ଜୟପୁର: ଅର୍ଥଲାଭକାରୀ ଆଖୁଚାଷ ପାଇଁ ପ୍ରୋତ୍ସାହନ ଅଭାବ ଯୋଗୁଁ କୋରାପୁଟ ଜିଲ୍ଲାରେ ଚାଷୀଙ୍କ ଆଗ୍ରହ କମୁଛି । ଫଳରେ ବର୍ଷକୁ ବର୍ଷ ଆଖୁ ଚାଷୀଙ୍କ ସଂଖ୍ୟା କମିବା ସଂଗେ ସଂଗେ ଆଖୁଚାଷ ହେଉଥିବା ଜମି ଓ ଆଖୁ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହି ସ୍ଥିତିରେ ରାଜ୍ୟ ସରକାର ଆରମ୍ଭ କରିଥିବା ଟେକ୍ନୋଲୋଜି ମିଶନ ସୁଗାରକେନ୍( ଆଖୁ) କୋରାପୁଟ ଜିଲ୍ଲାରେ ଫେଲ୍ ମାରିଛି।

Advertisment

ଗତ ୯ବର୍ଷ ତଳେ ଜିଲ୍ଲାର ଆଉଁଳି ଠାରେ ଇନ୍ଦ୍ରାବତୀ ନଦୀ କୁଳରେ ଏବଂ ଏହା ପରେ ୫ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର ଚଟାହାଣ୍ଡି ଠାରେ ଆରମ୍ଭ ହେବାକୁ ଥିବା ଚିନି କଳ ପ୍ରସ୍ତାବ ବାରମ୍ବାର ହୋଇଥିବା ବୈଠକ ମଧ୍ୟରେ ସୀମିତ ହୋଇ ରହିଯାଇଛି। ରାଜ୍ୟରେ ପୂର୍ବରୁ ଚିନି କଳ ରହିବା ସହ କୋରାପୁଟ ଜିଲ୍ଲାରୁ ବି ଆଖୁ ବାହାର ଜିଲ୍ଲାକୁ ଯାଉଥିଲା ଏବଂ ଭଲ ଦର ପାଉଥିଲେ। ଏଥିଯୋଗୁଁ ଚାଷୀମାନେ ଅଧିକ ଲାଭ ପାଇବା ଆଶାରେ ଆଖୁଚାଷ ଉପରେ ଗୁରୁତ୍ୱ ଦେଉଥିଲେ । ଆଖୁ ପାଇଁ ପ୍ରଶାସନ ପକ୍ଷରୁ ସେଭଳି ଆଖି ଦୃଷ୍ଟିଆ ବଜାର ଯୋଗାଇ ନଥିବାରୁ ବହୁ ଚାଷୀ ପାରମ୍ପରିକଭାବେ  ଆଖୁ ପେଡି ଗୁଡ ଉତ୍ପାଦନ କରି ଚାଷୀମାନେ ବିଶେଷ ଲାଭବାନ ହେଉଥିଲେ। ସଂପ୍ରତି ଲୋକେ ଗାଁଗହଳିର ଏହି ଗୁଡ଼ ଖାଇବା ବଦଳରେ ନୂଆ ପଦ୍ଧତିରେ କଂପାନୀ ଗୁଡିକ ପକ୍ଷରୁ ତିଆରି ହୋଇଥିବା ଗୁଡ଼ କିଣୁଛନ୍ତି। ତେଣୁ ଚାଷୀ ମାନେ  ଶାଗମାଛ ଦରରେ ଆଖୁକୁ ଦଲାଲ ଓ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି।  ଜିଲ୍ଲାର ଲୋକଙ୍କର ଚିନି ଓ ଗୁଡର ଚାହିଦା ରହିଥିବା ବେଳେ ଏହା ଦୁଇ ପଡୋଶୀ ରାଜ୍ୟ ଆନ୍ଧ୍ର ଓଛତିଶଗଡ଼ ଉପରେ ନିର୍ଭର ହେବାକୁ ପଡ଼ୁଛି। କୋରାପୁଟ ଜିଲ୍ଲାରେ ଭଲ ଆଖୁ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଥିବା ସତ୍ୱେ ଚାଷୀମାନଙ୍କୁ ପ୍ରତ୍ସାହନ ଅଭାବ ଯୋଗୁଁ  ଆଉ ଆଖୁଚାଷ କରିବାକୁ ବିଶେଷ ପସନ୍ଦ କରୁନାହାନ୍ତି ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ ୨୦୧୦-୧୧ରେ ୯୦୪.୬୬ମେଟ୍ରୀକଟନ୍(ଏମଟି) ଉତ୍ପାଦିତ ହୋଇଥିଲା। ସେଭଳି ୨୦୧୧-୧୨ରେ ୮୫୯.୪୫ଏମଟି,୨୦୧୨-୧୩ରେ ୭୩୭.୫୬ଏମଟି, ୨୦୧୨-୧୩ରେ ୭୮୮.୨୦ଏମଟି, ୨୦୧୪-୧୫ରେ ୬୩୧.୨୩ଏମଟି, ୨୦୧୫-୧୬ରେ ୬୩୬.୪୮ଏମଟି, ୨୦୧୬-୧୭ରେ ୫୭୨.୮୨ଏମଟି, ୨୦୧୭-୧୮ରେ ୪୭୦.୬୫ଏମଟି, ୨୦୧୮-୧୯ରେ ୫୩୨.୭୫ଏମଟି, ୨୦୧୯-୨୦ରେ ୪୧୮.୧୮ଏମଟି ଆଖୁ ଉତ୍ପାଦନ ହୋଇଥିଲା। ସେପରି  ୨୦୨୦-୨୦୨୧ରେ ୬୪୪୭ହେକ୍ଟର ଜମିରେ ୫୦୧.୭୮ଏମଟି ଓ  ୨୦୨୧-୨୨ରେ  ୬୨୧୨ହେକ୍ଟର ଜମିରେ ୪୬୯.୨୨ଏମଟି ଆଖୁ ଉତ୍ପାଦନ ହୋଇଥିଲା। ଏହି ବର୍ଷ ମଧ୍ୟରେ ୬୪୪୭ହେକ୍ଟର ଜମିରେ ଆଖୁ ଚାଷ କରାଯାଇଛି। ତେବେ ଜିଲ୍ଲାର ଜୟପୁର ଉପଖଣ୍ଡର କୋଟପାଡ଼ ବ୍ଲକରେ ୩୧୨୮ହେକ୍ଟର, ବୋରିଗୁମ୍ମା ବ୍ଲକରେ ୨୬୫୦ହେକ୍ଟର, କୁନ୍ଦ୍ରା ବ୍ଲକରେ ୩୪୦ହେକ୍ଟର, ଜୟପୁର ବ୍ଲକରେ ୧୧୫ହେକ୍ଟର ଏଭଳି ୬୨୩୩ହେକ୍ଟର ଜମିରେ ଆଖୁଚାଷ କରାଯାଇଛି। ସେମିଳିଗୁଡା ଓ ଦଶମନ୍ତପୁର ବ୍ଲକରେ ୧୫ହେକ୍ଟର ଲେଖାଏଁ, ନନ୍ଦପୁର ବ୍ଲକରେ ୭୦ହେକ୍ଟର, ଲମତାପୁଟ ବ୍ଲକରେ ୪ହେକ୍ଟର, ଲକ୍ଷ୍ମୀପୁର ବ୍ଲକରେ ୧୧୦ହେକ୍ଟର ଜମିରେ ଆଖୁଚାଷ କରାଯାଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି।