ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅମାନବୀୟ ଘଟଣା: କେହି ଆସିଲେନି, ଏକୁଟିଆ ପତ୍ନୀଙ୍କ ଶବ ଉଠାଇଲେ ସ୍ୱାମୀ

ଦୁଃଖ ପ୍ରକାଶ କଲେ ସିଡିଏମ୍ଓ, ତଦନ୍ତ ନିର୍ଦ୍ଦେଶ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ମେଡିକାଲ କର୍ମଚାରୀ ଶବକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଇ ଚାଲିଯାଇଥିଲେ। ଫଳରେ ଶବକୁ ମହାପ୍ରାୟାଣ ଗାଡ଼ି ନିକଟକୁ ବୋହି ନେବା ପାଇଁ ମୃତ ମହିଳାଙ୍କ ସ୍ବାମୀ କାହାରି ସହାୟତା ପାଇ ନଥିଲେ। ଶେଷରେ ନିଜେ ଏକୁଟିଆ କାନ୍ଧରେ ବୋହି ପତ୍ନୀଙ୍କୁ ମହାପ୍ରାୟାଣ ଗାଡ଼ି ନିକଟକୁ ନେଇଥିଲେ। ଏହାକୁ ନେଇ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଯେଉଁ କର୍ମଚାରୀମାନେ ସାମିଲ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ ଜୁନ୍‌ ୨୯ରେ ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ମୋତିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ପତ୍ନୀ ଋତୁମତୀ କହଁର (୪୦) ଅସୁସ୍ଥ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହୃଦ୍‌ଘାତ ଯୋଗୁଁ ଗତକାଲି ଅପରାହ୍‌ଣରେ ଋତୁମତୀଙ୍କ ମୃତ୍ୟୁ ହୋଇଛି‌ ବୋଲି ମେଡିକାଲ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ବାମୀ ବାଳକୃଷ୍ଣ ଅଭିଯୋଗ କରିଛନ୍ତି। ତେବେ ଋତୁମତୀଙ୍କ ମୃତ୍ୟୁ ପରେ ମେଡିକାଲ୍‌ କର୍ମଚାରୀମାନେ ଶବକୁ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇଥିଲେ। ବାଳକୃଷ୍ଣ ନିଜ ପତ୍ନୀଙ୍କ ଶବକୁ କିଭଳି ନିଜ ଘରକୁ ନେବେ ସେଥିପାଇଁ ବ୍ୟସ୍ତ ହେଉଥିଲେ ମଧ୍ୟ ହସ୍ପିଟାଲର ଆଟେଣ୍ଡାଣ୍ଟ, ଷ୍ଟାଫ୍‌ ନର୍ସ ଓ ସୁଇପର୍‌ କେହି ବି ଶୁଣି ନଥିଲେ। କେତେଜଣ ଷ୍ଟାଫ ନର୍ସ ସେତେବେଳେ ନିଜ ସ୍ମାର୍ଟ‌ଫୋନ୍‌ ଏବଂ ସୋସିଆଲ ମିଡିଆରେ ବ୍ୟସ୍ତ ଥିଲେ ବୋଲି ବାଳକୃଷ୍ଣ ଅଭିଯୋଗ କରିଛନ୍ତି।

ପାଖରେ କାହାକୁ ନପାଇ ବାଳକୃଷ୍ଣ ବହୁ କଷ୍ଟରେ ନିଜ ପତ୍ନୀଙ୍କ ଶବକୁ ଏକୁଟିଆ କାନ୍ଧରେ ଟେକି ଟେକି ନେଇ ମେଡିକାଲ ବାହାରେ ରାସ୍ତାରେ ଅପେକ୍ଷା କରିଥିବା ମହାପ୍ରୟାଣ ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ।

ସମ୍ବନ୍ଧିତ ଖବର