ଆବଶ୍ୟକତା ଅନୁଯାୟୀ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ନାହିଁ ଶ୍ରେଣୀଗୃହ

ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରତି ଶ୍ରେଣୀ ପାଇଁ ଗୃହ ନାହିଁ। ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କର ନିଜସ୍ବ କାର୍ଯ୍ୟାଳୟ ନାହିଁ। କେତେକ ବିଦ୍ୟାଳୟର ଆଦୌ ବିଦ୍ୟାଳୟ ଗୃହ ନ ଥିବା ଜଣାପଡ଼ିଛି। ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟର ୧୭ଟି ଜିଲ୍ଲାର ୭୪ଟି ବ୍ଲକର ୯୬୦ ସରକାରୀ ବିଦ୍ୟାଳୟ(ପ୍ରଥମରୁ ୮ମ ଶ୍ରେଣୀ)ର ଭିତ୍ତିଭୂମି ଯାଞ୍ଚ କରିବା ସମୟରେ ଏଭଳି ତଥ୍ୟ ପଦାକୁ ଆସିଛି। ରିପୋର୍ଟ ଅନୁଯାୟୀ ୯୬୦ଟି ବିଦ୍ୟାଳୟରେ ପ୍ରତି ଶିକ୍ଷକଙ୍କ ପାଇଁ ଗୋଟିଏ ଶ୍ରେଣୀ ଗୃହ ହିସାବରେ ୫୯୭୬ଟି ଶ୍ରେଣୀଗୃହ ଆବଶ୍ୟକତା ଥିବା ବେଳେ ୨୪୯୫ଟି ଶ୍ରେଣୀଗୃହ ରହିଛି। ୯୬୦ ବିଦ୍ୟାଳୟ ମଧ୍ୟରୁ ୨୭୪ଟି ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କର ଗୃହ ତଥା କାର୍ଯ୍ୟାଳୟ ନାହିଁ। ୩୦ଟି ବିଦ୍ୟାଳୟରେ ଆଦୌ ଶ୍ରେଣୀଗୃହ ନ ଥିବା ବେଳେ ୨୩୮ଟିରେ ଦିବ୍ୟାଙ୍ଗ ପିଲାଙ୍କ ଲାଗି ରୢାମ୍ପ, ୬୦ଟି ବିଦ୍ୟାଳୟରେ ରୋଷେଇ ଘର, ୭୨୫ ବିଦ୍ୟାଳୟରେ ପାଚେରି ଓ ୬୨୬ଟି ବିଦ୍ୟାଳୟରେ ଖେଳ ପଡ଼ିଆ ନ ଥିବା ରିପୋର୍ଟରୁ ଜଣାପଡ଼ିଛି।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ୧୭ ଜିଲ୍ଲାର ୩୪୭ଟି ସ୍ବାସ୍ଥ୍ୟ କେନ୍ଦ୍ର(ଉପ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର) ଉପରେ ମିଳିତ ଭାବେ ସର୍ଭେ କରାଯିବା ସମୟରେ ଭିତ୍ତିଭୂମି ଦୁର୍ବଳ ରହିବା ସହ ସେବା ଯୋଗାଣର ଗୁଣାବତ୍ତା, ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅନେକ ଅସଙ୍ଗତି ରହିଥିବା ଦେଖିବାକୁ ମିଳିଛି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାରଙ୍କ ଆନ୍ତରିକତା ଆବଶ୍ୟକ ବୋଲି ଗୀତଗୋବିନ୍ଦ ଭବନରେ ରିପୋର୍ଟ ଉନ୍ମୋଚନ ଅବସରରେ ମହିଳା ଶ୍ରମଜୀବୀ ମଞ୍ଚର ସଭାପତି ଶାନ୍ତି ଭୋଇ ଓ ଓଡ଼ିଶା ଶ୍ରମଜୀବୀ ମଞ୍ଚର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିସନର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଓଡ଼ିଶା ଶିକ୍ଷା ଅଧିକାର ଫୋରମ୍‌ର ଆବାହକ ଅନିଲ ପ୍ରଧାନ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ସୁଧୀର ପଟ୍ଟନାୟକ, ଘାସିରାମ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସଂସ୍କାର ଲୋଡ଼ା ବୋଲି ମତପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର