ପୁରୀକୁ ଭୁଲିଗଲା କେନ୍ଦ୍ର : ୧୭ଟି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇନି ଓଡ଼ିଶା

ସଂସଦରେ ହେବ ପ୍ରତିବାଦ: ମନ୍ତ୍ରୀ, ବିଜେପି ନେତାଙ୍କ ଭିତରେ ଭିନ୍ନ ଭିନ୍ନ ମତ

ଭୁବନେଶ୍ବର : ପୁରୀରେ ଚାଲିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଅଥଚ ୨୦୧୯ ନିର୍ବାଚନୀ ଇସ୍ତାହାରେ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକାଶ କରିବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛି। ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟରେ ଘୋଷଣା ହୋଇଥିବା ଦେଶର ୧୨ଟି ରାଜ୍ୟର ୧୭ ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭିତରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ସ୍ଥାନ ପାଇନି। କେନ୍ଦ୍ର ସରକାରଙ୍କ ଏପରି ଅବହେଳା ସାମାନାକୁ ଆସିବା ପରେ ତେଜିଛି ବିବାଦ।

୨୦୧୯ ସାଧାରଣ ନିର୍ବାଚନରେ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ରୂପେ ବିକଶିତ କରିବା ପାଇଁ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏବେ ସେ ପ୍ରତିଶ୍ରୁତି ପାଣିର ଗାର ପ୍ରମାଣିତ ହୋଇଛି। ଗତ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଲା। ତା ପରଦିନ ଅର୍ଥାତ ଗତ ୫ ତାରିଖରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ ଆଗତ କରିଥିଲେ। ବଜେଟରେ ଦେଶର ୧୨ଟି ରାଜ୍ୟର ୧୭ଟି ଅନନ୍ୟ ଆକର୍ଷଣ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅର୍ଥ ବରାଦ କରାଯାଇଛି। କିନ୍ତୁ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ପଡ଼ିଲାନି। ଏହାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତଣାଳୟ ବିରୋଧରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ତାଲିକାରେ ଉତ୍ତରପ୍ରଦେଶର ତାଜମହଲ, ଫତେପୁର ସିକ୍ରି, ମହରାଷ୍ଟ୍ରର ଅଜନ୍ତା ଓ ଏଲୋରା, ନୂଆ ଦିଲ୍ଲୀର ହୁମାୟୁନ୍ ଟମ୍ବ୍, ଲାଲ କିଲ୍ଲା ଓ କୁତୁବ ମୀନାର ସ୍ଥାନ ପାଇଛି। ଏହାସହିତ ଗୋଆର କୋଲାବା ତଟ, ରାଜସ୍ଥାନର ଆମିର ଦୁର୍ଗ, ଗୁଜରାଟର ସୋମନାଥ ଓ ଢୋଲାବିରା, ମଧ୍ୟପ୍ରଦେଶର ଖଜୁରାଓ, କର୍ଣ୍ଣାଟକର ହାମ୍ପି, ତାମିଲନାଡ଼ୁର ମହାବଳିପୁରମ୍, ଆସାମର କାଜିରଙ୍ଗା, କେରଳର କୁମାରକମ୍ ଏବଂ ବିହାରର ମହାବୋଧୀ ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅଧିକ ରାସ୍ତା ସଂଯୋଗୀକରଣ କରାଯିବା ସହ ଅନ୍ୟାନ୍ୟ ଆକର୍ଷଣୀୟ ବିକାଶ କରାଯିବ।

ତେବେ ବିଶ୍ବ ଐତିହ୍ୟ ତାଲିକାରେ ଥିବା କୋଣାର୍କ ମନ୍ଦିରକୁ ବି କେନ୍ଦ୍ର ସରକାରଙ୍କ ନଜର ପଡ଼ିଲାନି। ସେହିପରି ଭିତର କନିକା, ଏସିଆର ସର୍ବବୃହତ୍ତମ ପ୍ରାକୃତିକ ହ୍ରଦ ଚିଲିକା ଓ ସିମିଳିପାଳ ଅଭୟାରଣ୍ୟ ମଧ୍ୟ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛନ୍ତି। ବୌଦ୍ଧ ସଂସ୍କୃତିର କୀର୍ତ୍ତିମାନ ପ୍ରତୀକ ଲଳୀତଗିରି, ରତ୍ନଗିରି ଏବଂ ଉଦୟଗିରି ସର୍କିଟ୍ ଦେଶ ବିଦେଶର ଲକ୍ଷାଧିକ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଏତେସବୁ ପର୍ଯ୍ୟଟନ ସ୍ଥଳ ଥାଇ ବି କେନ୍ଦ୍ର ସଂସ୍କୃତି ବିଭାଗର ଆଖି କାହାରି ଉପରେ ବି ପଡ଼ିଲାନି।

ଏ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତୁରନ୍ତଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ପୁରୀ ସମେତ କୋଣାର୍କୁ ଅନନ୍ୟ ଆର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବାକୁ ଦାବି ଜଣାଇବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା ରଖି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏପରି ଓଡ଼ିଶା ପ୍ରତି ଅବହେଳା ଦୁର୍ଭାଗ୍ୟଜନକ। ବିଜେଡିର ସାଂସଦମାନେ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବେ।

ଗୋଟିଏପଟେ ରାଜ୍ୟ ସରକାର ଓ ସଂସ୍କୃତି ପ୍ରେମୀଙ୍କ ଭିତରେ ଏହାକୁ ନେଇ ଘୋର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ବିଜେପି ରାଜ୍ୟ ନେତାଙ୍କ ଭିନ୍ନ ମତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏପରି ହେବା କଥା ନୁହଁ। କେଉଁ ପରିସ୍ଥିତିରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର କେନ୍ଦ୍ର ସରକାରଙ୍କ ତାଲିକାରେ ସ୍ଥାନ ପାଇନି ସେ ନେଇ ତର୍ଜମା କରାଯିବ। ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ଉଦବେଗ ଜଣାଇ ଦିଆଯିବ। ଅନ୍ୟପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ହୃଦୟ ଯୋଜନାଠୁ ଆରମ୍ଭ କରି ଅନେକ ଯୋଜନାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର