ଭୁବନେଶ୍ବର : ସମଗ୍ର ଶିକ୍ଷା ଯୋଜନାରେ ୨୦୧୯-୨୦ ଶିକ୍ଷା ବର୍ଷରେ କୌଣସି ନୂତନ ସ୍କୁଲ ଖୋଲିବାର ପ୍ରସ୍ତାବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ନୂଆ ପ୍ରାଥମିକ ସ୍କୁଲ ଖୋଲିବା ସମ୍ପର୍କରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାଶ କହିଛନ୍ତି ଯେ ୨୦୧୮-୧୯ ତଥ୍ୟ ଆଧାରରେ ରାଜ୍ୟରେ ସମୁଦାୟ ୧୦ ହଜାର ୨୧୬ ପିଲା ବିଦ୍ୟାଳୟ ବାହାରେ ରହିଛନ୍ତି। ଉକ୍ତ ପିଲାଙ୍କୁ ନିକଟତମ ବିଦ୍ୟାଳୟରେ ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖାଯାଇ ସ୍ବତନ୍ତ୍ର ତାଲିମ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ୨୦୧୮ରେ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଗୋଟିଏ କ୍ୟାମ୍ପସ ପରିସରରେ ଥିବା ସରକାରୀ ବିଦ୍ୟାଳୟ କିମ୍ବା ୧୦୦ ମିଟର ଦୂରତା ଭିତରେ ଥିବା ସରକାରୀ ସ୍କୁଲଗୁଡ଼ିକୁ ମିଶ୍ରଣ କରାଯାଇ ଏକକ ବିଦ୍ୟାଳୟରେ ପରିଣତ କରାଯାଉଛି। ଯେଉଁ ବିଦ୍ୟାଳୟରେ ବହୁତ କମ୍ ଛାତ୍ରଛାତ୍ରୀ ରହିଥାନ୍ତି(ପ୍ରାଥମିକରେ ୨୦ରୁ କମ୍ ଓ ଉଚ୍ଚ ପ୍ରାଥମିକରେ ୩୦ରୁ କମ୍) ଏବଂ ନିକଟସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ୧୦୦ ମିଟର ଦୂରତା ମଧ୍ୟରେ ଥାଏ, ଉକ୍ତ ସ୍କୁଲଗୁଡ଼ିକର ମିଶ୍ରଣ କରାଯିବାର ବ୍ୟବସ୍ଥା ରହିଛି। ଏବେ ପ୍ରାଥମିକ ବିଦ୍ୟାଳୟସ୍ତରରେ ୩୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫ଜଣ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ଶିକ୍ଷକ ନିୟୋଜିତ ରହିଛନ୍ତି। ସ୍କୁଲ ବନ୍ଦ ହେବା ସମ୍ପର୍କରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ରାଜ୍ୟରେ ୧୨୩୬ଟି ପ୍ରାଥମିକ ଓ ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଛି। ୨୦୧୯-୨୦ରେ ୧୦ କିମ୍ବା ୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ୪୭୫ଟି ପ୍ରାଥମିକ ଓ ୧୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏବେ ସୁଦ୍ଧା ବନ୍ଦ କରାଯାଇଛି। ସେହିପରି ୩ଟି ଲେଖାଏ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଉପସ୍ଥାନ ହ୍ରାସ କାରଣରୁ ବନ୍ଦ କରାଯାଇଛି। ଆଉ ୩ଟି ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟବର୍ତ୍ତୀ ଉଚ୍ଚ ବିଦ୍ୟାଳୟଗୁଡ଼ିକର ନାମ ଲେଖାଇ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ନିକଟସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଯଦି ୧ କିମି ଓ ୩ କିମିରୁ ଅଧିକ ଦୂରତାରେ ରହିଥିବ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ପରିବହନ/ଅନୁଗାମୀ ଭତ୍ତା ପ୍ରଦାନ କରାଯାଇ ବିଦ୍ୟାଳୟକୁ ଅଣାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ଉତ୍ତର ରଖିଛନ୍ତି।
ଏ ବର୍ଷ ରାଜ୍ୟରେ ଖୋଲିବନି କୌଣସି ନୂତନ ସ୍କୁଲ
/sambad/media/post_attachments/wp-content/uploads/2018/09/schools_1177.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)