ଭୋଟର ତାଲିକାରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନାଁ ନାହିଁ, ବିଜେଡିରୁ ଟିକେଟ୍ ପାଇଥିଲେ ବି ଲଢ଼ିପାରିଲେନି ନିର୍ବାଚନ
ନବରଙ୍ଗପୁର: ଭୋଟ ତାଲିକାରେ ନାମ ନ ଥିବାରୁ ପ୍ରାର୍ଥୀ ପତ୍ର ଦାଖଲରୁ ବଞ୍ଚିତ ହେଲେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ। ମଞ୍ଜୁଳାଙ୍କୁ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ଜୋନ୍ ନଂ ୨ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ଦଳୀୟ ଟିକେଟ୍ ପ୍ରଦାନ କରାଯାଇଥିଲା। ଗତକାଲି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଆଣିଥିଲେ। ଆଜି ଫର୍ମ ପୁରଣ କରିବା ସମୟରେ ଭୋଟ କ୍ରମିକ ନଂ ପୂରଣ ବେଳେ ସେ ଜାଣିବାକୁ ପାଇଲେ ଭୋଟ ତାଲିକାରେ ତାଙ୍କ ନାମ ନାହିଁ, ଯାହା ଦେଖି ସେ ତାଜୁବ୍ ହୋଇଯାଇଥିଲେ।
ଉମରକୋଟ ବ୍ଲକ ବଡଭରାଣ୍ଡି ପଞ୍ଚାୟତରେ ଭୋଟ ତାଲିକାରେ ତାଙ୍କ ନାମ ରହିଥିଲା। ସେ ଅନୁଯାୟୀ ସେ ଭୋଟର କାର୍ଡ ବି ପାଇଛନ୍ତି। ତେବେ ତାଙ୍କ ନାମ ଉକ୍ତ ତାଲିକାରୁ ବାଦ ପଡିଥିଲେ ମଧ୍ୟ ସେ ଜାଣିପାରି ନଥିଲେ। ଯାହା ଫଳରେ ତାଙ୍କୁ ଦଳୀୟ ଟିକେଟ୍ ପାଇ ମଧ୍ୟ ନିରାଶ ହେବାକୁ ପଡିଛି।
ମଞ୍ଜୁଳା ମାଝୀ କଂଗ୍ରେସ ଦଳରୁ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ହୋଇଥିଲେ । ୨୦୦୭ରେ ପୁଣି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତ ୨୦୧୭ ମସିହାରେ ବିଜେଡିରେ ଯୋୁଗଦେଇଥିଲେ। ଗତ ବର୍ଷ ସେ ମହିଳା ବିଜେଡି ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ।
ନବରଙ୍ଗପୁର ବ୍ଲକ ଜୋନ୍ ୨ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଉକ୍ତ ଜୋନ୍ ପାଇଁ ମଞ୍ଜୁଳା ମାଝୀଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରାଯାଇଥିଲା ଏବଂ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ। ତେବେ ତାଙ୍କ ଭୋଟ ତାଲିକାରେ ନାମ ନଥିବା ଜାଣିବା ପରେ ଆଜି ବିଜେଡି ଦଳୀୟ ଟିକେଟ୍ରୁ ତାଙ୍କ ନାମକୁ ବାତିଲ କରି ପୁଣି ଜୋନ୍ ନଂ ୨ରେ ବିଜେଡି ପକ୍ଷରୁ ପରିଜା ଭତରାଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରିଥିଲା।