‘ଆକାଂକ୍ଷୀ’ ପାଇଁ ଟଙ୍କା ନାହିଁ

ପୁରୁଣା ଟଙ୍କାରେ ନୂଆ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପୁରୁଣା ଟଙ୍କାରେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଆକାଂକ୍ଷୀ ଜିଲ୍ଲାର ବିକାଶ ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ କୌଣସି ଅର୍ଥ ବା ଅନୁଦାନ ଦେବେ ନାହିଁ। ଏ ନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ପତ୍ର ଲେଖି କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି। ସ୍ପଷ୍ଟ କରିଦେଇଛନ୍ତି ଯେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ଅର୍ଥରେ ହିଁ ଏସବୁ ଜିଲ୍ଲାର ବିକାଶ କର। ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟର ସଚିବ ଅନିଲ ମୁକିମ୍‌ ଗତ ୧୭ ତାରିଖରେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ନୀତି ଆୟୋଗ ୧୧୫ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ କରିଛନ୍ତି। ଏସବୁ ଜିଲ୍ଲାର ଚିହ୍ନଟ କ୍ଷେତ୍ରର ବିକାଶ ପାଇଁ ଏକ ସମୟ ଭିତ୍ତିକ କାର୍ଯ୍ୟଖସ଼ଡା ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ଟଙ୍କାରେ ପରିଚାଳିତ ହେବ। ଗତ ନଭେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରଗତି ବୈଠକରେ ମଧ୍ୟ ଏ ସଂପର୍କରେ ଆଲୋଚନା କରାଯାଇଥିଲା ଯେ ଏହି ପାଣ୍ଠିରେ ସଂଗୃହୀତ ଅର୍ଥ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁସାରେ ହିଁ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ହେବ। ଏହି କ୍ରମରେ ଦେଶର ୧୧୫ଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ୯୩ଟିରେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ଗଠନ ଅର୍ଥ ଖର୍ଚ୍ଚର ସୁଯୋଗ ରହିଛି। ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସମୟ ଭିତ୍ତିକ ବିକାଶ କାର୍ଯ୍ୟକ୍ରମରେ ଏହି ଅର୍ଥ ବିନିଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେବା ପାଇଁ
ମୁଖ୍ୟସଚିବଙ୍କୁ ଲେଖିଥିବା ପତ୍ରରେ ଗୁରୁତ୍ୱାରୋପ କରିଛନ୍ତି। ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା ଏହି ୧୦ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ କରିଛି ନୀତି ଆୟୋଗ। ତେବେ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ପରେ ଆକାଂକ୍ଷୀ ଯୋଜନାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଏକାଠି ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଥିଲେ ହେଁ, ଆକାଂକ୍ଷୀ ଯୋଜନା କ୍ଷେତ୍ରରେ କେନ୍ଦ୍ରର ଆଭିମୁଖ୍ୟକୁ ଖୋଲା ବିରୋଧ କରିଛି ବିଜେଡି।

କେନ୍ଦ୍ର କହିଲା, ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ କର, ବିଜେଡି ଓ କଂଗ୍ରେସର ବିରୋଧ

ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ର ସରକାର ଏସବୁ ପଛୁଆ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅନୁଦାନ ନ ଦେବା ଦୁର୍ଭାଗ୍ୟଜନକ। ଏହାକୁ ବିଜେଡି ନିନ୍ଦା କରୁଛି। ଶ୍ରୀ ଦେବ କହିଛନ୍ତି, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ ବେଳେ ନୀତି ଆୟୋଗର ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ସେ ସମୟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ସରକାର ଓଡ଼ିଶା ବିକାଶ ଓ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଧାନ୍ୟ ଦେଉନାହାନ୍ତି। ସେ ସମୟରେ ଆମେ ପଚାରିଥିଲୁ ଯେ ଏସବୁ ଜିଲ୍ଲା ପାଇଁ କିଛି ସ୍ୱତନ୍ତ୍ର ଯୋଜନା ଅଛି ନା ତାଲିକାରେ ଆଉ ଏକ କାର୍ଯ୍ୟକ୍ରମ କେବଳ ଯୋଗ କରାଯିବ। ଆଶ୍ୱାସନା ଦିଆଯାଇଥିଲା, କେନ୍ଦ୍ରୀୟ ପାଣ୍ଠି ଯୋଗାଇ ଦିଆଯିବ। ମାତ୍ର ଆମେ ଯାହା ସନ୍ଦେହ କରୁଥିଲୁ, ତାହା ବାସ୍ତବତାର ରୂପ ନେଇଛି। ସ୍ପଷ୍ଟ ହୋଇଗଲାଣି ଯେ ଆକାଂକ୍ଷୀ ଜିଲ୍ଲା ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ନାହିଁ। ବିଜେଡିି କହିଛି, ଓ଼ଡ଼ିଶାରେ ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ ହେଉଛି। ଏଥିରେ କିଛି ନୂତନତ୍ୱ ନାହିଁ। କେନ୍ଦ୍ରରେ ବିଜେପି ସରକାର କହୁଛନ୍ତି, ଆକାଂକ୍ଷୀ ଜିଲ୍ଲାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। କେବଳ ସେତିକି ନୁହେଁ, ଏଥିପାଇଁ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମର ସେମାନେ ଦେଖାଶୁଣା କରିବେ। ଯେତେବେଳେ ସ୍ୱତନ୍ତ୍ର ଅନୁଦାନ ନାହିଁ, ସ୍ୱତନ୍ତ୍ର ପ୍ରଭାରୀ କାହିଁକି ବୋଲି ବିଜେଡି ପ୍ରଶ୍ନ ଉଠାଇବା ସହିତ ଓଡ଼ିଶାର ଅଧିକାରୀମାନେ ଏହି ଯୋଜନା ଜଗାରଖା କରିବା ପାଇଁ ଦକ୍ଷ ନୁହନ୍ତି କି ବୋଲି ପଚାରିଛି।

ଏହି ପ୍ରସଙ୍ଗରେ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ନବୀନ ବାବୁ ପ୍ରଥମେ ଏହାକୁ ବିରୋଧ କରିଥିଲେ। କିନ୍ତୁ ପରେ ଯେତେବେଳେ ଅଧିକ ଅର୍ଥ ଆସିବ ବୋଲି କୁହାଗଲା, ସମର୍ଥନ କଲେ। ଆଉ କିଛି ମାସ ପରେ ନିର୍ବାଚନ। ଏସବୁ ଯାହା ହେଉଛି, ତାହା କେବଳ ପ୍ରଚାର ସର୍ବସ୍ୱ। କେନ୍ଦ୍ରର ଏଭଳି ମିଥ୍ୟା ପ୍ରତିଶ୍ରୁତିକୁ କଡ଼ା ବିରୋଧ କରାଯିବ। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଆକାଂକ୍ଷୀ ଜିଲ୍ଲାରେ ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ତଦାରଖ କରିବା ଲାଗି କେନ୍ଦ୍ର ସରକାର ଆରମ୍ଭରୁ ପ୍ରଭାରୀ ନିଯୁକ୍ତି ପ୍ରସଙ୍ଗରେ ସ୍ପଷ୍ଟ କରିଥିଲେ। ହେଲେ କେନ୍ଦ୍ର ସରକାର କେବେ ବି କହିନଥିଲେ ଯେ ଆକାଂକ୍ଷୀ ଜିଲ୍ଲାକୁ ଅଧିକ ଅର୍ଥ ଦିଆଯିବ। ବରଂ କୁହାଯାଇଥିଲା, ଯେଉଁ ଅର୍ଥ ଦିଆଯାଉଛି ତାର ଉତ୍ତମ ବିନିଯୋଗ ଦିଗରେ ଗୁରୁତ୍ୱ ଦିଆଯିବ। ଯଦି ଏବେ ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ କଥା କୁହାଯାଇଛି, ଏଥିରେ ଅସୁବିଧା କେଉଁଠାରେ ରହିଲା? ପ୍ରକାଶ ଥାଉକି, ପ୍ରଥମେ କେନ୍ଦ୍ର ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳକୁ ସାମିଲ କରିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଖ୍ୟା ୮ରୁ ବଢି ୧୦ ଛୁଇଁଲା। ପରେ ପ୍ରଭାରୀ ଅଫିସରଙ୍କୁ ନେଇ ବି ବିବାଦ ସୃଷ୍ଟି ହୋଇଥିଲା। ନୀତି ଆୟୋଗ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଥିରେ ପୂର୍ଣ୍ଣଛେଦ ପଡିଲା। ଏବେ ପୁଣି ଥରେ ପାଣ୍ଠିକୁ ନେଇ ଏହି କାର୍ଯ୍ୟକ୍ରମଟି ବିବାଦରେ ଫସିଛି।

ସମ୍ବନ୍ଧିତ ଖବର