ଲାଞ୍ଜିଗଡ଼, (କ୍ଷମାନିଧି ମହାକୁଡ଼): ଗାଁ ବସିବା ଇତିମଧ୍ୟରେ ଶହେବର୍ଷ ଟପିସାରିଲାଣି। ଏହି ଶହେବର୍ଷ ବି ଛୋଟିଆ ସମୟ ନୁହେଁ। ଏହାଭିତରେ କେତେକ’ଣ ପରିବର୍ତ୍ତନ ହୋଇସାରିଲାଣି। ରାଜ୍ୟଠାରୁ ସାରା ବିଶ୍ବ ଯାଏ। ହେଲେ, ଏବେ ବି ଆମ ରାଜ୍ୟରେ ଏମିତି ଗୋଟିଏ ଗାଁ ଅଛି ଯେଉଁଠି ସେଠାକାର ଲୋକଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରତିଷେଧକ ଟିକା ଦିଆଯାଇନାହିଁ। ଏବେ କୋଭିଡ୍‌ ଟିକାକରଣ ଉପରେ ପ୍ରାଧାନ୍ୟ ଦିଆଯାଉଛି ଏବଂ ସରକାରୀ , ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ହେଲେ କୋଭିଡ୍‌ ଟିକା ଦୂରେଥାଉ ପୋଲିଓ ହେଉ କି ହେପାଟାଇଟିସ୍‌ , ‌ଯେ କୌଣସି ଟିକାରୁ ବଞ୍ଚିତ ହୋଇଆସୁଛନ୍ତି ଗାଁଲୋକେ। ଏବେ ଏତେ ପ୍ରଚାର ସତ୍ତ୍ବେ ଯେତେବେଳେ ଟିକା ମିଳୁନି, ଗାଁର ଲୋକମାନଙ୍କୁ କିଭଳି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବ ତାହା ସହଜରେ ଅନୁମେୟ। ଏହି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ କୁଟିଆ କନ୍ଧଙ୍କ ଗାଁ ତୁର୍କା। ‘ସମ୍ବାଦ’ ଗ୍ରାଉଣ୍ଡଜିରୋରୁ ଏହି ତଥ୍ୟ ସଂଗ୍ରହ କରିବା ପରେ ଟିକାକରଣର ଏକ ଭିନ୍ନ ଚିତ୍ର ଏବେ ସାମ୍‌ନାକୁ ଆସିଛି।

Advertisment

ଏହ ଗାଁ ଦୁର୍ଗମ ଗାଁ ତୁର୍କାରେ ୩୦ଟି କୁଟିଆ କନ୍ଧ ପରିବାର ବାସ କରୁଛନ୍ତି। ପଞ୍ଚାୟତ ମୁଖ୍ୟାଳୟ ଠାରୁ ୧୬ କିମି ଦୂରରେ ରହିଛି ଏହି ଗାଁ। ଗାଁଲୋକଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି ଯେ ସରକାରଙ୍କ ସବୁ ଯୋଜନା ଏଠି ବାଟବଣା। ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ଯୋଗୁଁ ଗାଁର କୌଣସି ଗର୍ଭବତୀ କିମ୍ବା ଛୋଟ ଶିଶୁଙ୍କୁ ପୋଲିଓ ବୁନ୍ଦା ମିଳି ନାହିଁ କି କୌଣସି ଟିକା ଦିଆଯାଇ ନାହିଁ। ବର୍ତ୍ତମାନ ମଧ୍ୟ ୧୫ରୁ ଅଧିକ ଶିଶୁ ପୋଲିଓ, ହେପାଟାଇଟିସ୍‌ ଓ ଅନ୍ୟାନ୍ୟ ଟିକାରୁ ବଞ୍ଚିତ ହୋଇଛନ୍ତି। କିଛି ମହିଳାଙ୍କୁ ମମତା ଯୋଜନାରେ କାର୍ଡ ଦିଆଯାଇଛି। କିନ୍ତୁ ସେଠାରେ କାହାରି ନାମ ଲେଖା ଯାଇନାହିଁ। ଛୋଟ ଛୋଟ ଶିଶୁଙ୍କୁ ନେଇ ପୋଲିଓ ବୁନ୍ଦା ଖୁଆଇବା କିମ୍ବା ଟିକା ଦେବାପାଇଁ ମା’ମାନେ ୮କିମି ଦୂର ଯୁବା ଗାଁ କେନ୍ଦ୍ରକୁ ଯାଇଥା’ନ୍ତି। ସେଠାରୁ ସେମାନଙ୍କୁ ଖକ୍‌ସି ଗାଁ କେନ୍ଦ୍ରକୁ ଯାଅ ବୋଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ କହିଥା’ନ୍ତି ବୋଲି ଗ୍ରାମର ମହିଳା ଓ ପୁରୁଷମାନେ ପ୍ରକାଶ କରିଛନ୍ତି।

publive-image Times of India

ପୋଲିଓ ବୁନ୍ଦା ଓ ଟିକା ପାଇବାରୁ ବଞ୍ଚିତ ହେଉଥିବା ସଂପର୍କରେ ଗ୍ରାମବାସୀ କହିଛନ୍ତି; ୨୦୧୭ ମସିହାରେ ଲାଞ୍ଜିଗଡ଼ ବ୍ଲକ୍‌ର ତତ୍କାଳୀନ ଚିକିତ୍ସାଧିକାରୀ ମଳୟ ତ୍ରିପାଠୀ, ତତ୍କାଳୀନ ସିଡିପିଓ, ତତ୍କାଳୀନ ବିଡିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ସେମାନଙ୍କୁ ଟିକା ଦେବାପାଇଁ ସ୍ବାସ୍ଥ୍ୟ ବିଭାଗ କୌଣସି ଆଗ୍ରହ ଦେଖାଇନାହାନ୍ତି। ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଏହି ଗ୍ରାମକୁ କେବେ ମଧ୍ୟ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ଯାଇ ନାହାନ୍ତି। ଆଶାକର୍ମୀମାନେ ଗାଁକୁ କାଁ ଭାଁ ଯାଇଥା’ନ୍ତି। ଗାଁକୁ ରାସ୍ତା ନଥିବା ଯୋଗୁଁ କୌଣସି ଆମ୍ବୁଲାନ୍ସ କି ଗାଡ଼ି ଯାଇପାରେ ନାହିଁ। ତେଣୁ ଚିକିତ୍ସା ପାଇଁ ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ୮କିମି ଖଟିଆରେ ବୋହି ଯୁବା ଗାଁ ଛକ ପର୍ଯ୍ୟନ୍ତ ଆଣିବାପରେ ସେଠାରୁ ସେମାନଙ୍କୁ ଆମ୍ବୁଲାନ୍ସ ସେବା ମିଳିଥାଏ। ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକର୍ମୀ ହରାବତୀ ଟେଟେ ଓ ଅଙ୍ଗନବାଡ଼ି କର୍ମୀ କୁନ୍ତି ବିଭାର ତୁର୍କା ଗାଁକୁ ଅବହେଳା କରୁଥିବା ଲୋକେ ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁଁ ୧୦୦ ବର୍ଷରୁ ଅଧିକ ସମୟ ଧରି ବସବାସ କରୁଥିବା ଏହି ଗାଁରେ ବୟସ୍କ ଠାରୁ ଆରମ୍ଭ କରି ଶିଶୁ, ଗର୍ଭବତୀ ପର୍ଯ୍ୟନ୍ତ କାହାରିକୁ ଟିକା ଦିଆଯାଇନାହିଁ। ଫଳରେ ଏମାନଙ୍କ ବହୁ ସମୟ ଅସୁସ୍ଥ ରହୁଥିବା ପ୍ରକାଶ କରିଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗାଁର ଲୋକମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଏପର୍ଯ୍ୟନ୍ତ ସୁଦ୍ଧା ଉଦ୍ୟମ କରାଯାଇନାହିଁ। ସେମା‌ନେ ମଧ୍ୟ କୋଭିଡ୍‌ ଟିକା ଦିଆଯାଉଥିବା ଏବଂ ଏହି ଟିକା ଦିଆଯିବା ଫଳରେ କରୋନା ଭଳି ‌ରୋଗରୁ ନିସ୍ତାର ଲଭୁଥିବା କଥା ଆଦୌ ଜାଣିନାହାନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି ଗାଁର ଅଧିବାସୀ କୁଣ୍ଡୁ ମାଝୀ, ଶୁକ୍ରୁ ମାଝୀ, କିଶୋର ମାଝୀ, ନବୀନ ମାଝୀ, ଦାସେ ମାଝୀ, ଲକ୍ଷ୍ମଣ ମାଝୀ, ଫୁଲମତୀ ମାଝୀ, ଟିମୁ ମାଝୀ, ସୁନ୍ଦରୀ ମାଝୀ।

publive-image DNA India

ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଥିବା ଆଦିବାସୀମାନଙ୍କୁ ଟିକା ଦିଆଯାଉଥିବାବେଳେ ଏମାନଙ୍କ ପ୍ରତି ଏଯାଏ କାହିଁକି ଦୃଷ୍ଟି ଦିଆଯାଇନି, ତାହାକୁ ନେଇ ସାଧାରଣରେ ବି ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ବିଶ୍ବନାଥପୁର ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କାଙ୍କୁ କହିଛନ୍ତି , ତୁର୍କା ଗାଁର ଲୋକେ ଭଟାଙ୍ଗପଦର କେନ୍ଦ୍ରରୁ ଟିକା ପାଇବା ବ୍ୟବସ୍ଥା ହୋଇଥିଲା। ଦୂର ହେଉଛି ବୋଲି କେହି ଯାଉ ନଥିଲେ। ପରେ ମୂଷାନାଳ କେନ୍ଦ୍ରରୁ ଟିକା ଦିଆଯାଉ ବୋଲି ଚିଠି କରାଯାଇଛି। ତଥାପି କାହିଁକି ଏଭଳି ଅବ୍ୟବସ୍ଥା ରହିଛି ସେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ, ଦାନ ମାଝୀ ଘଟଣାକୁ ନେଇ ବିଗତ ଦିନରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା କଳହାଣ୍ଡି ଜିଲ୍ଲାରେ ‘ବିକଳ ସ୍ବାସ୍ଥ୍ୟ ସେବା’ର ଏହା ହେଉଛି ଆଉ ଏକ ନମୁନା। ମାସେ କି ବର୍ଷେ ନୁହେଁ; କାହିଁ କେଉଁ କାଳରୁ ଅବହେଳିତ ଜୀବନ ବଞ୍ଚୁଥିବା ତୁର୍କା ଗାଁର କୁଟିଆ କନ୍ଧଙ୍କ ପାଖକୁ ଏଯାଏ ସାମାନ୍ୟତମ ସ୍ବାସ୍ଥ୍ୟ ସେବା ନପହଞ୍ଚିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ‘ସମ୍ବାଦ’ ସହ କଥା ହେଲାବେଳେ ଯେଉଁ ପ୍ରଶ୍ନ ଆପଣାଛାଏଁ ସେମାନଙ୍କ ପାଟି ଭିତରୁ ବାହାରି ଆସୁଛି ତାହା ହେଉଛି, ଅ‌ାମେ ଟିକାକରଣରୁ ବଞ୍ଚିତ ହେବୁ କାହିଁକି?