ପର୍ଯ୍ୟଟନସ୍ଥଳୀ ଚୟନରେ କେନ୍ଦ୍ରର ‌ଅବହେଳା ନେଇ ଗୃହରେ ଉଦ୍‌ବେଗ

କେନ୍ଦ୍ରର ୧୭ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର ଗୋଟିଏ ବି ନାହିଁ, ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବାକୁ ଦାବି

ଭୁବନେଶ୍ବର : କେନ୍ଦ୍ର ସରକାର ଦେଶର ୧୭ଟି ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ତାହାକୁ ବିଶ୍ବସ୍ତରୀୟ କରିବାକୁ ବଜେଟ୍‌ରେ ଘୋଷଣା କରିଛନ୍ତି। ଏହି ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନାହିଁ। ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠିଥିଲା। ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଏ ନେଇ ଭୀଷଣ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଧାନସଭାରେ ସର୍ବସମ୍ମିତକ୍ରମେ ପ୍ରସ୍ତାବ ଗୃହୀତ କରି କେନ୍ଦ୍ରରେ ଏ ନେଇ ଦାବି ଶାଣିତ କରିବାକୁ ସମସ୍ତେ ମତ ଦେଇଥିଲେ।

ଶୂନ୍ୟକାଳରେ ପ୍ରଥମେ ବିଜେଡିର ବରିଷ୍ଠ ସଭ୍ୟ ପ୍ରଦୀପ ମହାରଥୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ, କେନ୍ଦ୍ର ସରକାର ୧୭ଟି ପର୍ଯ୍ୟଟନସ୍ଥଳୀକୁ ବାଛିଥିଲା ବେଳେ ଓଡ଼ିଶାର ଗୋଟିଏ ବି ନାଁ ସେଥିରେ ନାହିଁ। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ଭିନ୍ନ ପରିଚୟ ରହିଛି। ବିଶ୍ବ ଐତିହ୍ୟ ତାଲିକାରେ କୋଣାର୍କ ରହିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଆଖିରେ ତାହା ପଡ଼ିଲା ନାହିଁ। ନା ପୁରୀ ନା କୋଣାର୍କ କେହି ବି ତାଲିକାରେ ସ୍ଥାନ ପାଇଲେ ନାହିଁ। କେନ୍ଦ୍ର ନିଷ୍ପତ୍ତିକୁ ଆମେ ତୀବ୍ର ବିରୋଧ କରୁଛୁ ଏବଂ ପୁରୀ-କୋଣାର୍କକୁ ଏଥିରେ ସ୍ଥାନ ଦେବା ପାଇଁ ଦାବି କରୁଛୁ।

ଏହାକୁ ସମର୍ଥନ କରି ବରି‌ଷ୍ଠ ସଭ୍ୟ ଅମର ଶତପଥୀ କହିଲେ, ଆମର ସ୍ବାଭିମାନ ଓ ବିକାଶ ପାଇଁ ପର୍ଯ୍ୟଟନ ଗୁରୁତ୍ବପୂର୍ଣ୍ଣ। ବୁଦ୍ଧିଷ୍ଟ ସର୍କିଟ୍‌, ଶିମିଳିପାଳ ପରି ଜାଗା କେନ୍ଦ୍ର ସରକାରଙ୍କ ତାଲିକାରେ ସ୍ଥାନ ପାଇ ନାହିଁ। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିସାରିଛନ୍ତି। ଦଳ, ମତ ନିର୍ବିଶେଷରେ ସମସ୍ତେ ଏହାର ପ୍ରତିବାଦ କରିବାର ଆବଶ୍ୟକତା ରହିଛି।

ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ଅରବିନ୍ଦ ଢାଲି, ଭୂପିନ୍ଦର ସିଂହ, କିଶୋର ମହାନ୍ତି, ନୃସିଂହ ସାହୁ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏହି ପ୍ରସଙ୍ଗ ଉଠାଇ ଗୃହରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବାକୁ ଦାବତ କରିଥିଲେ। ଏ ନେଇ ଏକ କମିଟି ଗଠନ କରି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ମଧ୍ୟ ପ୍ରସ୍ତାବ ଆସିଥିଲା।

ସମ୍ବନ୍ଧିତ ଖବର