ଶ୍ରାବଣ ଶେଷରେ ଶୁଖିଲା ଜଳଭଣ୍ଡାର : କୋଲାବରେ ପାଣି ନାହିଁ, ମାଛକୁଣ୍ଡ ବି ଖାଲି; ଚାଷ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା

କୋରାପୁଟ : ବଡ ବର୍ଷା ହେଉନି। ମଝିରେ ମଝିରେ ଅସରାଏ କି ଦୁଇ ଅସରା ବର୍ଷା ହେଉଛି ସିନା ଲଗାଣ ବର୍ଷା ନାହିଁ। ଫଳରେ ଶ୍ରାବଣ ଶେଷ ପରେ ବି ଶୁଖିଲା ପଡିଛି ବିଭିନ୍ନ ଜଳଭଣ୍ଡାର। ବର୍ଷା ନ ଥିବାରୁ ଜଳଭଣ୍ଡାର ଭର୍ତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ କୋଲାବ ଜଳଭଣ୍ଡାରରେ ପ୍ରାୟ ସାଢେ ୩ ମିଟର କମ ପାଣି ଥିଲାବେଳେ ମାଛକୁଣ୍ଡରେ ୮ ଫୁଟ କମ ପାଣି ରହିଛି। ଏହା ବିଦ୍ୟୁତ ଉତ୍ପାଦନ, ପାନୀୟ ଜଳ ଯୋଗାଣ ଓ ଜଳସେଚନ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଏବେଠାରୁ ଜଳଜଳ ଦିଶିଲାଣି।

କୋରାପୁଟ ଜିଲ୍ଲାରେ ଜୁନ୍‌ରେ ଯେମିତି ବର୍ଷା ହେବା କଥା ସେତିକି ବର୍ଷା ହେଲାନି। ଆଶା କରାଯାଉଥିଲା, ଜୁଲାଇରେ ଭଲ ବର୍ଷିବ। କିନ୍ତୁ ଜୁଲାଇ ବି ଧୋକା ଦେଲା। ଏପରିକି ନିଅଣ୍ଟିଆ ବର୍ଷାରେ ଜୁନକୁ ବଳିଗଲା ଜୁଲାଇ। ଅଗଷ୍ଟ ଆରମ୍ଭରୁ ବର୍ଷାର ପରିମାଣ ବଢିଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନି। ହାଲକା ବର୍ଷା ହୋଇଥିଲେ ମଧ୍ୟ ବଡ ବର୍ଷାର ଦେଖା ନାହିଁ। ଦିନେ କି ଦୁଇଦିନକୁ ଛାଡିଦେଲେ ଅନ୍ୟ ଦିନଗୁଡିକରେ ସାମାନ୍ୟ ବର୍ଷା ହୋଇଛି। ଅଗଷ୍ଟ ସରିବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହୋଇ ନ ଥିବାରୁ କୋଲାବ ଓ ମାଛକୁଣ୍ଡ ଜଳ ଭଣ୍ଡାର ଶୁଖିଲା ପଡିଛି। କୋଲାବ ଜଳଭଣ୍ଡାର ଉପର ଭାଗ ନନ୍ଦପୁର, ସେମିଳିଗୁଡା, ସୁନାବେଡା, କୋରାପୁଟ ଓ ଲମତାପୁଟ ଅଂଚଳରେ କମ ବର୍ଷା ହୋଇଥିବାରୁ ଏହା ଭର୍ତି ହୋଇନି। ଆଜି ସୁଦ୍ଧା ଏଠାରେ ଜଳସ୍ତର ୮୫୦ ମିଟର ରହିଛି। ଏହି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ସର୍ବନିମ୍ନ ରହିଛି ୮୪୪ ମିଟର। ଗତକାଲି ଏଠାରେ ଜଳସ୍ତର ୮୪୯.୮୮ ଥିଲାବେଳେ ଆଜି ସାମାନ୍ୟ ବଢିଛି। ଅପରପକ୍ଷରେ ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୮୫୩.୪୬ ମିଟର ରହିଥିଲା। ଅର୍ଥାତ ଚଳିତବର୍ଷ ପ୍ରାୟ ସାଢେ ୩ ମିଟର କମ ପାଣି ରହିଛି। ମାଛକୁଣ୍ଡ ଜଳଭଣ୍ଡାରର ମଧ୍ୟ ସମାନ ଅବସ୍ଥା । ଏହି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨୭୫୦ ଫୁଟ ରହିଥିଲାବେଳେ ସର୍ବନିମ୍ନ ରହିଛି ୨୬୮୫ ଫୁଟ। କିନ୍ତୁ ଆଜି ସୁଦ୍ଧା ଜଳସ୍ତର ୨୭୩୬ ଫୁଟ ରହିଛି। ଗତବର୍ଷ ଆଜିର ତାରିଖ ବେଳକୁ ଏଠାରେ ଜଳସ୍ତର ୨୭୪୪.୪୦ ଫୁଟ ରହିଥିଲା। ସେହିପରି ନୂଆ ଜଳଭଣ୍ଡାର ତେଲିଙ୍ଗିରି ପ୍ରକଳ୍ପ ମଧ୍ୟ ଏ ପର୍ଯ୍ୟନ୍ତ ପୁରିନି। ଏଠାରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୩ ମିଟର ରହିଥିଲାବେଳେ ଆଜି ସୁଦ୍ଧା ଜଳସ୍ତର ୬୨୫ .୫ ମିଟର ରହିଛି।

କୋଲାବରେ ଗତବର୍ଷ ତୁଳନାରେ ପ୍ରାୟ ସାଢେ ୩ ମିଟର ଓ ମାଛକୁଣ୍ଡରେ ପ୍ରାୟ ସାଢେ ୮ ଫୁଟ କମ ପାଣି ରହିଥିଲାବେଳେ ଭଲ ବର୍ଷା ହେଉନି। ତେଣୁ ଜଳ ଭଣ୍ଡାର ଭର୍ତି ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜଳଭଣ୍ଡାର ଭର୍ତି ନ ହେଲେ ବିଜୁଳି ଉତ୍ପାଦନ ଉପରେ ଗୁରୁତର ପ୍ରଭାବ ପକାଇବ। ସେହିପରି ରବି ଋତୁରେ ଚାଷ ହୋଇ ପାରିବନି। ତେବେ ସବୁଠାରୁ ଅଧିକ ଉଦେବଗ ରହିଛି କୋଲାବ ଜଳଭଣ୍ଡାରକୁ ନେଇ। କୋଲାବ ଜଳଭଣ୍ଡାର ଉପରେ ଜୟପୁର, ବୋରିଗୁମ୍ମା ଓ କୋଟପାଡର ଚାଷୀମାନେ ନିର୍ଭର କରୁଥିଲାବେଳେ ଏହା ସେମାନଙ୍କୁ ସମସ୍ୟାରେ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୁଣି କୋରାପୁଟର ଏକ ପ୍ରକାର ଜୀବନରେଖା ପାଲଟିଥିବା କୋଲାବ ଜଳଭଣ୍ଡାର ଉପରେ କୋରାପୁଟ, ଜୟପୁର, ସୁନାବେଡା, ସେମିଳିଗୁଡା, ଦାମନଯୋଡି ଆଦି ସହର ପାନୀୟ ଜଳ ଉପରେ ନିର୍ଭର କରିଥାନ୍ତି। ଏହା ଭର୍ତ୍ତି ନ ହେଲେ ପାନୀୟ ଜଳ ଯୋଗାଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ। ଏପଟେ ବିଦ୍ୟୁତ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଜିଲ୍ଲାରେ ଜୁନରୁ ଅଗଷ୍ଟ ମଧ୍ୟରେ ଅଧିକ ବର୍ଷା ହେଉଥିଲାବେଳେ ଏହା ପରେ ସାଧାରଣତଃ ବର୍ଷା କମିଥାଏ। ଲଘୁଚାପରେ ଯାହା ବର୍ଷା ହୁଏ। ଏହି ୩ ମାସ ଜିଲ୍ଲାରେ ଭଲ ବର୍ଷା ହୋଇ ନ ଥିବାରୁ ଏହା ଭର୍ତ୍ତି ହେବା ନେଇ ଆଶଙ୍କା ରହିଛି।

କୋରାପୁଟ ଜିଲ୍ଲାରେ ଚଳିତବର୍ଷ କାଳ ବୈଶାଖୀ ବର୍ଷା ବହୁତ କମ ହୋଇଛି। ମେ’ ମାସରେ ଜିଲ୍ଲାରେ ହାରାହାରି ମାତ୍ର ୭୪.୮୧ ମିମି ବର୍ଷା ହୋଇଥିଲା। ଜୁନ ମାସରେ ମୌସୁମୀ ଛୁଇଁଲା ପରେ ମଧ୍ୟ ବର୍ଷାର ପରିମାଣ ବଢିନି। ସରକାରୀ ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାରେ ଜୁନ ମାସରେ ହାରାହାରି ୨୪୪.୪୧ ମିମି ବର୍ଷା ହୋଇଛି। ଜୁଲାଇ ମାସରେ ମଧ୍ୟ ସ୍ଥିତି ବଦଳି ନ ଥିଲା। ବରଂ ବେଶୀ ଖରାପ ହୋଇଥିଲା। ଏହି ମାସରେ ଜିଲ୍ଲାରେ ହାରାହାରି ମାତ୍ର ୨୭୨.୨୪ ମିମି ବର୍ଷା ହେବାରୁ ବିଗିଡିଥିଲା ସ୍ଥିତି। ଏପରିକି ବର୍ଷା ବଦଳରେ ଟାଇଁ ଟାଇଁ ଖରା ଦେଖିବାକୁ ମିଳିଥିଲା। କୋରାପୁଟରେ ପ୍ରଥମ ଥର ପାଇଁ ଶ୍ରାବଣରେ ଗ୍ରୀଷ୍ମର ଅନୁଭବ ହୋଇଥିଲାବେଳେ ନିଅଣ୍ଟିଆ ବର୍ଷା ମରୁଡି ଆଶଙ୍କା ସୃଷ୍ଟି କରିଥିଲା। କିନ୍ତୁ ଅଗଷ୍ଟ ଆରମ୍ଭରୁ ଜିଲ୍ଳାରେ ବର୍ଷାର ପରିମାଣ ବଢିଥିଲା। ଏହା ଚାଷକୁ ସହାୟକ ହୋଇଥିଲେ ମଧ୍ୟ ଏଥିରେ ଜଳଭଣ୍ଡାର ପୂରି ନ ଥିଲା। ଆଉ ଅଗଷ୍ଟରେ ଏ ପର୍ଯ୍ୟନ୍ତ ୪୨୦.୭୫ ମିମି ବର୍ଷା ହୋଇଛି। କିନ୍ତୁ ଜୁନ-ଅଗଷ୍ଟ ୩ ମାସରେ ଗତଥର ଅପେକ୍ଷା ଏଥର ପାଖାପାଖି ଅଧା ବର୍ଷିଛି। ତେଣୁ ଜଳଭଣ୍ଡାର ଖାଲି ପଡିଛି। ଏବେ ମୌସୁମୀ ଯିବାକୁ ବସିଥିଲାବେଳେ ଲଘୁଚାପ ବର୍ଷା ହେଲେ ଯାଇ ଜଳଭଣ୍ଡାର ପୁରିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର