ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ : ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଡାକ୍ତର ଅଭାବରୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତ ରୋଗୀ

ରଣପୁର : ଦୀର୍ଘ ଦିନ ଧରି ରଣପୁର ବ୍ଲକ୍‌ ଅଧୀନସ୍ଥ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଉତ୍କଟ ହୋଇପଡ଼ିଥିବା ବେଳେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଗରିବ ରୋଗୀଙ୍କ ପାଇଁ କ୍ବାକ୍‌ ସେବା ହିଁ ଏକମାତ୍ର ଭରସା ପାଲଟିଥିବା ଜଣାଯାଇଛି। ଦେଢ ଲକ୍ଷ ଲୋକଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରଣପୁର ସଦର ମହକୁମାସ୍ଥିତ ପଞ୍ଚୁଦୋଳ ପଡ଼ିଆଠାରେ ୧୯୫୭ ମସିହାରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ସ୍ଥଳେ ସଂପ୍ରତି ୪ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ସେହିପରି ଶିଶୁ ବିଭାଗ ଓ ଭେଷଜ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହୋଇଛି। ଅପରପକ୍ଷେ ଡାକ୍ତରଖାନା କୋଠରିଗୁଡ଼ିକ ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଅତ୍ୟାଧୁନିକ ଯନ୍ତ୍ରପାତିର ଅଭାବ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଗରିବ ରୋଗୀଙ୍କୁ ବାଧ୍ୟ ହୋଇ ଭୁବନେଶ୍ବର, କଟକ ସ୍ଥାନାନ୍ତର ହେବାକୁ ପଡ଼ୁଛି। ଫଳରେ ରୋଗୀ ମାତ୍ରାଧିକ ଖର୍ଚ୍ଚାନ୍ତ ହୋଇ ନୟାନ୍ତ ହୋଇପଡୁଛି।

ସେହିପରି ରଣପୁର ବ୍ଲକ୍‌ ଅଧୀନ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଜଣ ଡାକ୍ତର ଥିବା ସ୍ଥଳେ ଅଦ୍ୟାବଧି ୨ ଜଣ ଡାକ୍ତର କାର୍ଯ୍ୟରତ ଥିବା ଜଣାଯାଇଛି। ତନ୍ମଧ୍ୟରୁ ଜଣେ ଡାକ୍ତର ଅବସର ନେଇସାରିଥିଲେ ମଧ୍ୟ ପାଳିକରି ଡ୍ୟୁଟି କରୁଥିବା ଜଣାଯାଇଛି। ତେବେ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ର ଖୋର୍ଦ୍ଧା-ବଲାଙ୍ଗୀର ସଂଯୋଗ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ହୋଇଥିବାରୁ ଏଠାରେ ପ୍ରତ୍ୟହ ଜରୁରିକାଳୀନ ସେବା ଆବଶ୍ୟକ ପଡ଼ିଥାଏ। ହେଲେ ଡାକ୍ତର ଅଭାବରୁ ରୋଗୀଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ସେହିପରି ଚାନ୍ଦପୁର ଯକ୍ଷ୍ମା ସ୍ବାସ୍ଥ୍ୟ ନିବାସ ଖୋର୍ଦ୍ଧା-ବ୍ରହ୍ମପୁର ସଂଯୋଗ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ। ତେବେ ଏଠାରେ ୪୫ ଜଣ ଡାକ୍ତର ପରିବର୍ତ୍ତେ ଅଦ୍ୟାବଧି ୮ ଜଣ ଡାକ୍ତର କାର୍ଯ୍ୟରତ ଥିବା ପରିଲକ୍ଷିତ ହୋଇଛି। ତେବେ ରୋଗୀ ସେବା କିଭଳି ହେଉଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ଅପରପକ୍ଷେ, ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀଙ୍କ ଦ୍ବାରା ନିର୍ମିତ ଏହି ଯକ୍ଷ୍ମା ସ୍ବାସ୍ଥ୍ୟ ନିବାସରେ ଏବେ କୌଣସି ଯକ୍ଷ୍ମା ଡାକ୍ତର ନଥିବା ଯୋଗୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ମୟୂରଝାଲିଆ, ଦର୍ପନାରାୟଣପୁର, ମଝିଆଖଣ୍ତ, ତାରିଆ ଆଦି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତର ଅଭାବ ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର