ସମ୍ବଲପୁର : କରୋନା ଲକଡାଉନରେ ସ୍କୁଲ ବନ୍ଦ ହୋଇଯିବା ପରେ ଫୋନରେ ପାଠ ପଢା ହେବ। ଏଥିପାଇଁ ଶିକ୍ଷକମାନେ ପ୍ରତି ଘର ବୁଲି ହ୍ବଟ୍‌ସଅପ୍‌ ନମ୍ବର ସଂଗ୍ରହ କଲେ। ଏଣେ ଝିଅର ମାଟ୍ରିକ ପରୀକ୍ଷା। ବିନା ଫୋନରେ କିପରି ପଢିବ ଭାବି ନରେଗାର ମାସକର ମଜୁରି ଟଙ୍କାରେ ସ୍ମାର୍ଟ ଫୋନ କିଣିଦେଲି। ମାତ୍ର ଠିକ ବେଳକୁ ନେଟୱର୍କ ନାହିଁ। ଅତି ଦରକାର ସମୟରେ ୧ରୁ୨ କିଲୋମିଟର ଯିବାକୁ ହୁଏ। କେବଳ ସେ ଏକୁଟିଆ ନୁହନ୍ତି ତାଙ୍କ ପଞ୍ଚାୟତର ଆହୁରି ଅନେକ ଅଭିଭାବକ ଛୁଆଙ୍କ ପଢା ପାଇଁ ସ୍ମାର୍ଟଫୋନ କିଣି ଅସୁବିଧାରେ ପଡ଼ିଛନ୍ତି। ଏହା କହନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ମେଘପାଲ ପଞ୍ଚାୟତର ପ୍ରବାସୀ ଶ୍ରମିକ ସଂଜୟ କେରକେଟା।

Advertisment

publive-image

ଅଣଜଳସେଚିତ ଅଞ୍ଚଳରେ ମାତ୍ର ୨ ଏକର ଚାଷ ଜମିଥିବା ସଂଜୟ କହନ୍ତି, ରୋଜଗାର ପାଇଁ ୨୦୦୫ ମସିହାରୁ ଦିଲ୍ଲୀ, କେରଳ, ବାଙ୍ଗାଲୋର ଯାଇ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି। ପାରିବାରିକ ସମସ୍ୟା ଯୋଗୁଁ ଲକଡାଉନ ପୂର୍ବରୁ ୨୦୧୯ ମସିହାରୁ ଘରକୁ ଚାଲି ଆସିଥିଲେ। ଏଠାରେ ଚାଷ ସହିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ କରି କୌଣସି ପ୍ରକାର ପରିବାର ଚଳାଉଥିଲେ। ତାଙ୍କର ଦଶମ, ପଞ୍ଚମ ଏବଂ ଦ୍ବିତୀୟ ଶ୍ରେଣୀ ପଢୁଥିବା ୨ଝିଅ ଏବଂ ଜଣେ ପୁଅ ଅଛନ୍ତି। ବଡ଼ ଝିଅର ପାଠ ପାଇଁ ତାଙ୍କର ସର୍ବାଧିକ ଚିନ୍ତା ରହିଛି। ଲକଡାଉନରେ ସ୍କୁଲ ବନ୍ଦ ହୋଇଯିବା ପରେ ଚଳିତ ବର୍ଷ ତାର କଣ ହେବ ଏହାକୁ ନେଇ ଏକ ଅନିଶ୍ଚିତତା ମଧ୍ୟ ସୃଷ୍ଟି ହୋଇଥିଲା। ଏହି ସମୟରେ ସ୍କୁଲ ପକ୍ଷରୁ ଅନଲାଇନ ପାଠ ଏବଂ ଏଥିପାଇଁ ସ୍ମାର୍ଟଫୋନର ନିତ୍ୟାନ୍ତ ଆବଶ୍ୟକତା ରହିଥିବା କୁହାଗଲା। ତେଣୁ ନରେଗାରେ ତାଙ୍କୁ ମିଳିଥିବା ମାସକର ମଜୁରି ଟଙ୍କା ସହିତ ଅନ୍ୟାନ୍ୟ ଟଙ୍କା ମିଶାଇ ସମୁଦାୟ ୮ ହଜାର ଟଙ୍କାରେ ସ୍ମାର୍ଟଫୋନ କିଣିଦେଲେ। ମାତ୍ର ଦେଖିବାବେଳକୁ କେବଳ ଗାଁ ନୁହେଁ ମେଘପାଲ ପଞ୍ଚାୟତରେ ନେଟୱର୍କ ନାହିଁ। ସ୍କୁଲ ପକ୍ଷରୁ ଦିଆଯାଉଥିବା ପାଠ୍ୟ ଉପକରଣ ଡାଉନଲୋଡ ପାଇଁ ୧ରୁ୨ କିଲୋମିଟର ଯିବାକୁ ହୁଏ। ଏହାକୁ ପୁଣି ଫୋନରେ ପଢିବା ସହଜ ନୁହେଁ ଏବଂ ପ୍ରିଣ୍ଟଆଉଟ କାଢିବା ମଧ୍ୟ ଖର୍ଚ ବହୁଳ। ସେଥିରେ ପୁଣି ଏହି ପଞ୍ଚାୟତରେ ଥରେ ବିଜୁଳି ଚାଲିଗଲେ ଆସିବାକୁ ୨ରୁ୩ ଦିନ ଲାଗିଯାଏ। ତେଣୁ ଫୋନ ମଧ୍ୟ ଚାର୍ଜ ହୋଇ ପାରେ ନାହିଁ।

ଶ୍ରମିକ ମନୋଜ ମିର୍ଧା ମଧ୍ୟ ସନ୍ତାନର ପାଠପଢା ପାଇଁ ୮ ହଜାର ଟଙ୍କାରେ ସ୍ମାର୍ଟଫୋନ କିଣିଛନ୍ତି। ତାଙ୍କର ମଧ୍ୟ ସେହି ସମାନ କାହାଣୀ। ମେଘପାଲ ପଞ୍ଚାୟତର ଅଧିକାଂଶ ଅଧିବାସୀ କଂନ୍ଧ ଏବଂ ମିର୍ଧା ସମ୍ପ୍ରଦାୟର ଆଦିବାସୀ। ସେମାନେ କେନ୍ଦୁପତ୍ର ଏବଂ ମହୁଲ ସଂଗ୍ରହ କରି ଥାଆନ୍ତି। ଜୁନ ଏବଂ ଜୁଲାଇ ମାସରେ ଏହି ପତ୍ର ବିକ୍ରି କରି ଟଙ୍କା ପାଆନ୍ତି। ଚଳିତ ବର୍ଷ ଅଧିକାଂଶ ପରିବାରରେ ଏହି ଟଙ୍କା ପିଲାଙ୍କ ପଢା ପାଇଁ ସ୍ମାର୍ଟଫୋନରେ ଖର୍ଚ ହୋଇଛି। ୯୦ ପ୍ରତିଶତ ସ୍ଥାନରେ ନେଟଓ୍ବାର୍କ ନଥିବା ଏବଂ ବିଜୁଳି ସମସ୍ୟା ଥିବାରୁ ଫୋନ ଏକ ପ୍ରକାର ଅନୁପଯୋଗ ହୋଇ ପଡ଼ିଥିବା ସାମାଜିକ ସଙ୍ଗଠନ ପତଙ୍ଗ ପକ୍ଷରୁ କରାଯାଇଥିବା ସର୍ଭେରେ ଜଣାପଡ଼ିଛି। । ଯେଉଁ କିଛି ସ୍ଥାନରେ ନେଟୱର୍କ ରହିଛି, ପିଲାମାନେ ଫୋନରେ ଗେମ ଖେଳୁଥିବା ନେଇ ମଧ୍ୟ ଅଭିଭାବକଙ୍କ ଚିନ୍ତା ଲାଗି ରହୁଛି। ଲକଡାଉନରେ ଲୋକେ ଜୀବିକା ହରାଇଛନ୍ତି। ବ୍ୟୟବହୁଳ ପାଠ ବ୍ୟବସ୍ଥା ସେମାନଙ୍କୁ ଆହୁରି ଚାପଗ୍ରସ୍ତ କରିଛି। ଶିକ୍ଷା ନେଇ ନିର୍ଦେଶ ଦେବା ପୂର୍ବରୁ ସରକାର ପାରିପାର୍ଶ୍ବିକ ସ୍ଥିତି ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଧ୍ୟାନ ଦିଅନ୍ତୁ ବୋଲି ସ୍ଥାନୀୟ ଅଧିବାସୀ କହନ୍ତି।