କୁଚିଣ୍ଡା/ଜରାବଗା: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ତେଣେ ସରକାର ଡିଜିଟାଲ୍ଇଣ୍ଡିଆକୁ ମଧ୍ୟ ପ୍ରାଧାନ୍ୟ ଦେବା ସହ ଖୁବ୍ଶୀଘ୍ର ୫-ଜି ଲଞ୍ଚ୍କରିବାକୁ ଯାଉଛନ୍ତ। ଏଥିପାଇଁ ବିଭିନ୍ନ ଘରୋଇ ସହ ସରକାରୀ ଟେଲି ସେବା ପ୍ରଦାନକାରୀ ସଂସ୍ଥା ବିଏସ୍ଏନ୍ଏଲ୍ମଧ୍ୟ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ମାତ୍ର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ର ଜରାବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲପଡ଼ା, ବିଲୁଙ୍ଗ, କର୍ଲିଆଡିହି, କୁଲେ, କିନାବଗା, ଦୁମକୁ, ସର୍ଗିଡିହି ଆଦି ୭ ରାଜସ୍ବ ଗ୍ରାମରେ ବାସିନ୍ଦାଙ୍କ ପାଇଁ ଯେମିତି ଏହା ଉପହାସ ପାଲଟିଛି।
ଏହି ଗ୍ରାମଗୁଡ଼ିକରେ ନେଟଓ୍ବାର୍କ ନଥିବାରୁ ଲୋକେ ମୋବାଇଲ୍ସେବାରୁ ବଞ୍ଚିତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ୪ଜି ତ ଦୂରର କଥା ୨ଜି ନେଟ୍ୱାର୍କ ମଧ୍ୟ ଏଠାରେ ଆସେ ନାହିଁ। ଫଳରେ ମୋବାଇଲ୍ଉପଭୋକ୍ତା ବିଶେଷ କରି ଛାତ୍ରଛାତ୍ରୀ, ଚାଷୀ ତଥା ସରକାରୀ/ବେସରକାରୀ ଚାକିରିଆମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେଟ୍ୱାର୍କ ନଥିବାରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ମାଧ୍ୟମରେ ପାଠପଢ଼ା, ନାମଲେଖା, ପରୀକ୍ଷା ଫର୍ମ ଆଦି ପୂରଣ କରିପାରୁ ନାହାନ୍ତି। କେତେକ ଗ୍ରାମରେ ତ ପିଲାମାନେ ନେଟ୍ୱାର୍କ ପାଇଁ ପାହାଡ଼ ଉପରକୁ ଚଢ଼ି ବିପଦସଂକୁଳ ଅବସ୍ଥାରେ ବସି ଅନ୍ଲାଇନ୍ପାଠ ପଢୁଥିବା ଦେଖିବାକୁ ମିଳୁଛି।
ସେହିପରି ବର୍ତ୍ତମାନ ଚାଷୀମାନେ ମଧ୍ୟ ଧାନ ବିକା ପାଇଁ ଟୋକନ୍ପାଇବା ତଥା ମୋବାଇଲ୍ଜରିଆରେ ହେଉଥିବା ଅନ୍ୟାନ୍ୟ କାମ କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ/ବେସରକାରୀ ଚାକିରିଆମାନେ ଛୁଟି ଦରଖାସ୍ତଟିଏ ଦେବା କି କୌଣସି ଜରୁରୀ ଚିଠି ମେଲ୍କରିବାକୁ ହେଲେ ଅନ୍ୟ ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡୁଛି। ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ସୁଫଳ ମିଳୁ ନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମଗୁଡ଼ିକରେ ୬ ହଜାରରୁ ଅଧିକ ଉପଭୋକ୍ତା ମୋବାଇଲ୍ରଖିଥିଲେ ହେଁ ତାହା ବ୍ୟବହାର କରିପାରୁ ନାହାନ୍ତି। କେବଳ ପ୍ରତି ମାସରେ ମୋବାଇଲ୍ରିଚାର୍ଜ ବାବଦକୁ ଟଙ୍କା ଭରିବା ହିଁ ସାର ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଶୀଘ୍ର ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।