ସରକାରୀ ଡିଗ୍ରି କଲେଜରେ ଅଧା ଅଧ୍ୟାପକ ନାହାନ୍ତି, ବିନା ଅଧ୍ୟକ୍ଷରେ ଚାଲିଛି ୨୦ ଡିଗ୍ରି କଲେଜ

କାଟୁ କରୁନି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନାଲିଆଖି

ଭୁବନେଶ୍ବର : ଭୁଶୁଡ଼ିଗଲାଣି ସରକାରୀ ଡିଗ୍ରି କଲେଜ ଭିତ୍ତିଭୂମି। କେଉଁଠି ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଅଧ୍ୟାପକ ନାହାନ୍ତି ତ ଆଉ କେଉଁଠି ବିନା ଅଧ୍ୟକ୍ଷରେ ଚାଲିଛି କଲେଜ। ଖୋଦ୍‌ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି। ରାଜ୍ୟରେ ଥିବା ୫୧ଟି ସରକାରୀ ଡିଗ୍ରି କଲେଜ ମଧ୍ୟରୁ ୨୦ଟି କଲେଜ ଏବେ ବିନା ଅଧ୍ୟକ୍ଷରେ ଚାଲିଛି। ଆଉ ଉକ୍ତ କଲେଜଗୁଡ଼ିକ ଲାଗି ଅନୁମୋଦିତ ହୋଇଥିବା ଅଧ୍ୟାପକ ପଦ ମଧ୍ୟରୁ ଅଧା ଖାଲି ପଡ଼ିଛି। କେବେ ପୂରଣ ହେବ ତାହାର ଉତ୍ତର କାହା ପାଖରେ ନାହିଁ।

ମିଳିଥିବା ତଥ୍ୟ ଅନୁଯାୟୀ ୪୯ଟି ଡିଗ୍ରି କଲେଜ ପାଇଁ ୨୦୨୫ଟି ଅଧ୍ୟାପକ ପଦ ଅନୁମୋଦିତ ହୋଇଛି। ସେଥିମଧ୍ୟରୁ ୧୦୭୧ଟି ପଦ ଖାଲି ପଡ଼ିଛି। ଅଧିକାଂଶ କଲେଜରେ ଅର୍ଧାଧିକ ଅଧ୍ୟାପକ ନାହାନ୍ତି। କେତେକ ସ୍ଥାନରେ ଅତିଥି ଅଧ୍ୟାପକରେ ପାଠପଢ଼ା ଚାଲିଛି। ଆଉ କେତେକ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା ଏକ ଅଙ୍କରୁ କମ୍‌। ଯେମିତି କି ଢେଙ୍କାନାଳ ସରକାରୀ ମହିଳା ଡିଗ୍ରି କଲେଜ ପାଇଁ ୧୭ଟି ପଦ ଅନୁମୋଦିତ ହୋଇଛି। ଏବେ ଅଛନ୍ତି ମାତ୍ର ୬ ଜଣ। ଆସ୍କାସ୍ଥିତ ନିରଞ୍ଜନ ସରକାରୀ ମହିଳା ଡିଗ୍ରି କଲେଜ ପାଇଁ ୧୨ଟି ଅଧ୍ୟାପକ ପଦ ଅନୁମୋଦିତ ହୋଇଥିବା ବେଳେ ୪ ଜଣ ଅଧ୍ୟାପକ ଅଛନ୍ତି। କେନ୍ଦୁଝର ସରକାରୀ ମହିଳା ଡିଗ୍ରି କଲେଜରେ ସ୍ଥିତି ଆହୁରି ସଙ୍ଗିନ। ଏଠାରେ ୩୪ଟି ପଦ ଅନୁମୋଦିତ ହୋଇଛି। ଆଉ ଏବେ ଅଛନ୍ତି ମାତ୍ର ୯ ଜଣ। ବାରିପଦା ସରକାରୀ ମହିଳା ଡିଗ୍ରି କଲେଜ ପାଇଁ ଅନୁମୋଦିତ ହୋଇଥିବା ୪୫ଟି ଅଧ୍ୟାପକ ପଦ ମଧ୍ୟରୁ ମାତ୍ର ୯ଟି ପୂରଣ ହୋଇଛି। ମାଲକାନଗିରି ମଡେଲ୍‌ ଡିଗ୍ରି କଲେଜ ପାଇଁ ୨୧ଟି ଅଧ୍ୟାପକ ପଦ ଅନୁମୋଦିତ ହୋଇଥିବା ବେଳେ ଏବେ ମାତ୍ର ୬ ଜଣ ରହିଥିବା ଜଣାପଡ଼ିଛି। କେଉଁ କଲେଜରେ କେତେ ଅଧ୍ୟାପକ ପଦ ଖାଲି ରହିଛି ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ତଥ୍ୟ ମଗାଯାଉଥିଲେ ମଧ୍ୟ କେତେକ କଲେଜ ଆଦୌ ରିପୋର୍ଟ ଦେଉନାହାନ୍ତି।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ନାଲିଆଖି କାମ ଦେଉନି। ୭ ଘଣ୍ଟା କ୍ୟାମ୍ପସରେ ରହିବାକୁ କଡ଼ା ନିୟମ କରିବା ସହ କାର୍ଯ୍ୟରେ ଅବହେଳା କଲେ ଛଟେଇ ହେବାର ଭୟ ବି ଦେଖାଯାଉଛି। ତେବେ ଭିତ୍ତିଭୂମି ନ ସଜାଡ଼ି ନାଲିଆଖି ଦେଖାଉଥିବାରୁ ତାହାର କୌଣସି ପ୍ରଭାବ କଲେଜ କର୍ତୃପକ୍ଷଙ୍କ ଉପରେ ପଡ଼ୁନି। କଲେଜ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଜ ମର୍ଜିରେ କାମ କରୁଛନ୍ତି। ବାରମ୍ବାର ତାଗିଦ୍‌ ସତ୍ତ୍ବେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ୫ଟି ଡିଗ୍ରି କଲେଜ ଏ ପର୍ଯ୍ୟନ୍ତ ଖାଲିଥିବା ଅଧ୍ୟାପକଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିନାହାନ୍ତି। ଯେଉଁଥିପାଇଁ ୧୧ ତାରିଖ ଯାଏ ରିପୋର୍ଟ ଦାଖଲ ସମୟ ସୀମାକୁ ବୃଦ୍ଧି କରାଯାଇଛି।

କେବଳ ସେତିକି ନୁହେଁ; ଦଶହରା ଛୁଟି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜର ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର କ୍ୟାମ୍ପ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜଗତ୍‌ସିଂହପୁର ଜିଲ୍ଲାର ଗଡ଼ବିଷ୍ଣୁପୁରସ୍ଥିତ ବିକେ ସଂସ୍କୃତ କଲେଜକୁ ୧୧ ହଜାର ୨୫୦ ଟଙ୍କା ଓ ଏ ଏସ୍‌ ମହାବିଦ୍ୟାଳୟକୁ ୬ ହଜାର ୨୫୦ ଟଙ୍କା ଦିଆଯାଇଥିଲା। ତେବେ ଗତ ୬ ତାରିଖ ଦିନ ବିଭାଗୀୟ ଅଧିକାରୀ ଉକ୍ତ କଲେଜକୁ ଗସ୍ତ କରିବା ସମୟରେ କୌଣସି କ୍ୟାମ୍ପ ଦେଖିବାକୁ ପାଇ ନ ଥିଲେ। କ୍ୟାମ୍ପ ତ ଦୂରର କଥା ଛାତ୍ରଛାତ୍ରୀଙ୍କର ଦେଖା ନ ଥିଲା। କଲେଜ କର୍ତୃପକ୍ଷ ବି ଉତ୍ତର ଦେଇପାରି ନଥିଲେ। ‌ତେଣୁ ଯେଉଁ ଅର୍ଥ ଅନୁମୋଦନ କରାଯାଇଥିଲା ତାହାକୁ ଫେରସ୍ତ ଆଣିବା ଲାଗି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର