ନିପା ନୁହେଁ, ସିଜିନାଲ ଫ୍ଲୁ: ଏସ୍‌ସିବି କର୍ତ୍ତୃପକ୍ଷ

କଟକ : ଗୋଆରୁ ଆସି ତିନି ଦିନ ହେଲା ଏସ୍‌ସିବି ଡିଜାଷ୍ଟର ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ୮ ଅସୁସ୍ଥଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ନାରାୟଣ ଦାସ। ତେବେ ସମସ୍ତ ଆକ୍ରାନ୍ତ ଏବେ ବିପଦମୁକ୍ତ ଥିବା ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ମନ୍ତ୍ରୀଙ୍କୁ ଜଣାଇଥିଲେ। ଅନ୍ୟପଟେ ଆକ୍ରାନ୍ତଙ୍କ ଚିକିତ୍ସା ଠିକ୍‌ଭାବରେ ଚାଲିଛି। ଯଦି ଅଧିକ କୌଣସି ପରୀକ୍ଷା ଆବଶ୍ୟକ ହୁଏ, ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେ ଦିଗରେ ପଦକ୍ଷେପ ନେବେ ବୋଲି ଅସୁସ୍ଥଙ୍କୁ ଭେଟିବା ପରେ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏଯାଏ ୮ ଅସୁସ୍ଥଙ୍କର ହୋଇଥିବା ସବୁ ପରୀକ୍ଷା ରିପୋର୍ଟରୁ ସେମାନେ ‘ନିପା’ ଆକ୍ରାନ୍ତ ନୁହନ୍ତି ବୋଲି ସ୍ପଷ୍ଟ ହୋଇଛି। ସେମାନେ ସିଜିନାଲ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସ୍ପଷ୍ଟ କରିଛନ୍ତି। ସେମାନଙ୍କୁ ଓ୍ଵାର୍ଡରେ ଅଲଗା ରଖି କିଛି ଦିନ ନିରୀକ୍ଷଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଗୋଆର ହୋଟେଲରେ ଚାକିରି କରୁଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁରର ୮ଜଣ ଯୁବକ ଗଲା ୧୭ ତାରିଖରୁ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତ ଅନ୍ୟ ୮ ଜଣ ଓଡ଼ିଶା ଫେରି ଆସିଥିଲେ।

ଓଡ଼ିଶାରେ ନିପା ଭାଇରସ୍‌ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ଗୋଆ ଫେରନ୍ତା ୮ ଜଣ ଓଡ଼ିଆ ଯୁବକ ନିପା ଭାଇରସ୍‌ରେ ସଂକ୍ରମିତ ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ସଚିବାଳୟରେ ସେ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାରେ କୌଣସି ପ୍ରକାର ନିପା ଭାଇରସ୍‌ ଦେଖାଯାଇ ନାହିଁ। ଏ ସମ୍ପର୍କରେ ଯାହା ସବୁ ପ୍ରଚାର ହେଉଛି, ତାହା ଗୁଜବ। ଗୋଆରୁ ଫେରିଥିବା ଯୁବକମାନଙ୍କୁ କଟକ ଏସ୍‌ସିବିରେ ଚିିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ସେମାନେ ନିପା ଭାଇରସ୍‌ ସଂକ୍ରମିତ ନୁହଁନ୍ତି। ସେମାନେ ଡେଙ୍ଗୁ କିମ୍ବା ସ୍ୱାଇନ୍‌ ଫ୍ଲୁରେ ବି ଆକ୍ରାନ୍ତ ନୁହନ୍ତି। ସେମାନଙ୍କୁ ନୀରିକ୍ଷଣରେ ରଖାଯାଇଛି।

ସମ୍ବନ୍ଧିତ ଖବର