ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ୍ ମନା। ଯେଉଁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି, ସେମାନେ ଯିବାପୂର୍ବରୁ ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ଖୋଲାଯିବାକୁ ଥିବା ସ୍ବତନ୍ତ୍ର କାଉଣ୍ଟରରେ ନିଜ ନିଜ ମୋବାଇଲ୍ ରଖିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁରୁବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ. ବିଶାଳ ସିଂହ, ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଡି ବି ଗଡ଼ନାୟକ, ସମସ୍ତ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଥିଲେ, ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମାଟିତୋଟାରେ ୩୨ ଏକର ଜାଗାରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ହେବାକୁ ଯାଉଛି। ଆଜି ବିର୍ଲା ଫାଉଣ୍ଡେସନ୍ ସହ ଏ ନେଇ ଏମ୍ଓୟୁ (ବୁଝାମଣାପତ୍ର) ସ୍ବାକ୍ଷରିତ ହୋଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଆଇନରେ ପଞ୍ଜୀକୃତ ହୋଇଥିବା ବେଳେ ଆଦର୍ଶ ଗୁରୁକୁଳ ପାଇଁ ଚିହ୍ନଟ ଜମି ସୋସାଇଟିକୁ ହସ୍ତାନ୍ତର କରାଯିବ। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର ଏହି ଜମି ସୋସାଇଟି ନାଁକୁ ପରିବର୍ତ୍ତନ କରାଯିବ। ଏହାକୁ ପରିଚାଳନା କମିଟି ଅନୁମୋଦନ କରିଛି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ଏମ୍ଓୟୁ
ରଥକାଠ ପାଇଁ ତ୍ବରାନ୍ବିତ ହେବ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ
ଏନ୍ଜିଟିଙ୍କ ଜରିମାନା ଉପରେ ଆବେଦନ କରାଯିବ
ରଥଯାତ୍ରା ସମ୍ପର୍କରେ ସୂଚନା ଦେଇ ଶ୍ରୀ ଯାଦବ କହିଥିଲେ, ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ସ୍ବତନ୍ତ୍ର ଭାବେ ବିଭିନ୍ନ ଜିଲ୍ଲାରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ କରାଯାଇଛି। କିନ୍ତୁ, ରଥକାଠ ଅଭାବ ନେଇ ଅଭିଯୋଗ ଆସିବା ପରେ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ ଥିବା ୪ହଜାର ହେକ୍ଟର ଜମିରୁ ୩ହଜାର ୬ଶହ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। ବାକି ଜମିରେ କିଭଳି ଗଛ ଲାଗିବ, ପରିଚାଳନା କମିଟି ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ଏବଂ ଆବଶ୍ୟକ ପଦକ୍ଷେପ ନେଇ ପରାମର୍ଶ ଦେବେ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ଲାଗିଥିବା ଗଛର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଉପରେ ପରାମର୍ଶ ଦେବେ। ‘ ମହାପ୍ରଭୁଙ୍କ ନାଁରେ ୧୬ଶହ ଏକର ଜଙ୍ଗଲ କିସମ ଜମି ରହିଛି। ସେଠାରେ ବି ରଥ ନିର୍ମାଣ ପାଇଁ ଆବଶ୍ୟକ ଗଛ ଲଗାଇବାକୁ ଅନୁରୋଧ କରିବୁ,’ ବୋଲି ଶ୍ରୀ ଯାଦବ କହିଥିଲେ।
ସେହିଭଳି, ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ପାରିପାର୍ଶ୍ବିକ ଉନ୍ନତି ପ୍ରକଳ୍ପ ଉପରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରକଳ୍ପର ରୂପରେଖ ଉପସ୍ଥାପନ କରାଯାଇଥିଲା। ରୂପରେଖ ଦେଖିବା ପରେ ପରିଚାଳନା କମିଟି ଏହାକୁ ଅନୁମୋଦନ କରିଛି। ପରବର୍ତ୍ତୀ ସମୟରେ ଏହାର ଟେଣ୍ଡର କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ। ଶ୍ରୀଗୁଣ୍ଡିଚା ମରାମତି ଉପରେ ବି ଆଜି ଆଲୋଚନା ହୋଇଥିଲା। ଯେହେତୁ ବିମ୍ ଓ କଲମ୍ ଆଦିର ମରାମତି ହେବ, ସେଥିପାଇଁ ଟେଣ୍ଡର ଡାକିବାକୁ ନିଷ୍ପତ୍ତି ହୋଇଛି। ଏପ୍ରିଲ ପୂର୍ବରୁ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହାପ୍ରଭୁଙ୍କ ପଥର ଖଣି ଖନନ ଓ ଜଙ୍ଗଲ ନଷ୍ଟ ଉପରେ ଏନ୍ଜିଟି ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କାର ଜରିମାନା କରିଛି। ଏହି ଆଦେଶ ଅନୁପାଳନ ସହ ଏହାଉପରେ ଏନ୍ଜିଟିରେ ଅପିଲ୍ କରିବାକୁ ନିଷ୍ପତ୍ତି ହୋଇଛି। ଭବିଷ୍ୟତରେ ଖଣି, ଜଙ୍ଗଲ ଆଦି ସୁରକ୍ଷିତ ଦିଗରେ ସତର୍କ ରହିବୁ ବୋଲି କୋର୍ଟଙ୍କୁ ନିବେଦନ କରିବୁ ବୋଲି ଶ୍ରୀ ଯାଦବ କହିଛନ୍ତି।
ତେବେ, ଏଥରର ବୈଠକରେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ।