ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ାର ମାଧ୍ୟମ ଏବେ ବଡ଼ଗଛ ଓ ପାହାଡ଼
ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଅନେକ ପଞ୍ଚାୟତରେ ଆଜି ବି ବସିପାରିନାହିଁ ମୋବାଇଲ ଟାୱାର
ଫୁଲବାଣୀ : କରୋନା ମହାମାରୀ ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିଛି। ବିଗତ ଦୁଇବର୍ଷ ଧରି ସ୍କୁଲ ବନ୍ଦ ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅପରପକ୍ଷେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନରେ ଶିକ୍ଷା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ମାତ୍ର ଏ ସମସ୍ତ ଅନ୍ଲାଇନ ପାଠପଢ଼ା ଆଦିବାସୀ ଅଞ୍ଚଳରେ କେମିତି ଚାଲିଛି, ତାହାର ସ୍ଥିତି ପରଖିବା ପାଇଁ ଆମେ ପହଞ୍ଚିଥିଲୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପାହାଡ଼ ଉପରେ ଥିବା ଏକ କନ୍ଧ ଆଦିବାସୀ ଗାଁ ସରୁକୋଇରେ।
ସରୁକୋଇ ଗାଁଟି ସମୁଦ୍ର ପତ୍ତନଠାରୁ ୨୧୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହି ଗାଁଟି ଏତେ ଉଚ୍ଚରେ ଅବସ୍ଥିତ ଯେ, ଫିରିଙ୍ଗିଆ-ଫୁଲବାଣୀ ମୁଖ୍ୟ ରାସ୍ତାରୁ ପ୍ରାୟ ୪ କିଲୋମିଟର ସର୍ପବକ୍ରିଳ ଘାଟି ରାସ୍ତା ଅତିକ୍ରମ କରି ଗଲାପରେ ଗାଁରେ ପହଞ୍ଚିବାକୁ ପଡ଼ିଥାଏ। ଏହି ଗାଁଟିରେ କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ବାସ କରନ୍ତି। ଏହି ଗାଁକୁ ବିଏସ୍ଏନ୍ଲର ୪-ଜି ନେଟୱର୍କ କିମ୍ବା ଅନ୍ୟାନ୍ୟ କୌଣସି ଘରୋଇ ସଂସ୍ଥାର ନେଟୱର୍କ ମଧ୍ୟ ଆସୁନାହିଁ। ମାତ୍ର, ଗାଁର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବିଏସ୍ଏନ୍ଏଲ ନେଟ୍ୱର୍କ ପହଞ୍ଚି ପାରୁଛି। ଗୋଟିଏ ଦୁଇଟି ନିର୍ଦ୍ଦିଷ୍ଟ ପାହାଡ଼ ଏବଂ କେତେକ ଗଛ ଉପରକୁ ଚଢ଼ିଲେ ନେଟ୍ୱର୍କ ଆସିଥାଏ। ଏଣୁ କ୍ଲାସ ସମୟ ହେଲେ ପିଲାମାନେ ପାହାଡ଼ କିମ୍ବା ଗଛ ଉପରକୁ ଚଢ଼ିବା ପାଇଁ ବ୍ୟାକୁଳ ହୋଇପଡ଼ନ୍ତି।
ଫିରିଙ୍ଗିଆ ବ୍ଲକ୍ ସରୁକୋଇ ଗାଁରେ ପହଞ୍ଚିଲା ବେଳକୁ ଗୋଟିଏ ମହୁଲ ଗଛ ଉପରେ ଦୁଇ ତିନି ଜଣ ଛାତ୍ରଛାତ୍ରୀ ଚଢ଼ିଥିବାର ଦେଖିଲୁ। ସେମାନଙ୍କ ମଧ୍ୟରୁ ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କହଁର, କଳ୍ପନା କହଁର, ରାଜୀବ ଜାନି ଓ ଚିଣ୍ଟୁ ମଲିକ ଛାତ୍ରଛାତ୍ରୀ ଗୋଟିଏ ମହୁଲ ଗଛକୁ ଦଖଲ କରି ନେଇଥିଲେ। ଏହି ୪ ଜଣ ଛାତ୍ରଛାତ୍ରୀ ଗୋଟିଏ ମୋବାଇଲ୍ରେ ଯାହିତାହି ୟୁଟୁବ୍ରେ କ୍ଲାସ୍ କରୁଥିଲେ। ଗୁରୁବାର ତାଙ୍କର ଗଣିତ, ବିଜ୍ଞାନ କ୍ଲାସ ଥିଲା ବୋଲି ଛାତ୍ର ସିଦ୍ଧାନ୍ତ କହଁର କହିଥିଲେ। ସେମାନଙ୍କ ସହ କଥାବାର୍ତ୍ତା ହୋଇ ଗାଁର ଶେଷ ମୁଣ୍ଡରେ ଥିବା ଏକ ମୁଣ୍ଡିଆ ପାହାଡ଼ ନିକଟରେ ପହଞ୍ଚିଲାବେଳକୁ ସେଠି ବି କିଛି ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିବାର ଦେଖିବାକୁ ପାଇଥିଲୁ। ସେଠି ଗୋଟିଏ ମୋବାଇଲ ଧରି ଦୁଇ ତିନି ଜଣ ଛାତ୍ରଛାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନବମ ଶ୍ରେଣୀ ଛାତ୍ର ନିଲୁ କହଁର, ରାଜୀବ ଲୋଚନ ଯାନୀ ଆଦି କେତେଜଣ ଛାତ୍ର।
ସେହିଭଳି ଆଉ ଗୋଟିଏ ଗ୍ରୁପ୍ରେ ଅନ୍ୟ ଗୋଟିଏ ଗଛରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତୋସିନୀ ମଲିକ, ସ୍ବପ୍ନା କହଁର, ମଙ୍ଗୁଲୁ ମଲିକ ଚଢ଼ିଥିଲେ। ଏହି ଛାତ୍ରଛାତ୍ରୀ ପ୍ରାଣବିକଳରେ ମୋବାଇଲ ଫୋନ୍ଟିକୁ ଧରି ପାଠ ପଢ଼ିବାକୁ ଯେଉଁ ଅପଚେଷ୍ଟା କରୁଥିଲେ, ତାହା ଆମ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ରକୁ ପଦାରେ ପକାଇ ଦେଇଥିଲା। ଏହି ଛାତ୍ରଛାତ୍ରୀମାନେ ‘ସରୁକୋଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ’ରେ ପାଠ ପଢୁଥିଲେ। ମାତ୍ର, କୋଭିଡ ମହାମାରୀ ଯୋଗୁଁ ସେମାନେ ଏବେ ଆଉ ସ୍କୁଲକୁ ଯାଉନାହାନ୍ତି।
ସ୍କୁଲ ବନ୍ଦ ଥିବାରୁ ଶିକ୍ଷକମାନେ ପ୍ରାୟ ଆସୁନାହାନ୍ତି ବୋଲି ଗ୍ରାମବାସୀ କହିଥିଲେ। କିନ୍ତୁ ସୌଭାଗ୍ୟବଶତଃ ପ୍ରଧାନଶିକ୍ଷକ ବୀରଭଦ୍ର ବେହେରା ଗାଁକୁ ଆସିଥିଲେ। ମାତ୍ର କୌଣସି ସରକାରୀ କାର୍ଯ୍ୟରେ ସେ ଫିରିଙ୍ଗିଆ ବ୍ଲକ୍ ମୁଖ୍ୟାଳୟକୁ ଚାଲି ଯାଇଥିଲେ। ତେବେ ଗାଁରେ ଆଉ ଜଣେ ସହକାରୀ ଶିକ୍ଷକ ବିନୋଦ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଶିକ୍ଷକ ଶ୍ରୀ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ସ୍କୁଲ ପକ୍ଷରୁ ଅନ୍ଲାଇନ ମାଧ୍ୟମରେ କୌଣସି ଶିକ୍ଷାଦାନର ବ୍ୟବସ୍ଥା ହୋଇନାହିଁ। ମାତ୍ର ସରକାରଙ୍କ ପକ୍ଷରୁ ୟୁଟ୍ୟୁବ୍ ମାଧ୍ୟମରେ ଅନ୍ଲାଇନ ଶିକ୍ଷାଦାନ କରାଯାଉଛି।
ସ୍କୁଲର ଯେଉଁ ଛାତ୍ରଛାତ୍ରୀଙ୍କ ମୋବାଇଲ ନମ୍ବରକୁ ପଞ୍ଜୀକୃତ କରାଯାଇଛି, ସେଥିରେ ଲିଙ୍କ୍ ଦିଆଯାଉଛି। ଲିଙ୍କ୍ ଖୋଲିଲେ ଛାତ୍ରଛାତ୍ରୀମାନେ ପାଠ ପଢିପାରୁଛନ୍ତି। ମାତ୍ର ବାସ୍ତବରେ ଏ ୟୁଟ୍ୟୁବ୍ ଶିକ୍ଷାଦାନ ଏଭଳି ଆଦିବାସୀ ଗାଁର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରହସନ ପାଲଟିଛି ବୋଲି ସରୁକୋଇ ଗ୍ରାମର ଜଣେ ଅଭିଭାବକ ଟୁଙ୍ଗୁରୁ କହଁର କହିଛନ୍ତି। ଟୁଙ୍ଗୁରୁଙ୍କ ବଡ଼ ପୁଅ ନିଲୁ କହଁର ନବମ ଶ୍ରେଣୀରେ ପଢୁଛି। ଆସନ୍ତା ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବ। ମାତ୍ର, ପାଠପଢ଼ାର ନାଁ ଗନ୍ଧ ନାହିଁ। ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଅନ୍ଲାଇନ ପାଠପଢ଼ା କେବଳ ଧୂଆଁବାଣ ବୋଲି ଗ୍ରାମର ଆଉ ଜଣେ ଅଭିଭାବକ ସନତ କୁମାର ଜାନି କହନ୍ତି। ସନତଙ୍କ ପୁଅ ରାଜୀବ ଲୋଚନ ଜାନି ବି ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ଏସବୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି।
ସରକାର ଚଳିତବର୍ଷ ଜୁନ୍ ୨୧ ତାରିଖରୁ ଅନ୍ଲାଇନ ଓ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢ଼ା ଆରମ୍ଭ କରିଛନ୍ତି। ଅନ୍ଲାଇନ ପାଠପଢ଼ା ପାଇଁ ଦାମୀ ସ୍ମାର୍ଟଫୋନ୍ ସହିତ ୪-ଜି ନେଟ୍ୱର୍କ ଜରୁରୀ। ମାତ୍ର ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଅନେକ ପଞ୍ଚାୟତରେ ଆଜିର ଦିନରେ ବି ମୋବାଇଲ ଟାୱାର ବସିପାରିନାହିଁ। ନେଟ୍ୱର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ବଣ, ପାହାଡ଼ ଡେଇଁ ବିଚିତ୍ର ସ୍ଥାନମାନଙ୍କରେ ବସି ଅନ୍ଲାଇନ ପାଠ ପଢୁଥିବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର କେବଳ ଫିରିଙ୍ଗିଆ ବ୍ଲକରେ ଏଭଳି ସମସ୍ୟା ଦେଖାଦେଇନି। ବରଂ ଜିଲ୍ଲାର ତୁମୁଡ଼ିବନ୍ଧ, କୋଟଗଡ଼, ବାଲିଗୁଡ଼ା, ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି, ଖଜୁରୀପଡ଼ା, ଚକାପାଦ ଏବଂ ଫୁଲବାଣୀ ସଦର ବ୍ଳକ୍ରେ ନେଟ୍ୱର୍କ ସମସ୍ୟା ବହୁ ଗୁରୁତର ରହିଛି। ଜିଲ୍ଲାର କେବଳ ମାତ୍ର ୫ରୁ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଅନ୍ଲାଇନରେ ପାଠ ପଢ଼ିବାକୁ ସମର୍ଥ ହେଉଥିବାବେଳେ ବାକି ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଛନ୍ତି। କିନ୍ତୁ ଅନ୍ଲାଇନରେ ପାଠପଢ଼ା ଚାଲିଛି ବୋଲି ସରକାର ପ୍ରଚାରରେ ବ୍ୟସ୍ତ ଅଛନ୍ତି।