ଧର୍ମଶାଳା: ପ୍ରତିକୂଳ ପାଗ ଏବଂ ପୂଜା ଉତ୍ସବକୁ ପଛରେ ପକାଇ ଆପଣମାନେ ସାହିତ୍ୟକୁ ଅଗ୍ରାଧିକାର ଦେଇଛନ୍ତି। ଆଉ କେଉଁଠି ଯାହା ହେଉନା କାହିଁକି ଧର୍ମଶାଳାରେ ଓଡ଼ିଆ ଭାଷାକୁ କେହି ମାରିପାରିବେ ନାହିଁ। ଏକାଠି ହେବା ପାଇଁ ଗୋଟିଏ ବାହାନା ଦରକାର। ଏହାକୁ ସାରସ୍ବତ ସଭା କିମ୍ବା ଗଣତାନ୍ତ୍ରିକ ଉତ୍ସବ ଭାବେ ମଧ୍ୟ ବିଚାରକୁ ନିଆଯାଇପାରେ। ସାହିତ୍ୟିକମାନେ ରାଜନୀତିରୁ ଊର୍ଦ୍ଧ୍ବରେ ବୋଲି କହି ବଡ଼ ବିପଦ ସୃଷ୍ଟି କରୁଛନ୍ତି। ଏଣେ ରାଜନେତାମାନେ ନ ରହିଲେ ଆପଣଙ୍କ ସଭାର ମର୍ଯ୍ୟାଦା ବଢ଼ିବ ନାହିଁ। ଭିନ୍ନମତର କୌଣସି ସମ୍ମାନ ରହୁନାହିଁ। ଓଡ଼ିଶାର ବଡ଼ ପ୍ରସଙ୍ଗ ସବୁ ଥାଇ ମଧ୍ୟ ଆମେ ଦରିଦ୍ର କାହିଁକି? ବହି କେହି କିଣୁନାହାନ୍ତି। ଖବରକାଗଜ ପଢ଼ୁନାହାନ୍ତି। ବହି ବଦଳରେ ମୋବାଇଲ ଏବେ ସମସ୍ତଙ୍କର ପରମ ବନ୍ଧୁ ପାଲଟିଛି। ତେବେ ମୋବାଇଲ ମାଧ୍ୟମରେ ସାହିତ୍ୟ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ ବୋଲି ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।
ବିଜୟା ଦଶମୀରେ ଅନୁଷ୍ଠିତ ଧର୍ମଶାଳା ସାହିତ୍ୟ ସମାଜର ୩୬ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ମମିମାନେ ପିଲାମାନଙ୍କୁ ଓଡ଼ିଆ ମିଡିୟମ ସ୍କୁଲରେ ପଢ଼ାଇବାକୁ ଇଛା କରୁନାହାନ୍ତି। ଆଗାମୀ ଦିନର ଆହ୍ବାନକୁ ନ ମାନିଲେ ଭାଷା ବଞ୍ଚିବ ନାହିଁ। ଘରେ ଘରେ ଭାଷା ବ୍ୟବହାର ହେଲେ ଓଡ଼ିଆ ବଞ୍ଚିବ। ଛାତ୍ର-ଶିକ୍ଷକଙ୍କ ମଧ୍ୟରେ ଗଢ଼ି ଉଠିଥିବା ପରିଭାଷା ହେଉଛି ବିଦ୍ୟାଳୟ। ଫାଇଭ୍-ଟି ବିଦ୍ୟାଳୟ ଶୌଚାଳୟରେ ପରିଣତ ହୋଇଛି। ସ୍ମାର୍ଟକ୍ଲାସ୍ କାମ କରୁନି। ଚଳାଇବା ପାଇଁ ସମର୍ଥ ଶିକ୍ଷକ ନାହାନ୍ତି। ମାଟ୍ରିକ୍ ପରୀକ୍ଷାରେ କପି ପ୍ରତିଯୋଗିତା ଚାଲିଛି। ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ଅବ୍ୟବସ୍ଥା ସଂପର୍କରେ ଶ୍ରୀ ପଟ୍ଟନାୟକ ଅବତାରଣା କରିବା ସହ ପ୍ରସଙ୍ଗକୁ ବଦଳାଇବା ପାଇଁ ଆହ୍ବାନ ଦେଇଥିଲେ।
ଧର୍ମଶାଳା ସାହିତ୍ୟ ସମାଜର ସଭାପତି କାହ୍ନୁଚରଣ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବକୁ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଉଦ୍ଘାଟନ କରି ଧର୍ମଶାଳାର ଗରିମାମୟ ଇତିହାସ ସଂପର୍କରେ ଆଲୋଚନା କରିଥିଲେ। କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର ବିଜେତା ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଚ୍ଚା ସାହିତ୍ୟିକ କେବେ ସାଲିସ କରିପାରିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ଅତିଥିମାନେ ଅନୁଷ୍ଠାନର ବାର୍ଷିକ ବିଶେଷାଙ୍କ ‘ଗଙ୍ଗଶିଉଳି’ ପତ୍ରିକା ଓ ପ୍ରାବନ୍ଧିକ ମନୋରଞ୍ଜନ ମହାନ୍ତିଙ୍କ ‘ମାଟିରୁ ମହାକାଶ’ ପ୍ରବନ୍ଧ ସଂକଳନକୁ ଉନ୍ମୋଚନ କରିଥିଲେ। ଚଳିତବର୍ଷ ପଣ୍ତିତ ଡ. ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ଧର୍ମଶାଳା ସାହିତ୍ୟ ସମାଜ ସମ୍ମାନ, ଶିଶୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକଙ୍କୁ ବୀରକିଶୋର ପାଢ଼ୀ ଶିଶୁ ସାହିତ୍ୟ ସମ୍ମାନ, ପ୍ରାବନ୍ଧିକ ଡ. ରବୀନ୍ଦ୍ର କୁମାର ବିହାରୀଙ୍କୁ ରଘୁନାଥ ସ୍ମୃତି ସମ୍ମାନ, ଶିକ୍ଷକନେତା ଶ୍ରୀଧର ଦାସଙ୍କୁ ସରୋଜିନୀ ସ୍ବାଇଁ ସ୍ମୃତି ସମ୍ମାନ ଓ କୃଷକନେତା ବନମାଳୀ ରାଉତଙ୍କୁ ବାବାଜୀ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।