ବିଶ୍ବବିଦ୍ୟାଳୟରେ ନୂତନ ନିର୍ମାଣକୁ ନା

କୁଳପତିମାନଙ୍କ ସହ ରାଜ୍ୟପାଳଙ୍କ ଭର୍ଚୁଆଲ ବୈଠକ

ପେନ୍‌ସନ୍‌ କେସ୍‌ଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ନି‌ର୍ଦେଶ

ଭୁବନେଶ୍ବର : ଗତ ମାସକ ମଧ୍ୟରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଲାଣି। ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପଦ ଛାଡ଼ିଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ କୁଳପତିଙ୍କ ବି‌ରୋଧରେ ଥାନାରେ ମାମଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ସାଙ୍ଗକୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅଫ୍‌ଲାଇନ୍‌ ପରୀକ୍ଷା ନ କରିବାକୁ ଛାତ୍ରୀଙ୍କ ଦାବି। ରେଭେନ୍ସାରେ ବି ସମାନ ଅବସ୍ଥା। ଏଭଳି ସ୍ଥିତିରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି କୁଳପତିମାନଙ୍କ ସହ ଆଲୋଚନା କରି ମହାମାରୀ କରୋନା ବିରୋଧରେ ଲଢ଼େଇରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି।

ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ବୈଠକରେ କୁଳାଧିପତି ପ୍ରଫେସର ଲାଲ୍‌ କହିଛନ୍ତି ଯେ ବ୍ୟାପକ ଜନ ସଚେତନତା ସୃଷ୍ଟି ସହ ସ୍ଥାନୀୟ ପ୍ରଶାସନର ସହଭାଗିତାରେ ବିଶ୍ବବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ସଦୁପଯୋଗ କରାଯାଇପାରିବ। ବର୍ତମାନ ସମୟରେ ବିଶ୍ବବିଦ୍ୟାଳୟରେ କୌଣସି ନୂତନ ନିର୍ମାଣ ନ କରିବାକୁ ଓ ଆର୍ଥିକ ମିତବ୍ୟୟତାକୁ ଗୁରୁତ୍ବ ଦେବାକୁ ରାଜ୍ୟପାଳ ପରାମର୍ଶ ଦେବା ସହ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଠିକ୍‍ ସମୟରେ ସାର୍ଟିଫିକେଟ୍‍ ପ୍ରଦାନ, ଗବେଷଣାକୁ ପ୍ରୋତ୍ସାହନ ଓ ସ୍କଲାରଙ୍କୁ ଗାଇଡ ଆବଣ୍ଟନ, ପେନ୍‍ସନ ମାମଲାର ତ୍ବରିତ ସମାଧାନ ଓ ଡିଜିଟାଲ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ପାଇଁ ରାଜ୍ୟପାଳ କହିବା ସହ ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ବିଶ୍ବଦ୍ୟାଳୟରେ ଥିବା ବିଭିନ୍ନ ମାମଲାର ଫଏସଲା, ବିଶେଷକରି ପେନ୍‍ସନ କେସ୍‍ଗୁଡ଼ିକର ତ୍ବରିତ ଫଏସଲା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଛନ୍ତି। ହୋର୍ଡିଂ, ପ୍ରଚାରପତ୍ର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ବି କହିଛନ୍ତି।

ବିଶ୍ବବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରି ସାମ୍ପ୍ରତିକ ସ୍ଥିତି ଓ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର