ବର୍ଷେ ହେଲା ନନୁଙ୍କ ପେଟରେ ଖପୁରି ହାଡ଼, ଚିକିତ୍ସା ପାଇଁ ଅର୍ଥ ନାହିଁ

ଭିକ ମାଗି ପରିବାର ଚଳାଉଛନ୍ତି ସ୍ତ୍ରୀ

ପୁରୀ : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନା ଶଯ୍ୟାରୁ ଗଳି ପଡ଼ିଥିଲେ ପକ୍ଷାଘାତ ନନୁ। ଚଟାଣରେ ଏତେ ଜୋରରେ ପଡ଼ିଥିଲେ ଯେ ମୁଣ୍ଡ ପଛପାର୍ଶ୍ବ ଓ ଡାହାଣ ପାର୍ଶ୍ବ ଫାଟି ରକ୍ତ ଝର ଝର ହୋଇ ବୋହିଥିଲା। ଆଘାତ ପାଇ ମୁଣ୍ଡର ଡାହାଣ ପାର୍ଶ୍ବ ଖପୁରି ଦବି ଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତତ୍‌କ୍ଷଣାତ୍‌ ଭୁବନେଶ୍ବର ଏମ୍‌ସକୁ ପଠାଇ କାମ ସାରି ଦେଇଥିଲେ। ଏମ୍‌ସକୁ ଯାଇ ଚିକିତ୍ସା ପରେ ନନୁ ଘରକୁ ଫେରିଲେ ସତ, କିନ୍ତୁ ଶଯ୍ୟାଶାୟୀ ଅବସ୍ଥାରେ। ଏତେ ଗଭୀର ଆଘାତ ଲାଗିଥିଲା ଯେ ତତ୍କାଳ ମୁଣ୍ଡର ଡାହାଣ ପାର୍ଶ୍ବ ଚିକିତ୍ସା ପାଇଁ ଡାକ୍ତର ମନା କରି ଦେଇଥିଲେ। ଖପୁରିର ହାଡ଼ ଓ ଅନ୍ୟ କିଛି ଅଂଶ ପେଟ ଭିତରେ ସଂରକ୍ଷିତ ରଖି ୬ ମାସ ପରେ ଚିକିତ୍ସା ପାଇଁ ଆସିବାକୁ ପରାମର୍ଶ ଦେଇଥିଲେ। ଏ ଭିତରେ ବର୍ଷେ ବିତି ଯାଇଥିଲେ ବି ଅର୍ଥାଭାବରୁ ପରିବାର ଲୋକେ ନନୁଙ୍କ ଚିକିତ୍ସା କରି ପାରୁ ନାହାନ୍ତି।

ନରେନ୍ଦ୍ରକୋଣ ଗୋଖା ସାହି ପ୍ରେମକୁଞ୍ଜ ଆଶ୍ରମ ନିକଟରେ ନନୁ ମଲ୍ଲିକ(୪୬)ଙ୍କ ଘର। ପରିବାର କହିଲେ, ବିଧବା ମା’, ସ୍ତ୍ରୀ ଓ ଦୁଇ ପୁଅ। ଦୁଇ ପୁଅରୁ ଜଣେ ଭିନ୍ନକ୍ଷମ। ପୂର୍ବରୁ ରିକ୍ସା ଚଲାଇ ପରିବାର ‌ପୋଷୁଥିଲେ ନନୁ। ଭଙ୍ଗା ଝାଟିମାଟି ଘରେ ଆଶ୍ରୟ ନେଇଥିଲେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ହଠାତ୍‌ ନନୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ। ଚିକିତ୍ସା ପାଇଁ ସ୍ତ୍ରୀ ଓ ପରିବାର ଲୋକେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ ସତ, କିନ୍ତୁ ସେଠାରେ ତାଙ୍କ ସହ ଯେଉଁ ଅଘଟଣ ଘଟିଲା, ତାହା ଜୀବନସାରା ଯନ୍ତ୍ରଣା ଦେଉଛି। ମୁଣ୍ଡରେ ଆଘାତ ଲାଗିବା ପରଠାରୁ ଆଉ ବିଛଣା ଛାଡ଼ି ନାହାନ୍ତି ନନୁ। ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେ ବୟସରେ ପରିବାର ପାଇଁ ସେ ବୋଝ ପାଲଟିଛନ୍ତି।

ସେପଟେ ସ୍ବାମୀ ଶଯ୍ୟାଶାୟୀ ହେବା ପରେ ସ୍ତ୍ରୀ ପରଘରେ ବାସନ ମାଜି ପେଟ ପୋଷୁଥିଲେ। କିନ୍ତୁ କରୋନା ପାଇଁ ଏହି ରୋଜଗାର ବି ବନ୍ଦ ହୋଇଯାଇଛି। ଶେଷରେ ଭିକ୍ଷାବୃତ୍ତି କରି ପରିବାର ପୋଷୁଛନ୍ତି ନନୁଙ୍କ ସ୍ତ୍ରୀ। ଭିକ୍ଷାବୃତ୍ତି କରି ଶଯ୍ୟାଶାୟୀ ସ୍ବାମୀ ଓ ଦୁଇ ଛୁଆଙ୍କ ପାଇଁ ବହୁ କଷ୍ଟରେ ଦୁଇ ମୁଠା ଦାନା ଯୋଗାଡ଼ କରୁଛନ୍ତି। ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ଏମ୍‌ସ ଯିବା ଅସମ୍ଭବ ହୋଇପଡ଼ିଛି। ସେପଟେ ପେଟର ଯନ୍ତ୍ରଣା ବଢ଼ି ଚାଲିଛି। ଏଭଳି ସ୍ଥିତିରେ ସ୍ତ୍ରୀ ପ୍ରଶାସନ ନିକଟରେ ସହାୟତା ନିବେଦନ କରିଛନ୍ତି। ନନୁର ଚିକିତ୍ସା କଥା ବୁଝିବାକୁ କାନ୍ଦି କାନ୍ଦି ଏଠି ସେଠି ଗୁହାରି କରୁଛନ୍ତି ନନୁଙ୍କ ବିଧବା ମା’। ତଥାପି ତାଙ୍କୁ ଗୁହାରି କେହି ଶୁଣୁନାହାଁନ୍ତି।

ସମ୍ବନ୍ଧିତ ଖବର