେ ୩୧୨ ଜଣ ଛାତ୍ରଛାତ୍ରୀ ଥିବାବେଳେ କୃଷ୍ଣପୁର ହାଇସ୍କୁଲରେ ୨୫୬, ମଧୁସୂଦନପୁର ହାଇସ୍କୁଲରେ ୩୧୦ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ରାଇସୁଆଁ ଆଶ୍ରମ ବିଦ୍ୟାଳୟରେ ୨୦୭ ଜଣ ଛାତ୍ରଛାତ୍ରୀ, ବେଣାମୁଣ୍ଡଶ ଆଶ୍ରମ ବିଦ୍ୟାଳୟରେ ୪୨୪ ଜଣ ଛାତ୍ରଛାତ୍ରୀ, ସିନ୍ଦୁରିଆ ଆଶ୍ରମ ବିଦ୍ୟାଳୟରେ ୧୯୨ ଛାତ୍ରଛାତ୍ରୀ, କାଟେଣିପଶି ଆଶ୍ରମ ବିଦ୍ୟାଳୟରେ ୧୯୬ ଜଣ ଏବଂ ଜଗମୋହନପୁରରେ ୩୬୧ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଅନ୍‌ଲାଇନ ଶିକ୍ଷାଦାନର ସୁବିଧା ନେବାକୁ ହେଲେ ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ ରହିବା କଥା। ତେବେ ୩ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମଧ୍ୟ ଅନ୍‌ଲାଇନ୍‌ରେ ପାଠ ପଢ଼ିବାର ସୁବିଧା ନାହିଁ। ତେଲକୋଇ ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡିକର ମୋଟ ୨୨୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୬୫ ଜଣ ଛାତ୍ରଛାତ୍ରୀଙ୍କର ଆଣ୍ଡ୍ରଏଡ୍‌ ସେଟ ରହିଛି ଏବଂ ସେମାନଙ୍କ ପାଇଖକୁ ହ୍ବାଟସ୍‌ଆପ ଯୋଗେ ପାଠ୍ୟ ଉପକରଣ ନିୟମିତ ପଠାଯାଉଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୮ଟି ବିଦ୍ୟାଳୟ ମଧ୍ୟରୁ ୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ହିଁ ନାହିଁ। ତେଣୁ କୃଷ୍ଣପୁର ହାଇସ୍କୁଲ, ରାଇସୁଆଁ ହାଇସ୍କୁଲ, ରାଇସୁଆଁ ଆଶ୍ରମ ବିଦ୍ୟାଳୟ, ସିନ୍ଦୁରିଆ ଆଶ୍ରମ ବିଦ୍ୟାଳୟ, କାଟେଣିପଶି ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ। ସେହିପରି ଗଣଶିକ୍ଷା ବିଭାଗର ଅନଲାଇନ ପାଠପଢ଼ା ମଧ୍ୟ ସେମିତି। ତେଲକୋଇ ବ୍ଲକର ଏହି ୧୧ଟି ପଞ୍ଚାୟତରେ ମୋବାଇଲ ନେଟୱର୍କ ନ ଥିବାରୁ ବିଭାଗ ପକ୍ଷରୁ ନିୟମିତ ପଠାଯାଉଥିବା ପାଠ୍ୟ ପରାମର୍ଶରୁ ପିଲାମାନେ ବଞ୍ଚିତ ହେଉଛନ୍ତି। ‌ସେହିପରି, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ପାଠପଢ଼ା ଯାଉଛି। ଏହି ଅଞ୍ଚଳରେ ସବୁବେଳେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଥିବାରୁ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର