ରାୟଗଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଦୋଳନର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ। ପ୍ରକାଶ ଥାଉକି ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ’ ୪୨୦୦ ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା ଟ୍ରେଜରି ଅମଲା ସଂଘ ଏବଂ ଓଡ଼ିଶା ନିବନ୍ଧକ ଅମଲା ସଂଘଙ୍କୁ ନେଇ ଗଠିତ ମିଳିତ ମଞ୍ଚ ଆନ୍ଦୋଳନ ଜାରି ରଖିଛନ୍ତି। ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଜିଲ୍ଲାସ୍ତରୀୟ ମିଳିତ ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟର ତିରିଶ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଗୋଟିଏ ମାତ୍ର ଦାବି ୪୨୦୦ ଗ୍ରେଡ ପେ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ଏହାପରେ ମେ ମାସ ୧ ତାରିଖ ଦିନ ରାଜ୍ୟ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନ ହେବାରୁ ସଙ୍ଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୨୦୨୩ ମେ ମାସ ୨୨ ତାରିଖ ଠାରୁ ୨୦୨୩ ମେ ମାସ ୩୧ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିଥିଲେ। ୩୧ ମେ ସୁଦ୍ଧା କୌଣସି ଦାବି ପୂରଣ ନ ହେବାରୁ ଚଳିତ ବର୍ଷ ଜୁନ ୧ ତାରିଖ ଠାରୁ ୧୭ ଜୁନ ପର୍ଯ୍ୟନ୍ତ ସମୁହ ଛୁଟିରେ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସହ ବ୍ୟାପକ ଆଲୋଚନା ବିମର୍ଷ ଏବଂ ନିର୍ଭର ପ୍ରତିଶ୍ରୁତି ଦେବାପରେ ୨୦୨୩ ଜୁନ ୧୮ ତାରିଖରେ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ କରାଯାଇଥିଲା।
ଦୀର୍ଘଦିନର ବ୍ୟବଧାନ ପରେ ମଧ୍ୟ ମଞ୍ଚର ଗୋଟଏ ମାତ୍ର ମାତ୍ର ଦାବି ୪୨୦୦ ଗ୍ରେଡ ପେ ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବାରୁ ରବିବାର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଜିଲ୍ଲା ଶାଖାର ଅଧ୍ୟକ୍ଷ ଅରୁଣ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାସ୍ତରୀୟ ଅମଲାଙ୍କ ଗୋଟିଏ ମାତ୍ର ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟା ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନକୁ ପୁନର୍ବାର ଆରମ୍ଭ କରିବା ପାଇଁ ରାଜ୍ୟ ସଂଘ ଉପରେ ଚାପ ସୃଷ୍ଟି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆବାହକ ଚିତ୍ତରଞ୍ଜନ ମହାପାତ୍ର, ଅମଲା ସଂଘର ସଂପାଦକ ଗୋପୀନାଥ ରାଉତ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥତ ରହିଥିଲେ।