ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ନିୟମାବଳୀ ଜାରି କଲା। ଦୀପାବଳି ପୂର୍ବରୁ ଜିଲ୍ଲା ପୁଲିସ ଓ ପ୍ରଶାସନ ଘନ ଘନ ଚଢ଼ାଉ କରି ଗଦା ଗଦା ବାଣ ଜବତ କଲେ। ରାତି ୧୦ଟା ପରେ ବାଣ ନ ଫୁଟାଇବାକୁ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ନିର୍ଦ୍ଦେଶ ଦେଲା। ତେବେ ଏତେସବୁ କଟକଣା ଓ ନିୟମର ଟିକିଏ ବି ପ୍ରଭାବ ପଡ଼ିଲା ନାହିଁ। ଦୀପାବଳିରେ ଏସବୁ ନିୟମକୁ ଦଳି ଚକଟି ଦେଇ ଢେର ରାତି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ମନଇଚ୍ଛା ବାଣ ଫୁଟାଇଲେ। ପରିଣାମ ସ୍ବରୂପ ଦୁଇ ଦିନ ହେଲା ଭୁବନେଶ୍ବର, କଟକ, ତାଳଚେର, ବାଲେଶ୍ବର ପରି ସହରର ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି। ଦୀପାବଳି ରାତିରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ଅତି ଖରାପ ସ୍ତରରେ ପହଞ୍ଚିଥିଲା। ରାତି ଗୋଟାଏରେ ଭୁବନେଶ୍ବର ଓ କଟକର ଏକ୍ୟୁଆଇ ସ୍ତର ଏମିତି ଥିଲା ଯେ ଲୋକଙ୍କ ଆତଯାତ ଥିଲେ, ସ୍ଥିତି ଗମ୍ଭୀର ହୋଇଥାନ୍ତା।
ଏସ୍ପିସିବିର ତଥ୍ୟ ଅନୁଯାୟୀ ଦୀପାବଳି ରାତିରେ ଭୁବନେଶ୍ବର, କଟକ, ତାଳଚେର ଓ ବାଲେଶ୍ବରର ଏକ୍ୟୁଆଇ ବିଭିନ୍ନ ସମୟରେ ୫୦୦ ଡେଇଁ ଯାଇଥିଲା। ତାଳଚେରରେ ହାରାହାରି ପ୍ରଦୂଷଣର ମାତ୍ରା ୩୩୫ ଥିଲା। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨, କଟକରେ ୨୯୪, ସମ୍ବଲପୁରରେ ୨୯୪, ଭୁବନେଶ୍ବର ପଟିଆ ଅଞ୍ଚଳରେ ୨୯୦ ଥିଲା। ରାତି ଗୋଟାଏରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ପିଏମ୍-୧୦ ମାତ୍ରା ୯୯୯ରେ ପହଞ୍ଚିଥିଲା, ଯେଉଁଥିରେ ମଣିଷ ଓ ଜୀବଜଗତ ତିଷ୍ଠିବା ଅସମ୍ଭବ। ଏହି ସମୟରେ କଟକରେ ମଧ୍ୟ ୮୮୨ ରହିଥିଲା। ଆଜି ଭୋର୍ ସମୟରେ ମଧ୍ୟ ଏକ୍ୟୁଆଇର ମାତ୍ରା ଅତି ଖରାପ ଓ ଖରାପ ସ୍ତରରେ ଥିଲା। ଭୋର ୫ଟା ସମୟରେ ଭୁବନେଶ୍ବର ଓ କଟକ ସହରର ଏକ୍ୟୁଆଇ ୨୦୦ ଉପରେ ରହିଥିଲା। ପରବର୍ତ୍ତୀ ସମୟରେ ସକାଳ ୯ଟା ବେଳକୁ ହ୍ରାସ ପାଇ ୧୭୩ରେ ପହଞ୍ଚିଥିଲା। ୧୧ ତାରିଖ ଅପେକ୍ଷା ଦୀପାବଳି ଦିନ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ଦୁଇରୁ ତିନି ଗୁଣ ପର୍ଯ୍ୟନ୍ତ ବଢ଼ିଥିଲା। ବାଲେଶ୍ବର ଜିଲ୍ଲା ପ୍ରଦୂଷଣ ଅଧିକାରୀ ମନମୋହନ ମୁର୍ମୁଙ୍କ ସୂଚନା ଅନୁଯାୟୀ ସହରର ବାୟୁ ପ୍ରଦୂଷଣ ମାତ୍ରା ହାରାହାରି ୧୨୦ ଭିତରେ ରହିଥାଏ। ମାତ୍ର ଦୀପାବଳି ଦିନ ତାହା ୨୮୫ରେ ପହଞ୍ଚିଥିଲା। ସେହିପରି ବ୍ରହ୍ମପୁରରେ ୧୧୯, କୋରାପୁଟରେ ଏକ୍ୟୁଆଇ ୬୦ ଥିଲା।
ସୀମା ଟପିଗଲା ପ୍ରଦୂଷଣ
ଭୁବନେଶ୍ବର ଏକ୍ୟୁଆଇ ୯୯୯
କଟକ ସ୍ଥିତି ବି ସାଂଘାତିକ
ପୁଲିସ, ପ୍ରଶାସନ ନିରବଦ୍ରଷ୍ଟା
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ ମୁରୁଗେସନ କହିଛନ୍ତି ଯେ ଦୀପାବଳି ଦିନ ସକାଳ ସମୟରେ ରାଜ୍ୟର ସମସ୍ତ ସହରର ବାୟୁ ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣ ଭିତରେ ଥିଲା। ମାତ୍ର ସନ୍ଧ୍ୟା ସମୟରେ ୨ରୁ ୪ ଘଣ୍ଟା ମଧ୍ୟରେ ବହୁ ପରିମାଣରେ ବାଣ ଫୁଟିବା ଦ୍ବାରା ପ୍ରଦୂଷଣ ମାତ୍ରା କେତେକ ସ୍ଥାନରେ ୩୦୦ ଉପରକୁ ଚାଲିଯାଇଥିଲା। ଅନ୍ଲାଇନ୍ରେ ମନିଟରିଂ ହେଉଥିବା କିଛି ଷ୍ଟେସନ ତଥ୍ୟ ଅନୁଯାୟୀ ରାତି ଗୋଟାଏରେ ଭୁବନେଶ୍ବର ଓ କଟକ ସ୍ଥିତି ଅଧିକ ଜଟିଳ ହୋଇଥିଲା। ଏହା କମିବାକୁ ସମୟ ଲାଗିବ। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ଏସ୍ପିସିବି କଟକଣା ଲଗାଇଥିଲା। ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସୀମା ମଧ୍ୟରେ ବାଣ ନ ଫୁଟାଇବା, ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବା, କେମିକାଲ ବାଣର ଉତ୍ପାଦନ ଓ ବିକ୍ରି ନ କରିବା, ୧୨୫ ଡେସିବଲ୍ ସ୍ତରରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଥିଲା। ଏପରିକି ନିୟମର କୌଣସି ଖିଲାପ ହେଲେ ଓଡ଼ିଶା(ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିଛି। ଏ ସମ୍ପର୍କିତ ଯେକୌଣସି ଅଭିଯୋଗ ସମ୍ପୃକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇପାରିବ ବୋଲି ଏସ୍ପିସିବି ପକ୍ଷରୁ କୁହାଯାଇଥିଲା।
ରାତି ୧୦ରୁ ସକାଳ ୬ଟା ମଧ୍ୟରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ଭୁବନେଶ୍ବର, କଟକରେ ରାତି ଗୋଟାଏ ପର୍ଯ୍ୟନ୍ତ ଢୋ ଢା ଶବ୍ଦରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା। କଟକଣାକୁ କେହି ଖାତିର କରି ନ ଥିଲେ। ପୁଲିସ ଓ ପ୍ରଶାସନ ଆଖି ଆଗରେ ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କାହାର ଜୁ ପାଇ ନ ଥିଲା। ମନ ଇଚ୍ଛା ଯିଏ ଯେମିତି ପାରିଲେ ବାଣ ଫୁଟାଇ ଚାଲିଲେ। ସନ୍ଧ୍ୟା ସାଢ଼େ ୫ଟାରୁ ଅଧ ରାତି ପର୍ଯ୍ୟନ୍ତ ବିକଟାଳ ଶବ୍ଦରେ କମ୍ପିଥିଲା ଅଧିକାଂଶ ଅଞ୍ଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି ମନଇଛା ବାଣ ଫୁଟା ଯାଉଥିଲେ ମଧ୍ୟ ପୁଲିସର ଦେଖା ମିଳିନଥିଲା। ନା ପିସିଆର ଭ୍ୟାନ୍ ଆସିଥିଲା, ନା କଟକଣା କେମିତି ପାଳନ ହେଉଛି ଯାଞ୍ଚ କରିବାକୁ ପ୍ରଶାସନ ପହଞ୍ଚିଥିଲା। ବିନା ଭୟରେ ଲୋକେ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇଥିଲେ। ଏତେ ସଚେତନ ଓ କଟକଣା ପରେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ ହେଲା ନାହିଁ। ଯାହାର ପ୍ରଭାବ ଭବିଷ୍ୟତରେ ଓଡ଼ିଶା ଉପରେ ପଡ଼ିବା ନେଇ ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି।