ମହାକାଳପଡ଼ା: ୨୦୨୪ ନିର୍ବାଚନରେ ଅନେକ ଅଦଳ ବଦଳ ହେବ। ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ଛାଡ଼ି ଆଉ କାହାରି ଟିକଟ୍‌ ସ୍ଥିର ନୁହେଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମନ୍ତବ୍ୟ ଦେଇଛନ୍ତି। ଯଦୁପୁର ପଞ୍ଚାୟତ ମଶାକଣିସ୍ଥିତ ବାବା ହଟକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯୁବନେତା ଶିଶିର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଶ୍ରୀ ମହାପାତ୍ର କହିଥିଲେ ଯେ, ମହାକାଳପଡ଼ା ମାଟିକୁ ସେ କେବେ ଭୁଲି ନାହାନ୍ତି କି ମହାକାଳପଡ଼ାବାସୀ ତାଙ୍କୁ ସେମାନଙ୍କ ହୃଦୟରୁ କାଢ଼ିଦେଇ ନାହାନ୍ତି। କ୍ଷମତା ବାହାରେ ଥିଲେ ମଧ୍ୟ ସେ ସବୁବେଳେ ଲୋକଙ୍କ ସହିତ ରହି ଆସିଛନ୍ତି। କ୍ଷମତା ନୁହେଁ ବରଂ ମନରେ ଆଗ୍ରହ ଥିଲେ ଲୋକଙ୍କ ସେବା କରି ହେବ ବୋଲି ବିଜୟ କହିଛନ୍ତି।

Advertisment

ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେ, ଏବେ ମୁଣ୍ଡଉପରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅଛି। ଡିସେମ୍ବର ମାସ ୩ ତାରିଖ ପରେ ସେ ତାଙ୍କ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିବେ। ତେବେ ୨୦୨୪ ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ କରି ନ ଥିଲେ। ଓଲଟା କହିଥିଲେ, ଓଡିଶାରେ ଆଗକୁ ଅନେକ ଅଦଳ ବଦଳ ହେବ। କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା କହି ହେବ ନାହିଁ। ଏହି ବନ୍ଧୁମିଳନ ଉତ୍ସବରେ ତାଙ୍କର ଅନେକ ଶୁଭେଛୁ, ଏଥର ମହାକାଳପଡ଼ାରୁ ବିଜୟ ଓ ପାଟକୁରାରୁ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ିବେ ବୋଲି କହିଥିଲେ। ମାତ୍ର ବିଜୟ ଏ ସଂପର୍କରେ ପଦୁଟିଏ ବି ମତ ରଖିନଥିଲେ। ଏଣୁ ବିଜୟ ନିଜ ରାଜନୈତିକ ନିଷ୍ପତ୍ତି ବଦଳାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କୁଳମଣି ଚୌଧୁରୀ, ରଞ୍ଜନ ଚୌଧୁରୀ, ସୁକାନ୍ତ ଦ୍ବିବେଦୀ, ଗଣେଶ ଚନ୍ଦ୍ର ସାମଲ, ରେଣୁବାଳା ରାଉତ, ମମତାମୟୀ ସାମଲ, ଆଶିଷ ଖଟୁଆ, ଶାରଦା ପ୍ରସନ୍ନ ବେଉରା, ମାନସ ଦାଶ, ବଲ୍ଲଭ ବେହେରାଙ୍କ ସମେତ ବହୁ ଶୁଭେଚ୍ଛୁ ଯୋଗ ଦେଇଥିଲେ।