ରାଉରକେଲା: ୧୯୫୯ରେ ରାଉରକେଲା ଇସ୍ପାତ କାରଖାନା ସ୍ଥାପନପରେ ରାଉରକେଲା ସହର ବିକଶିତ ହେବାରେ ଲାଗିଥିଲା। ଜନସଂଖ୍ୟା ସହ ସହରର ପରିସର ବୃଦ୍ଧି ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ରାଜ୍ୟସରକାର ସହରବାସୀଙ୍କୁ ବାସଗୃହ ଯୋଗାଇବାକୁ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ସ୍ଥାପିତ ହୋଇଥିଲା। ଏହି କ୍ରମରେ ୧୯୭୭ ମସିହାରେ ବାସନ୍ତୀକଲୋନିରେ ଓଏସ୍‌ଏଚ୍‌ବି ପ୍ରକଳ୍ପ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଥିଲା, ତାହା କିନ୍ତୁ ପୂରଣ ହୋଇପାରିନି। ଓଏସ୍‌ଏଚ୍‌ବି ପକ୍ଷରୁ ନୂଆ ବାସଗୃହ ପ୍ରକଳ୍ପ ହାତକୁ ନିଆଯାଉନି କିମ୍ବା ଯେଉଁ ବାସଗୃହ ନିର୍ମାଣ ହୋଇଥିଲା, ସେନେଇ ଉପୁଜିଥିବା ସମସ୍ୟାର ସମାଧାନ ବି କରାଯାଉନି। ମୋଟାମୋଟିଭାବେ ଏହି କାର୍ଯ୍ୟାଳୟ ଏବେ ଶେଷ ନିଶ୍ବାସ ଗଣୁଥିବା କହିଲେ ଅତ୍ୟୁକ୍ତି ହେବନାହିଁ।
Advertisment
ଓଏସ୍‌ଏଚ୍‌ବି ପ୍ରକଳ୍ପ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ବାସନ୍ତୀକଲୋନି ଓ ଛେଣ୍ଡ୍‌ ପାଖାପାଖି ୬ ହଜାର ଜମି ଓ ଘର ଆବଣ୍ଟନ କରାଯାଇଥିଲା। ଗତ ୨/୩ ଦଶନ୍ଧି ହେଲା, ଉକ୍ତ ବାସଗୃହ ସଂକ୍ରାନ୍ତୀୟ ସମସ୍ୟାର ସମାଧାନ କରାଯାଇନାରିନି। ଏଯାଏ ଉକ୍ତ ଜମି ଫ୍ରି’ ହୋଲ୍‌ଡ ହୋଇନପାରିବା ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ଜମି ଫ୍ରି’ହୋଲ୍‌ଡ ହୋଇପାରୁନଥିବାରୁ ଜମି/ଘର ମାଲିକ କିଣାବିକା କରିବାରୁ ବଞ୍ଚିତ। ୨୦/୩୦ ବର୍ଷ ହେଲା ଲୋକେ ଘର ତିଆରି ରହୁଥିଲେ ସୁଦ୍ଧା ଏଯାଏ ଘରର ମାଲିକାନାସତ୍ତ୍ବ ତାଙ୍କ ନାଁରେ ହୋଇପାରୁନି। ଅର୍ଥାତ୍‌, ନିଜ ଘରର ମାଲିକ ନିଜେ ହୋଇପାରୁନାହାନ୍ତି ହିତାଧିକାରୀ।
କାର୍ଯ୍ୟାଳୟ ଆରମ୍ଭ ହେବା ସମୟରେ ଏଠାରେ ସୁପରିଟେଣ୍ଡିଂ ଇଞ୍ଜିନିଅର ସ୍ତରର ଅଧିକାରୀଙ୍କ ସମେତ ଶତାଧିକ କର୍ମଚାରୀ ନିଯୁକ୍ତ ଥିଲେ। ଏବେ ଏଠାରେ ନା ଅଧିକାରୀ ଅଛନ୍ତି ନା କର୍ମଚାରୀ। ସଂପ୍ରତି କେବଳ ଜଣେ ସେକ୍ସନ ଅଫିସର ଓ ୪ ଜଣ କର୍ମଚାରୀ ଅଛନ୍ତି। ହାତଗଣତି ୫ ଜଣ କର୍ମଚାରୀଙ୍କ ଦ୍ବାରା ହିତାଧିକାରୀ ଯେଉଁ ସେବା ପାଇବେ, ତାହା ସହଜେ ଅନୁମେୟ। କାର୍ଯ୍ୟାଳୟ ଶତପ୍ରତିଶତ ପଙ୍ଗୁ ହୋଇଯାଇଥିବାରୁ ହିତାଧିକାରୀ ଛୋଟଛୋଟ କାମ ପାଇଁ ଭୁବନେଶ୍ବର ଦୌଡ଼ୁଛନ୍ତି। ଫଳରେ ସେମାନେ ଅଧିକ ଖର୍ଚ୍ଚାନ୍ତ ହେବାସହ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବା ସ୍ବାଭାବିକ୍‌। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୮ ତାରିଖରେ ତତ୍କାଳୀନ ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ଲିଜ୍‌ ହୋଲ୍‌ଡ ଥିବା ରାଜ୍ୟ ଓଡ଼ିଶା ହାଉସିଂ ବୋର୍ଡ(ଓଏସ୍‌ଏଚ୍‌ବି) ଅନ୍ତର୍ଗତ ସମସ୍ତ ଘର ଓ ଜମି ଫ୍ରି’ ହୋଲ୍‌ଡ ହେବାନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ଆବଶ୍ୟକ ଅନୁମତି ପାରିତ ହୋଇଥିଲା। ତେବେ ଏନେଇ ଧାର୍ଯ୍ୟହୋଇଥିବା ଫି’କୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଫ୍ରି’ ହୋଲ୍‌ଡ ପାଇଁ ହିତାଧିକାରୀଙ୍କୁ ନିଜସ୍ବ ଜମି/ବାସଗୃହର ମୋଟ୍‌ ଆନୁମାନିକ ମୂଲ୍ୟର ୩ ପ୍ରତିଶତ ପୈଠ କରିବାକୁ ପଡ଼ିବ। ଏହି ନିୟମ ଯୋଗୁଁ ଘରମାଲିକ ଅଧିକ ଖର୍ଚ୍ଚାନ୍ତ ହେବାକୁ ଥିବାରୁ ଏଥିରେ ହ୍ରାସ ପାଇଁ ଦାବି ହୋଇଥିଲା। ଦଶନ୍ଧି ହେଲା ଏସବୁ ସମସ୍ୟା ଲାଗିରହିଥିଲେ ସୁଦ୍ଧା ବିହିତ ପଦକ୍ଷେପ ନିଆଯାଉନଥିବାରୁ ନିରାଶା ଭିତରେ ହିତାଧିକାରୀଙ୍କ ଦିନ କଟୁଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ପୂର୍ବଭଳି ଏହି କାର୍ଯ୍ୟାଳୟ ଉପେକ୍ଷିତ ହୋଇ ରହିବ ନା ହିତାଧିକାରୀଙ୍କୁ ନ୍ୟାୟ ମିଳିବ, ତା’‌ହା ଦେଖିବା ବାକି ରହିଲା।