ପୁରୀ: ଏଣିକି ଠିକା ଶିକ୍ଷକ ନିଯୁକ୍ତି ହେବନି। ଆସନ୍ତା ତିନିବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ। ଚଳିତ ବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇସାରିଛନ୍ତି। ପ୍ରାଥମିକ ସ୍କୁଲ୍ରୁ ଗୁଣାତ୍ମକ ଶିକ୍ଷା ନେଇ ବିଦ୍ୟାର୍ଥୀ ଆଗକୁ ବଢ଼ିବେ। ବନବିଦ୍ୟାଳୟ ଢଙ୍ଗରେ ପ୍ରାଥମିକ ଶିକ୍ଷାର ଚିତ୍ର ବଦଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀସଦାଶିବ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ମୁଖ୍ୟମନ୍ତ୍ରୀ ପୂର୍ବତନ ବିଜେଡି ସରକାରକୁ ଇଙ୍ଗିତ କରିଥିଲେ। ସେ କହିଥିଲେ, ଶିକ୍ଷା ବ୍ୟବସ୍ଥାକୁ ଆମେ ପ୍ରାଥମିକତା ଦେଇଛୁ। ଲମ୍ବା ଅବଧି ଧରି ପୂର୍ବ ସରକାର ଶାସନ କରୁଥିଲେ। ବିକାଶ ହେବା ସହ ପରିଭାଷା ବଦଳିବା କଥା। ହେଲେ ଗତ ସରକାର ପ୍ରାଧାନ୍ୟ ଦେଲାନି। ଶିକ୍ଷାର ମୂଳ ପାହାଚ, ପ୍ରାଥମିକ ବିଦ୍ୟାଳୟର ସ୍ଥିତି ଦେଖନ୍ତୁ। ସରକାରଙ୍କ ମୁଖିଆ ଭାବରେ ମୁଁ ଯେତେବେଳେ ଦେଖୁଛି, ମତେ ଦୁଃଖ ଲାଗୁଛି। ତୃତୀୟ ଥର ପାଇଁ ମୁଁ ବିଧାୟକ ହେବା ପରେ ସରକାରଙ୍କ ନିକଟରେ ଏନେଇ ଦାବି ଉଠାଇଥିଲି। ଆପଣ ୫-ଟି କରିଦେଲେ, ରୂପାନ୍ତରଣ ଯୋଜନା କରିଦେଲେ। ହେଲେ ଯେଉଁ ପିଲାମାନେ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚବିଦ୍ୟାଳୟକୁ ଆସିବେ, ସେମାନେ ହରଣ, ଗୁଣନ ଜାଣିଛନ୍ତି ତ? ସେମାନେ ଶ୍ରୁତଲିଖନ ଲେଖିପାରିବେ ତ? ଉତ୍ତର ଆସୁଥିଲା ନା’। ଗୋଟିଏ ରୁମ୍ରେ ୪ଟି ଶ୍ରେଣୀର ପିଲାଙ୍କୁ ୪ ଦିଗକୁ ମୁହଁ ବୁଲାଇ ଜଣେ ଶିକ୍ଷକ ପଢ଼ାଇଲେ ଶିକ୍ଷାର ଉନ୍ନତି କେମିତି ହେବ? ପିଲାମାନେ କେମିତି ସ୍ମାର୍ଟ ହେବେ?
ବନବିଦ୍ୟାଳୟ ଢଙ୍ଗରେ ପ୍ରାଥମିକ ଶିକ୍ଷା: ମୁଖ୍ୟମନ୍ତ୍ରୀ
୩ ବର୍ଷରେ ନିଯୁକ୍ତ ହେବେ ୪୫ହଜାର ଶିକ୍ଷକ
ଚଳିତ ବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି ପାଇବେ
ମୁଁ ଗୋଟେ ସ୍କୁଲ୍ ଦେଖିଥିଲି। ସେଠାରେ ଶିକ୍ଷକ ନଥିଲେ, ହେଲେ ସ୍କୁଲ୍ ଚାଲୁଥିଲା। ଜଣେ ଶିକ୍ଷା ସହାୟକ ଥିଲେ। ଶିକ୍ଷା ସହାୟକ କେବଳ ସହଯୋଗ କରିବେ ଯେ କିଏ ଡ୍ରପ୍ଆଉଟ୍ ହେଲା? କିଏ ମଧ୍ୟାହ୍ନଭୋଜନ ଖାଇଲା କି ନାହିଁ, ଦେଖିବେ। ଆଜି ଏହି ଚିତ୍ର ପରିବର୍ତ୍ତନ ହେବା ଆରମ୍ଭ ହୋଇଛି। ପ୍ରଥମ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ନାମରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ସେତେବେଳର ସରକାର ଶୁଣି ନଥିଲେ। ଖାଲି ଭଙ୍ଗାକାନ୍ଥରେ ଚୂନ ମାରିଦେଲେ ସ୍କୁଲ୍ ସ୍ମାର୍ଟ ହେବନି। ଏବେ ସରକାର ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ୩୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ସଚିବ ଡ. ଅତୁଲ କୋଠାରୀ ଆମ ଶିକ୍ଷା ପ୍ରଣାଳୀରେ ଭାରତୀୟ ଆଦର୍ଶ ଓ ସାଂସ୍କୃତିକ ଚେତନାକୁ ଆଣିବା ଆଜିର ସମୟର ଆବଶ୍ୟକତା ବୋଲି କହିଥିଲେ। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପରାମର୍ଶଦାତା ମହାସଚିବ ଡ. ପଙ୍କଜ ମିତ୍ତଲ ଓ ଶ୍ରୀସଦାଶିବ ପରିସର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ। ସଂସ୍କୃତି ଉତ୍ଥାନ ନ୍ୟାସର ପ୍ରାନ୍ତୀୟ ସଂଯୋଜକ ବିଶ୍ୱରଂଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଂ. ହେମନ୍ତ ଜେନା ସଂଯୋଜନା କରିଥିଲେ। ସହଯୋଗୀ ନିର୍ଦ୍ଦେଶକ ପ୍ରଫେସର ବିଜୟପାଲ କଚ୍ଛୱା ଧନ୍ୟବାଦ ଦେଇଥିଲେ।