ଅଧିଗ୍ରହଣ ସମ୍ପୂର୍ଣ୍ଣ ନହେଲେ କାମ ହେବନି

ନୂଆ ନୀତି କଲା ରେଳମନ୍ତ୍ରାଳୟ

ପ୍ରଭାବିତ ହେବ ରେଳ ପ୍ରକଳ୍ପ

ଭୁବନେଶ୍ୱର : କେନ୍ଦ୍ର ରେଳ ମନ୍ତ୍ରାଳୟର ନୂତନ ନୀତି ଯୋଗୁଁ ରାଜ୍ୟର ଅଧିକାଂଶ ରେଳ ପ୍ରକଳ୍ପ ଅଧାରେ ଅଟକିବାକୁ ବସିଲାଣି । ନୂଆ ନୀତି ଅନୁଯାୟୀ କୌଣସି ରେଳ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ନହେଲେ ସେଠାରେ କାର୍ଯ୍ୟ ଆରମ୍ଭ କରାଯିବ ନାହିଁ ।

ରେଳବାଇ ବୋର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ଯୋଗୁଁ ଅନେକ ରେଳପ୍ରକଳ୍ପ ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଶେଷଜ୍ଞମାନଙ୍କ ମତରେ ଏଭଳି ନୀତି ରେଳ ପ୍ରକଳ୍ପ ଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । କାରଣ ରେଳ ପ୍ରକଳ୍ପ ଗୁଡିକ ପାଇଁ ଏକାଥରକେ ସମସ୍ତ ଜମି ଅଧିଗ୍ରହଣ କରିବା ସମ୍ଭବପର ନୁହେଁ । ଏଭଳି ନୀତି କାର୍ଯ୍ୟକାରୀ କରିବା ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ପ୍ରକଳ୍ପ ସଂକ୍ରାନ୍ତରେ କୌଣସି ଆଲୋଚନା କରାଯାଇ ନଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଉଦାହରଣ ସ୍ୱରୂପ ରାଜ୍ୟରେ ଅନେକ ରେଳପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ବର୍ଷାଧିକକାଳ ଧରି ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ୩୫ଟିରେ ନୂତନ ରେଳ ଲାଇନ୍‌ ପ୍ରତିଷ୍ଠା, ଗଜ୍‌ ପରିବର୍ତ୍ତନ ଏବଂ ଦୋହରୀକରଣ ଆଦି କାର୍ଯ୍ୟ ଚାଲିଛି । ପ୍ରାୟ ୪୩ ହଜାର କୋଟି ଟଙ୍କାର ଏହି ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ କାର୍ଯ୍ୟ ଜାରିରହିଛି । ନୂତନ ନୀତିରେ ଏହି ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପ୍ରଭାବିତ ହେବା ସହିତ ନିର୍ମାଣକାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ନାହିଁ।ଏହି ସବୁ ପ୍ରକଳ୍ପ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ସଂସ୍ଥା ରେଳ ବିକାଶ ନିଗମ ଲିମିଟେଡ (ଆରଭିଏନ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଛି । ସୂଚନା ଅନୁଯାୟୀ ଓଡିଶାରେ ୪୬୭୦ କିଲୋମିଟର ରେଳପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ଏହାର ନିର୍ମାଣ ଜାରି ରହିଛି । ରେଳ ଅଧିକାରୀମାନଙ୍କ ମତରେ ଅଧିକାଂଶ ପ୍ରକଳ୍ପରେ ଜମିଅଧିଗ୍ରହଣ ସମ୍ପୂର୍ଣ୍ଣ ନହେବାରୁ କାର୍ଯ୍ୟ ବିଳମ୍ବ ହେବା ସହିତ ଏଥିରେ ବିନିଯୋଗ ଅର୍ଥ ପଡିରହୁଛି । ତେଣୁ ଏଣିକି ନୂତନ ପ୍ରକଳ୍ପ ଗୁଡିକ ପୂର୍ଣ୍ଣ ଜମି ଅଧିଗ୍ରହଣ ପରେ ଆରମ୍ଭ କରିବାପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ କରିଛି ।

ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ରେଳ ପ୍ରକଳ୍ପ ଯଥା ଖୋରଧାରୋଡ-ବଲାଙ୍ଗିର, ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ନୂତନ ରେଳଲାଇନ୍‌, ତାଳଚେର-ବିମଳାଗଡ ନୂତନ ରେଳଲାଇନ୍‌, ଦୀଘା- ଜଳେଶ୍ୱର ଓ ଜୟପୁର-ନବରଙ୍ଗପୁର ନୂତନ ରେଳଲାଇନ୍‌ କାର୍ଯ୍ୟ ହାତକୁ ନିଆଯାଇଛିା ଅନୁରୂପ ଭାବେ ସମ୍ବଲପୁର-ତାଳଚେର, ଟିଟିଲାଗଡ-ସମ୍ବଲପୁର ଏବଂ ବିଜୟନଗରମ୍‌- ଟିଟିଲାଗଡ ରେଳଲାଇନ୍‌ର ଦୋହରୀକରଣ କାର୍ଯ୍ୟ ରେଳ ମନ୍ତ୍ରାଳୟ ହାତକୁ ନେଇଛି ।

ଏହିସବୁ ରେଳ ପ୍ରକଳ୍ପ ଗୁଡିକ ଯୋଗାଯୋଗ ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ଗୁଡିକ ଅଗ୍ରାଧିକାର ଭିତ୍ତିିରେ ସମ୍ପୂର୍ଣ୍ଣ ଜରୁରି ହୋଇପଡିଥିବାବେଳେ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ସହାୟତା ସହ ମାଗଣାରେ ଜମି ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ନୂତନ ନୀତି ଯୋଗୁଁ ଏହିସବୁ ରେଳପ୍ରକଳ୍ପ ପ୍ରଭାବିତ ହେବା ସହିତ ବିଳମ୍ବ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତିା ଏଥିଯୋଗୁଁ ରେଳବାଇକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ଓଡିଶା ଭଳି ରାଜ୍ୟ ପ୍ରଭାବିତ ହେବବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର