ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ନେତା ସଭା ମଞ୍ଚରେ, ଗାଁ ଗାଁରେ ବୁଲିକି କହିଲେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛି। ହେଲେ ବିଜେଡି ସରକାର ଏହାକୁ ଖର୍ଚ୍ଚ କରିପାରୁନି। ଏବେ ରାଜ୍ୟରେ ବିଜେପି ସରକାର ଆସିବାର ୫ମାସ ବିତିଗଲାଣି। ହେଲେ ରାଜ୍ୟ‌ର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ଥିତି ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଏବେଠୁ ଗାଁ ଗାଁରେ ପିଇବା ପାଣିକୁ ନେଇ ସ୍ଥିତି  ସଙ୍ଗିନ ହେଲାଣି। ଆଉ ମାସେ ଦୁଇ ମାସ ପରେ ଗାଁ ଗାଁରେ ଲୋକ ପାଣି ପାଇଁ ଡହଳ ବିକଳ ହେବେ, ତାହା ଜଳଜଳ ହୋଇ ଦିଶିଲାଣି।

Advertisment

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ରାଜ୍ୟର ୪୭,୨୭୪ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୫୨ହଜାର କୋଟି ଟଙ୍କାରେ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ହୋଇଛି। ଏଥିରୁ ମାତ୍ର ୧୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ବର୍ଷକ ତଳେ ଶେଷ ହୋଇଥିଲା। ବାକି ୧୯୧ଟି ପ୍ରକଳ୍ପ ଏମିତି ସ୍ଥିତିରେ ଅଛି ଯେ କେବେ ସରିବ ସେନେଇ କିଛି ସମୟ ସୀମା ଧାର୍ଯ୍ୟ ହୋଇପାରୁନି। ଏହି ସବୁ ପ୍ରକଳ୍ପ କାମ ନଆଗେଇବାର ପ୍ରମୁଖ କାରଣ ହେଉଛି କେନ୍ଦ୍ର ସରକାର ଜଳ ଜୀବନ ମିସନରେ ଯେଉଁ ଅର୍ଥ ଦେଉଥିଲେ ଏବେ ତାହା ଆସିନି। ବହୁ ଠିକା ସଂସ୍ଥାଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁନଥିବାରୁ ସେମାନେ କେତେକ ସ୍ଥାନରେ କାମ ବନ୍ଦ କରିଦେଇଥିବାବେଳେ ଆଉ କେତେକ ସ୍ଥାନରେ କେବଳ କିଛି କର୍ମଚାରୀଙ୍କୁ ମୁତୟନ କରି ରଖିଛନ୍ତି। ଏପରିକି ବିଭିନ୍ନ ଠିକା ସଂସ୍ଥା ସେମାନଙ୍କ ପ୍ରାପ୍ୟ ବାବଦକୁ ପ୍ରାୟ ହଜାରେ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ପାଇବାକୁ ଥିବାବେଳେ ଏହାକୁ ଦିଆଯାଉନି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ପାନୀୟ ଜଳ ଯୋଗାଣ ପାଇଁ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦକୁ ୨୦୧୯-୨୦ରୁ ୭୭୧୨.୭୦କୋଟି ଟଙ୍କା ମିଳିଛି। ଯେତିକି ଟଙ୍କା ମିଳିଥିଲା ପ୍ରାୟ ସବୁ ଖର୍ଚ୍ଚ ହୋଇଯାଇଛି। ତେଣୁ ଏବେ କେତେକ ସ୍ଥାନରେ କେନ୍ଦ୍ରୀୟ ଯୋଜନା ବାବଦକୁ ଟଙ୍କା ଦେବାରେ ସମସ୍ୟା ହେଉଛି। ଅପରପକ୍ଷେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମୋଟ୍ ୮୮,୬୭,୧୪୯ଟି ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରୁ ଆଜି ସୁଦ୍ଧା ୬୬,୮୦,୫୨୧ଟି ପରିବାରକୁ ପାନୀୟ ଜଳ ଯୋଗାଣ ହୋଇଛି। ଅର୍ଥାତ୍ ୭୫.୩୪% ପରିବାରକୁ ପାନୀୟ ଜଳ ଯୋଗାଣ ହୋଇଛି। ଏବେ ଓଡ଼ିଶା‌ ସାରା ଦେଶରେ ପଛରେ ପଡ଼ିଯାଇଛି। ମୋଟ୍ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ଏବେ ୨୮ତମ ସ୍ଥାନରେ ଅଛି। ରାଜ୍ୟରେ ଏବେବି ସବୁ ଘରକୁ ପାନୀୟ ଜଳ ଯୋଗାଣ ସାତ ସପନ ହୋଇଛି। ବିଡ଼ମ୍ବନାର ବିଷୟ ଗତ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ ଯେ ରାଜ୍ୟରେ ୬୨,୬୫,୫୭୧ଟି ପରିବାରକୁ ପାନୀୟ ଜଳ ଯୋଗାଣ ହୋଇଛି। ଅର୍ଥାତ୍ ଟାର୍ଗେଟ୍‌ର ପ୍ରାୟ ୭୧% ଘରକୁ ପାନୀୟ ଜଳ ଯୋଗାଣ ହୋଇଥିଲା। ଏହି ବର୍ଷକରେ ଆଉ ମାତ୍ର ୪% ଅଧିକ ଘରକୁ ପାନୀୟ ଜଳ ଯୋଗାଣ ହୋଇଛି। ଏଭଳି ସ୍ଥିତିରେ ଡିସେମ୍ବର, ୨୦୨୫ ସୁଦ୍ଧା ସମସ୍ତ ପ୍ରକଳ୍ପ ଶେଷ କରିବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବାକୁ ଯାଉଛି। 

ବହୁ ପ୍ରକଳ୍ପ କେବଳ ପାଇପ୍‌ କିଣାରେ ଅଟକିଛି
ମାତ୍ର ୧୬ଟି ପ୍ରକଳ୍ପ ସରିଛି, ଜଳ ଯୋଗାଣରେ ଓଡ଼ିଶା ସ୍ଥାନ ୨୮
ବର୍ଷକରେ ୪% ଅଧିକ ଲୋକଙ୍କୁ ପାଣି ମିଳିଛି

ସରକାରଙ୍କ ଏହି ତଥ୍ୟ ବି ଗୋଳମାଳିଆ ଅଛି। କାରଣ ପ୍ରକଳ୍ପର କାମ ଅନୁସାରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ହେଉଛି ବୋଲି ଦର୍ଶାଯାଉଛି। କିନ୍ତୁ କ୍ଷେତ୍ରରେ ଚିତ୍ର ପୂରା ଭିନ୍ନ। ବହୁ ପ୍ରକଳ୍ପରେ ପାଣି ଉଠାଇବା ପାଇଁ ଇନଟେକ୍ ୱେଲ୍‌ ହୋଇନି। ଜଳ ବିଶୋଧନାଗାର, ପାଣି ସଂରକ୍ଷିତ କରି ରଖିବା ପାଇଁ ଓଭରହେଡ୍‌ ଟାଙ୍କି, ସମ୍ପ୍‌ ନିର୍ମାଣ ହୋଇନି। ପାଇପ୍ ବିଛାଯାଇନି କି ପମ୍ପ୍‌ ଓ ସବ୍‌ଷ୍ଟେସନ୍ ନିର୍ମାଣ ହୋଇନି। କେବଳ ପାଇପ୍‌ କିଣାକୁ ଦେଖି ରାଜ୍ୟ ସରକାର ପ୍ରକଳ୍ପ ଆଗେଇଥିବା ନେଇ କେନ୍ଦ୍ରକୁ ରିପୋର୍ଟ ଦେଇଛନ୍ତି। ଏକ ଠିକା ସଂସ୍ଥାର  ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଓଡ଼ିଶାରେ କାମ କରୁଥିବା ଠିକା ସଂସ୍ଥାଙ୍କୁ ସହଜରେ ଡି.ଆଇ ପାଇପ୍ ମିଳୁନି। ସାରା ଦେଶରେ ପାନୀୟ ଜଳ ଯୋଗାଣ ପାଇଁ କାମ ହେଉଥିବାରୁ ଡି.ଆଇ ପାଇପ୍‌ ନିର୍ମାଣକାରୀ କମ୍ପାନି ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ବିଭିନ୍ନ ରାଜ୍ୟର ସରକାର ସିଧାସଳଖ କମ୍ପାନିଗୁଡ଼ିକ ଉପରେ ଚାପ ପକାଇ ପାଇପ୍ କିଣି ନେଉଛନ୍ତି। କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର ଏନେଇ କିଛି ମୁଣ୍ଡ ଖେଳାଉନାହାନ୍ତି।

ଏହାବାଦ୍ ବିଭିନ୍ନ ଆଇଆଇଟିରୁ ପ୍ରସ୍ତୁତ ହୋଇ ଆସୁଥିବା ଡିଜାଇନ୍‌କୁ ପାନୀୟ ଜଳ ବିଭାଗର ଅଧିକାରୀମାନେ ବାରମ୍ବାର ବଦଳାଉଥିବାରୁ ପ୍ରକଳ୍ପ ବିଳମ୍ବ ହେଉଛି। ଯେଉଁଠି ଓଭରହେଡ୍‌ ଟାଙ୍କି, ବିଶୋଧନାଗାର ହେବ ବୋଲି ସ୍ଥିର କରୁଛନ୍ତି ସେଠାରେ ସରକାର ଜମି ଯୋଗାଇ ପାରୁନାହାନ୍ତି। ଯାହା ପାନୀୟ ଜଳ ପ୍ରକଳ୍ପରେ ବାଧକ ସାଜିଛି।

ସୂଚନାଯୋଗ୍ୟ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ, ଡିସେମ୍ବର, ୨୦୨୪ ସୁଦ୍ଧା ପ୍ରତି ଗାଁରେ ଘରେ ଘରେ ପାଇପ୍ ପାଣି ଯୋଗାଣ ହେବ। ଏହାପରେ ଡିସେମ୍ବର, ୨୦୨୫ ସୁଦ୍ଧା ପାଣି ଯୋଗାଇବାକୁ ନୂଆ ଟାର୍ଗେଟ୍ ରଖାଯାଇଛି। ଏବେ ସୁଦ୍ଧା ‌େଶଷ ହୋଇଥିବା ୧୬ଟି ପ୍ରକଳ୍ପରୁ ଅନୁଗୁଳରେ ୬ଟିରୁ ୨ଟି, ବାଲେଶ୍ବରରେ ୬ଟିରୁ ଗୋଟିଏ, ଭଦ୍ରକରେ ଦୁଇଟିରୁ ଗୋଟିଏ, ବଲାଙ୍ଗୀରରେ ୧୪ରୁ ଗୋଟିଏ, କଟକରେ ୬ଟିରୁ ଗୋଟିଏ, ଯାଜପୁରରେ ୧୦ଟିରୁ ଗୋଟିଏ, କେନ୍ଦୁଝରରେ ୯ଟିରୁ ୩ଟି, ନୂଆପଡ଼ାରେ ୫ଟିରୁ ୫ଟି, ପୁରୀରେ ୭ଟିରୁ ଗୋଟିଏ ପ୍ରକଳ୍ପ ଶେଷ ହୋଇଛି। ଅର୍ଥାତ୍ ୩୦ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ ଗୋଟିଏ ବି ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ହୋଇନି। ସବୁଠୁ ଅଧିକ ଜଳକ୍ଳିଷ୍ଟ ଅଞ୍ଚଳ ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ୫୬ଟି ମେଗା ପାନୀୟ ଜଳ ପ୍ରକଳ୍ପରୁ ମାତ୍ର ୬ଟି ପ୍ରକଳ୍ପ ଶେଷ ହୋଇଛି। ଦକ୍ଷିଣ ଓଡ଼ିଶାରେ ୪୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବାବେଳେ ଗୋଟିଏ ବି ପ୍ରକଳ୍ପ ଶେଷ ହୋଇନି। ଡବଲ୍‌ ଇଞ୍ଜିନ ସରକାରରେ ଲୋକଙ୍କ ଜଳକ୍ଳିଷ୍ଟର ସମାଧାନ ହେବା ବଦଳରେ ଏହା ବଢ଼ିବାରେ ଲାଗିଛି।